ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ମହିଳା ଟିମ୍ ଘୋଷିତ: ଇନ୍ଦ୍ରାଣୀ ନୂଆମୁହଁ, ଟେଷ୍ଟ ଓ ଦିନିକିଆ ଟିମ୍‌ରେ ଶେଫାଳି ଓ ଶିଖା

ନୂଆଦିଲ୍ଲୀ,ଏଜେନ୍ସି: ଇଂଲଣ୍ଡ ଗସ୍ତ ପାଇଁ ଶୁକ୍ରବାର ବିସିସିଆଇ ପକ୍ଷରୁ ୨୧ ଜଣିଆ ଭାରତୀୟ ମହିଳା ଟିମ୍ ଘୋଷଣା କରାଯାଇଛି। ପୂର୍ବପରି ମିତାଲୀ ରାଜଙ୍କୁ ଟେଷ୍ଟ ଓ ଦିନିକିଆ ଟିମ୍‌ର ନେତୃତ୍ୱ ପ୍ରଦାନ କରାଯାଇଥିବା ବେଳେ ଟି-୨୦ ଟିମ୍‌ର ନେତୃତ୍ୱ ହରମନପ୍ରୀତ୍ କୌର୍‌ଙ୍କ ଉପରେ ନ୍ୟସ୍ତ କରାଯାଇଛି। ୧୭ ବର୍ଷୀୟା ଯୁବ ବ୍ୟାଟ୍ସଓମ୍ୟାନ୍ ଶେଫାଳି ବର୍ମାଙ୍କୁ ପ୍ରଥମ ଥର ପାଇଁ ଉଭୟ ଟେଷ୍ଟ ଓ ଦିନିକିଆ ଟିମ୍‌ରେ ସାମିଲ କରାଯାଇଛି। ସେହିପରି ସାଉଥ୍ ଆଫ୍ରିକା ବିପକ୍ଷ ଘରୋଇ ଦିନିକିଆ ସିରିଜ୍‌ରୁ ବାଦ୍ ଦିଆଯାଇଥିବା ଶିଖା ପାଣ୍ଡେ ଓ ତାନିୟା ଭାଟିଆଙ୍କୁ ମଧ୍ୟ ଉଭୟ ଟେଷ୍ଟ ଓ ଦିନିକିଆ ଟିମ୍‌ରେ ସ୍ଥାନ ମିଳିଛି। ଅନ୍ୟପକ୍ଷରେ ୨୭ ବର୍ଷୀୟା ସ୍ନେହ ରାଣାଙ୍କର ୫ ବର୍ଷ ପରେ ଟିମ୍‌କୁ ପ୍ରତ୍ୟାବର୍ତ୍ତନ ଘଟିଛି। ୨୦୧୬ ଫେବୃଆରୀରେ ସେ ଶେଷ ମ୍ୟାଚ୍ ଖେଳିଥିଲେ। ଏହାଛଡ଼ା ୱିକେଟ୍‌କିପର୍‌-ବ୍ୟାଟ୍ସଓମ୍ୟାନ୍ ଇନ୍ଦ୍ରାଣୀ ରୟଙ୍କୁ ଘରୋଇ ଦିନିକିଆ କ୍ରିକେଟ୍‌ରେ ଉନ୍ନତ ପ୍ରଦର୍ଶନ କାରଣରୁ ତିନିଟିଯାକ ଫର୍ମାଟ୍ ପାଇଁ ଦଳରେ ସାମିଲ୍ କରାଯାଇଛି।

