‘ଭାରତୀୟ ଇତିହାସର ପୁନର୍ଲିଖନ ଜରୁରୀ’

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭାରତର ଇତିହାସକୁ ଭୁଲ ଭାବରେ ଲେଖାଯାଇଛି। ବର୍ତ୍ତମାନ ଲୋକଙ୍କୁ ଭୁଲ ଇତିହାସ ଶିକ୍ଷା ଦିଆଯାଉଛି। ଲୋକଙ୍କୁ ଭୀରୁ କରିବା ପାଇଁ ଅପଚେଷ୍ଟା ଚାଲିଛି। ଭାରତୀୟଙ୍କ ପାଇଁ ଇତିହାସର ପୁନର୍ଲିଖନ ଜରୁରୀ ହୋଇପଡ଼ିଛି ବୋଲି କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କହିଛନ୍ତି। ପ୍ରତାପଙ୍କ ଏପରି ମନ୍ତବ୍ୟକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ବିଜେଡି ଓ କଂଗ୍ରେସ ଏହି ମନ୍ତବ୍ୟକୁ ନାପସନ୍ଦ କରିଛନ୍ତି।

ଭୁବନେଶ୍ୱରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରତାପ କହିଲେ, ଭାରତର ପ୍ରଚଳିତ ଅନେକ ବର୍ଷର ଇତିହାସ ସମ୍ପୂର୍ଣ୍ଣ ଭ୍ରମାତ୍ମକ। ଇତିହାସରେ କେବଳ କିଛି ଆଦିବାସୀ ଗୋଷ୍ଠୀଙ୍କୁ ଛାଡ଼ିଦେଲେ ସମସ୍ତଙ୍କୁ ବିଦେଶୀ ବୋଲି ବର୍ଣ୍ଣନା କରାଯାଇଛି। ଭାରତୀୟ ଇତିହାସରେ ବ୍ୟକ୍ତିଗତ ସମ୍ମିଶ୍ରଣ ବୈଦିକ କାଳରୁ ରହିଆସିଛି। ସମାନତାର ମନ୍ତ୍ର ଆମ ପରମ୍ପରାରେ ସ୍ପଷ୍ଟ ରୂପେ ବିଦ୍ୟମାନ। ହେଲେ ଇତିହାସରେ ଅନେକ ଭୁଲ ତଥ୍ୟ ପ୍ରଦାନ କରାଯାଇଛି। ଯାହା ଲୋକଙ୍କ ମନରେ ଭ୍ରମ ସୃଷ୍ଟି କରିବା ସ୍ୱାଭାବିକ। ଭାରତରେ ଇତିହାସକୁ ଭ୍ରମାତ୍ମକ ରୀତିରେ ବିଦେଶୀ ଆକ୍ରାନ୍ତଙ୍କ ଦ୍ୱାରା ରଚନା କରାଯାଇଛି ବୋଲି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି।

ଭାରତୀୟ ଇତିହାସରେ ହିନ୍ଦୁ ଓ ଶିଖଙ୍କ ମଧ୍ୟରେ ଭିନ୍ନତା, ଉତ୍ତର ଭାରତୀୟ ଓ ଦକ୍ଷିଣ ଭାରତୀୟ ମଧ୍ୟରେ ଭିନ୍ନତା ଦର୍ଶାଇ ବିଭେଦ ସୃଷ୍ଟି କରିବା ପାଇଁ ପ୍ରୟାସ ହୋଇଛି। ସାରା ଭାରତୀୟ ଭାଷା ସଂସ୍କୃତ ଉପରେ ଆଧାରିତ। ସମସ୍ତ ଭାଷାର ସମାନତାର ସଂଯୋଜନା ହେଉଛି ସଂସ୍କୃତ। ଭାରତୀୟମାନଙ୍କ ଦେଶପ୍ରେମ ଓ ଗୌରବ ଭାବକୁ ସମାପ୍ତ କରିବା ପାଇଁ ଷଡ଼ଯନ୍ତ୍ର ଚାଲିଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।