ଇଣ୍ଡିଆନ ରେଲୱେ ଏବଂ ଓଡ଼ିଶା ସରକାରଙ୍କ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ

ଭୁବନେଶ୍ୱର,ଏନ୍ଏନ୍ଏସ: ଗୁରୁବାର ଭୁବନେଶ୍ୱର ରେଳଷ୍ଟେସନରପୁନଃ ବିକାଶ ପାଇଁ ନୂଆଦିଲ୍ଲୀ ସ୍ଥିତ ଉଦ୍ୟୋଗ ଭବନଠାରେ ଉଭୟ ରେଳବାଇ ଓ ରାଜ୍ୟ ସାରଙ୍କ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି । ରେଳବାଇ ପକ୍ଷରୁ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ର ମଣ୍ଡଳ ରେଳବାଇ ପ୍ରବନ୍ଧକ ଶଶୀକାନ୍ତ ସିଂହ ଓ ଓଡିଶା ସରକାରଙ୍କ ପକ୍ଷରୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଉପାଧ୍ୟକ୍ଷ ଏହି ବୁଝାମଣା ପତ୍ରରେ ସ୍ଵାକ୍ଷର କରିଛନ୍ତି ଓ ନୂଆଦିଲ୍ଲୀ ଉଦ୍ୟୋଗ ଭବନ ଠାରେ କେନ୍ଦ୍ର ରେଳ, ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ଶ୍ରୀ ପିୟୁଷ ଗୋୟଲ; କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ତଥା ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ରେଳବାଇ ବୋର୍ଡ ଇଂଜିନିୟରିଂ ସଦସ୍ୟ ବିଶ୍ୱେଷ ଚୌବେ ଓ ପୂର୍ବତଟ ରେଳପଥ ମହାପ୍ରବନ୍ଧକ ବିଦ୍ୟା ଭୂଷଣଙ୍କ ସହିତ ଉଚ୍ଚ ଅଧିକାରୀ ଓ ରାଜ୍ୟ ସରକାରଙ୍କ ଅଧିକାରୀମାନେ ଉପସ୍ଥିତ ଥିବାବେଳେ ଭିଡ଼ିଓ କନଫରେନସିଙ୍ଗ ମାଧ୍ୟମରେ ଓଡିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ସ୍ଥିତ ଲୋକସେବା ଭବନ ଠାରେ ଉପସ୍ଥିତ ଥିଲେ ।

କେନ୍ଦ୍ର ସରକାରଙ୍କ ସ୍ମାର୍ଟ ସିଟି ମିଶନ ଅନ୍ତର୍ଭୁକ୍ତ ରେଳଷ୍ଟେସନ ମଲ୍ଟିମୋଡ଼ାଲ ହବ ନିର୍ମାଣ ଭାବରେ ଭୁବନେଶ୍ୱର ରେଳଷ୍ଟେସନ ସଂଲଗ୍ନ ଅଞ୍ଚଳକୁ ବିକଶିତ କରାଯିବ ଓ ଏହି ପ୍ରକଳ୍ପକୁ ଓଡିଶା ସରକାରଙ୍କ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଦ୍ୱାରା ନିର୍ମାଣ କରାଯିବ ଓ ଓଡିଶା ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ଓ ଭୁବନେଶ୍ୱର ଉନ୍ନୟନ କର୍ତୃପକ୍ଷଙ୍କ ମିଳିତ ଜମିରେ ଏହି ମଲ୍ଟିମୋଡ଼ାଲ ହବର ଭୁବନେଶ୍ୱର ରେଳ ଷ୍ଟେସନ ର ନୂତନ ଟର୍ମିନାଲ ବିଲଡିଙ୍ଗ, ସିଟି ବସ ଟର୍ମିନାଲ, ପବ୍ଲିକ କାର ପାର୍କିଙ୍ଗ ଏବଂ ଅନ୍ୟାନ ସାଧାରଣ ଲୋକଙ୍କ ଉପଯୋଗୀ ମିଶ୍ରିତ ସଂସ୍ଥା ସହିତ ସବୁ ପ୍ଳାଟଫର୍ମ ଉପରଦେଇ ଭୁବନେଶ୍ୱର ଷ୍ଟେସନ ର ଉଭୟ ପାର୍ଶ୍ୱକୁ ସଂଲଗ୍ନ କରୁଥିବା ଏକ କନକୋର୍ସ ନିର୍ମାଣ କରାଯିବ।

ଉଭୟ ରେଳବାଇ ଓ ରାଜ୍ୟସରକାରଙ୍କ ଜମିରେ ନୂତନ ଷ୍ଟେସନ ବିଲଡିଙ୍ଗ ଏବଂ ଦୁଇଟି ଲାଇନ ସହିତ ପ୍ଳାଟଫର୍ମ ନିର୍ମାଣ ଯୌଥ ଭାବେ କରାଯିବ ଓ ପ୍ରସ୍ତାବିତ ବିଲଡିଙ୍ଗ ରେ ତଳ ମହଲା ସହିତ ୫ ମହଲା ନିର୍ମାଣ କରାଯିବ ଯାହାକି ରେଳବାଇ ଦ୍ୱାରା ତଳ ମହଲା ସହିତ ୨ଟି ମହଲା ବ୍ୟବହାର କରାଯିବ ଓ ରେଳବାଇ ପାଇଁ ୧.୭୪ ଲକ୍ଷ ବର୍ଗ ଫୁଟ ବ୍ୟବହାର କରାଯିବ।

ଏହି ପ୍ରକଳ୍ପ ପାଇଁ ରେଳବାଇ ପ୍ରାୟ ୭୦କୋଟି ଟଙ୍କା ବ୍ୟୟ ବରାଦ କରିଛି ଯେଉଁଥିରେ ଦୁଇଟି ଅତିରିକ୍ତ ରେଳ ଲାଇନ ଓ ପୂର୍ଣ୍ଣ କଭରସେଡ ଥାଇ ଗୋଟିଏ ପ୍ଳାଟଫର୍ମ, ଫୁଟ ଓଭର ବ୍ରିଜ ର ସମ୍ପ୍ରସାରଣ ଏବଂ ସମସ୍ତ ଯାତ୍ରୀ ସୁବିଧା ଉପଲବ୍ଧ କରାଯିବ ଓ ସେହିଭଳି, ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାୟ ୬୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଅଛି ଯେଉଁଥିରେ ତଳ ମହଲା ସହିତ ଦୁଇ ମହଲା ନୂତନ ଷ୍ଟେସନ ବିଲଡିଙ୍ଗ ନିର୍ମାଣ କରାଯିବ ।