ଭାରତର ଇଂଲଣ୍ଡ ଗସ୍ତ ଆସନ୍ତା ମାସରେ ହେବାକୁ ଥିବାବେଳେ ଜୁନ୍ ୧୬ରୁ ଜୁଲାଇ ୧୫ ତାରିଖ ମଧ୍ୟରେ ଭାରତ ଗୋଟିଏ ଟେଷ୍ଟ, ୩ଟି ଦିନିକିଆ ଓ ୩ଟି ଟି-୨୦ ମ୍ୟାଚ୍ ଖେଳିବ। ବାମହାତୀ ସ୍ପିନର୍ ରାଜେଶ୍ୱରୀ ଗାଏକ୍‌ୱାଡ୍‌ଙ୍କୁ ଟିମ୍‌ରେ ସ୍ଥାନ ମିଳିନାହିଁ। ସେ କରୋନା ସଂକ୍ରମିତ ଥିବା କୁହାଯାଉଛି। ଭର୍ଚୁଆଲ୍ ବୈଠକ ମାଧ୍ୟମରେ ଟିମ୍ ଚୟନ ହୋଇଥିବା ବେଳେ ଏଥିରେ ଚୟନକର୍ତ୍ତା ଓ ମୁଖ୍ୟ କୋଚ୍ ରମେଶ ପାୱାର୍‌ଙ୍କ ସହ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଓ ସମ୍ପାଦକ ଜୟ ଶାହା ଭାଗ ନେଇଥିଲେ।

୨୦୧୪ ନଭେମ୍ବର ପରେ ଭାରତୀୟ ମହିଳା ଟିମ୍ ପ୍ରଥମ ଥର ପାଇଁ ଟେଷ୍ଟ ମ୍ୟାଚ୍ ଖେଳିବ। ଶେଷ ଥର ପାଇଁ ଟିମ୍ ସାଉଥ୍ ଆଫ୍ରିକା ବିପକ୍ଷରେ ଟେଷ୍ଟ ମ୍ୟାଚ୍ ଖେଳିଥିଲା। ସେତେବେଳେ ମଧ୍ୟ ଟିମ୍ ୮ ବର୍ଷ ପରେ ଦୁଇଟି ଟେଷ୍ଟ ଖେଳିଥିଲା। ଅର୍ଥାତ୍ ୧୫ ବର୍ଷ ମଧ୍ୟରେ ଭାରତୀୟ ମହିଳା ଟିମ୍ ମାତ୍ର ୨ଟି ହିଁ ଟେଷ୍ଟ ମାଚ୍ ଖେଳିଛି। ଶୁକ୍ରବାର ଟେଷ୍ଟ ମ୍ୟାଚ୍ ପାଇଁ ଚୟନ କରାଯାଇଥିବା ଟିମ୍‌ର କେବଳ ୮ ଖେଳାଳିଙ୍କ ପାଖରେ ଟେଷ୍ଟ ଅଭିଜ୍ଞତା ରହିଛି। ସେମାନେ ହେଲେ ଅଧିନାୟିକା ମିତାଲି, ଉପଅଧିନାୟିକା ହରମନପ୍ରୀତ୍‌, ପୁନମ ରାଉତ, ଝୁଲନ୍ ଗୋସ୍ୱାମୀ, ସ୍ମୃତି ମନ୍ଧାନା, ଶିଖା ପାଣ୍ଡେ, ପୁନମ ଯାଦବ ଓ ଏକତା ବିଷ୍ଟ।

