ଆଗାମୀ ଦଶକରେ ଭାରତ ବିଶ୍ୱ ଉର୍ଜା ଚାହିଦାର କେନ୍ଦ୍ରବିନ୍ଦୁ ହେବ: ଧର୍ମେନ୍ଦ୍ର ପ୍ରଧାନ

ଇଣ୍ଡିଆନ୍ ଏନର୍ଜି ଫୋରମର ଉଦଘାଟନ ଉତ୍ସବ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଗାମୀ ଦଶକଗୁଡିକରେ ଭାରତ ବିଶ୍ୱ ଉର୍ଜା ଚାହିଦାର କେନ୍ଦ୍ରବିନ୍ଦୁ ହେବ ବୋଲି ନୂଆଦିଲ୍ଲୀ ଠାରେ ଇଣ୍ଡିଆନ୍ ଏନର୍ଜି ଫୋରମ୍ ର ଅନ୍ତରାଷ୍ଟ୍ରୀୟ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ କହିଛନ୍ତି ଆଜି ଦିନରେ ଆମେରିକା ଓ ଚୀନ୍ ପରେ ଭାରତ ବିଶ୍ୱର ତୃତୀୟ ବୃହତ ଉର୍ଜା ବ୍ୟବହାରକାରୀ ରାଷ୍ଟ୍ର। ଭାରତ ବିଶ୍ୱର ଷଷ୍ଠ ବୃହତ୍ ଅର୍ଥନୀତି ହୋଇଥିବା ବେଳେ ଉର୍ଜା ବ୍ୟବହାର କ୍ଷେତ୍ରରେ ତୃତୀୟ ସ୍ଥାନରେ ରହିବା; ଭାରତ ଆଗାମୀ ଦିନରେ ବିଶ୍ୱ ଉର୍ଜା ବ୍ୟବହାର ନେତୃତ୍ୱ ନେବା ସମ୍ଭାବନାର ପ୍ରମାଣ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାଇବ୍ରାଣ୍ଟ୍ ଗଣତନ୍ତ୍ର, ସ୍ଥିର ସରକାର ଓ ନୀତି, ଅର୍ଥନୈତିକ ସଂସ୍କାର ଆଧାରିତ ଅର୍ଥ ବ୍ୟବସ୍ଥା, ଦୃଢ ଢାଞ୍ଚାଗତ ବ୍ୟବସ୍ଥା ଓ ସର୍ବୋପରି ଉଚ୍ଚାଭିଳାଷୀ ଭାରତୀୟ ସମାଜ ଓ ଯୁବପିଢି ପାଇଁ ଦେଶ ୫ ମିଲିୟନ୍ ଆମେରିକୀୟ ଡଲାର ଅର୍ଥବ୍ୟବସ୍ଥା ଆଡକୁ ଦ୍ରୁତ ଅଗ୍ରସର ହେଉଛି। ଏହି ଦ୍ରୁତ ଅଭିବୃଦ୍ଧି ଅଭିମୁଖୀ ଭାରତୀୟ ଅର୍ଥ ବ୍ୟବସ୍ଥାରେ ଉର୍ଜା କ୍ଷେତ୍ର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ।

ଶ୍ରୀ ପ୍ରଧାନ କହିଛନ୍ତି ଭାରତରେ ଉତ୍ତମ ବ୍ୟବସାୟ ବାତାବରଣ ଥିବା କାରଣରୁ ବିଶ୍ୱର ଆଗୁଆ ତୈଳ ଓ ଗ୍ୟାସ୍ କ୍ଷେତ୍ରର କମ୍ପାନୀମାନେ ଏଠାରେ ପୁଞ୍ଜି ନିବେଶ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ଏଥିପାଇଁ ଦେଶର ଦ୍ରୁତ ଆର୍ଥିକ ବିକାଶ ଦିଗରେ ତୈଳ ଓ ଗ୍ୟାସ୍ କ୍ଷେତ୍ରରେ ବଡ ଯୋଗଦାନ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଭାରତକୁ କମ୍ କାର୍ବନ ନିଗର୍ମନ ଅର୍ଥ ବ୍ୟବସ୍ଥା କରିବାପାଇଁ ତଥା ଉର୍ଜାର ନିରନ୍ତର ଆବଶ୍ୟକତା ପୂରଣ ପାଇଁ ମୋଦୀ ସରକାର ଭାରତକୁ ଗ୍ୟାସ୍ ଆଧାରିତ ଅର୍ଥନୀତି କରିବାପାଇଁ ଯୋଜନାବଦ୍ଧ ଉଦ୍ୟମ ଜାରୀ ରଖିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଆଜି ଦିନରେ ଭାରତର ମୁଣ୍ଡପିଛା କାର୍ବନ ଗ୍ୟାସ୍ ନିଗର୍ମନ ବିଶ୍ୱର ହାରାହାରି ହାର ଠାରୁ କମ୍ ରହିଛି। ଭାରତକୁ ଗ୍ୟାସ୍ ଆଧାରିତ ଅର୍ଥବ୍ୟବସ୍ଥା କରିବାପାଇଁ ୬୦ ନିୟୁତ ଆମେରିକୀୟ ଡଲାର ବ୍ୟୟବରାଦରେ ଗ୍ୟାସ୍ ଭିତ୍ତିଭୂମି ଯଥା ଗ୍ୟାସ୍ ପାଇପ୍ଲାଇନ୍, ଟର୍ମିନାଲ, ସିଟି ଗ୍ୟାସ୍ ବିତରଣ ବ୍ୟବସ୍ଥା ଆଦି ବିଭିନ୍ନ କାର୍ଯ୍ୟ କ୍ରିୟାନ୍ୱୟନ ଚାଲିଛି। ଉର୍ଜାର ନିରନ୍ତର ଯୋଗାଣ ସୁନିଶ୍ଚିତ କରିବାପାଇଁ ଜୈବ ଉର୍ଜା ଉପରେ ଭାରତ ସରକାର ଯଥେଷ୍ଟ ଗୁରୁତ୍ୱ ଦେଉଛନ୍ତି। ଦେଶର ନୂଆ ଜୈବ ଉର୍ଜା ନୀତି ଦେଶର ଅନ୍ନଦାତା କୃଷକଙ୍କୁ ଉର୍ଜାଦାତା କରିବାପାଇଁ ବିଧିବଦ୍ଧ ଯୋଜନା କ୍ରିୟାନ୍ୱିତ କରୁଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Comments are closed.