ଝାଡ଼ଖଣ୍ଡର ୱିକେଟ୍‌କିପର୍ ବ୍ୟାଟ୍ସଓମ୍ୟାନ୍ ଇନ୍ଦ୍ରାଣୀ ଗତ ମାର୍ଚ୍ଚ-ଏପ୍ରିଲ୍‌ରେ ଖେଳାଯାଇଥିବା ଘରୋଇ ଦିନିକିଆ ଟୁର୍ଣ୍ଣାମେଣ୍ଟ୍‌ରେ ୭୬ ହାର ଏବଂ ୮୬.୫୨ ଷ୍ଟ୍ରାଇକ୍ ରେଟ୍‌ରେ ସର୍ବାଧିକ ୪୫୬ ରନ୍ କରିଥିଲେ। ଇନ୍ଦ୍ରାଣୀ ଏହି ସିଜନ୍‌ରେ ୪୦୦ରୁ ଅଧିକ ରନ୍ କରିବାରେ ଏକମାତ୍ର ବ୍ୟାଟ୍ସଓମ୍ୟାନ୍ ଥିଲେ। ସେ ଛତିଶଗଡ଼ ବିପକ୍ଷରେ ଶତକ (ଅପରାଜିତ ୧୦୩) କରିଥିଲେ। ସେହିପରି କର୍ଣ୍ଣାଟକ ବିପକ୍ଷରେ ୮୬ ରନ୍‌ର ଆକର୍ଷଣୀୟ ଇନିଂସ୍ ଖେଳିଥିଲେ।
ଏହାଛଡ଼ା ସିମ୍ ବୋଲିଂ ଅଲ୍‌ରାଉଣ୍ଡର୍ ଶିଖା ପାଣ୍ଡେ, ବାମହାତୀ ସ୍ପିନର୍ ଏକତା ବିଷ୍ଟ ଓ ୱିକେଟ୍‌କିପର୍‌-ବ୍ୟାଟ୍ସଓମ୍ୟାନ୍ ତାନିୟା ଭାଟିୟାଙ୍କର ଟିମ୍‌କୁ ପ୍ରତ୍ୟାବର୍ତ୍ତନ ଘଟିଛି । ସେମାନଙ୍କୁ ଗତ ସାଉଥ୍ ଆଫ୍ରିକା ବିପକ୍ଷ ଦିନିକିଆ ଏବଂ ଟି-୨୦ ସିରିଜ୍‌ରୁ ବାଦ୍ ଦିଆଯାଇଥିଲା।

ଟେଷ୍ଟ ଓ ଦିନିକିଆ ଟିମ୍‌: ମିତାଲୀ ରାଜ (ଅଧିନାୟିକା), ହରମନପ୍ରୀତ୍ କୌର୍ (ଉପଅଧିନାୟିକା), ସ୍ମୃତି ମନ୍ଧାନା, ପୁନମ ରାଉତ, ପ୍ରିୟା ପୁନିଆ, ଦୀପ୍ତି ଶର୍ମା, ଜେମିମା ରଡରିଗ୍ସ, ଶେଫାଳି ବର୍ମା, ସ୍ନେହ ରାଣା, ତାନିୟା ଭାଟିଆ (ୱିକେଟ୍‌କିପର୍‌), ଇନ୍ଦ୍ରାଣୀ ରୟ (ୱିକେଟ୍‌କିପର୍‌), ଝୁଲନ ଗୋସ୍ୱାମୀ, ଶିଖା ପାଣ୍ଡେ, ପୂଜା ବସ୍ତ୍ରାକର, ଅରୁନ୍ଧତୀ ରେଡ୍‌ୀ, ପୁନମ ଯାଦନ, ଏକତା ବିଷ୍ଟ ଓ ରାଧା ଯାଦବ।

ଟି-୨୦ ଟିମ୍‌: ହରମନପ୍ରୀତ୍ କୌର୍ (ଅଧିନାୟିକା), ସ୍ମୃତି ମନ୍ଧାନା (ଉପଅଧିନାୟିକା), ଦୀପ୍ତି ଶର୍ମା, ଜେମିମା ରଡରିଗ୍ସ, ଶେଫାଳି ବର୍ମା, ରିଚା ଘୋଷ, ହର୍ଲିନ୍ ଦେଓଲ, ସ୍ନେହ ରାଣା, ତାନିଆ ଭାଟିଆ (ୱିକେଟ୍‌କିପର୍‌), ଇନ୍ଦ୍ରାଣୀ ରୟ (ୱିକେଟ୍‌କିପର୍‌), ଶିଖା ପାଣ୍ଡେ, ପୂଜା ବସ୍ତ୍ରାକାର, ଅରୁନ୍ଧତୀ ରେଡ୍ଡୀ, ପୁନମ ଯାଦବ, ଏକତା ବିଷ୍ଟ, ରାଧା ଯାଦବ ଓ ସିମରନ୍ ଦିଲ୍ ବାହାଦୁର।