ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀରର ଅନନ୍ତନାଗରେ ସେନାର ୩ ଅଧିକାରୀଙ୍କ ମୃତ୍ୟୁ ହେବା ପରେ ବଡ଼ ଅପରେସନ ଜାରି ରହିଛି । ସେନା ପକ୍ଷରୁ ଲୁଚି ରହିଥିବା ଆତଙ୍କବାଦୀଙ୍କୁ ଚର୍ତୁଦିଗରୁ ଘେରା ଯାଇଛି । ସମଗ୍ର କ୍ଷେତ୍ର ଉପରେ ନଜର ରଖିବା ପାଇଁ ସେନା ଏବଂ ସ୍ଥାନୀୟ ପୁଲିସ ସହିତ ସୁରକ୍ଷାବଳକୁ ଛୋଟ କ୍ୱାଡକୋପ୍ଟର ଓ ବଡ଼ ଡ୍ରୋନ ଦ୍ୱାରା ସହାୟତା ପ୍ରଦାନ କରାଯାଇଛି । ଏହାପୂର୍ବରୁ ଚିନାର କୋର କମାଣ୍ଡର ଲେଫ୍ଟନେଣ୍ଟ ଜେନେରାଲ ରାଜୀବ ଘଈ ଏବଂ ରାଷ୍ଟ୍ରୀୟ ରାଇଫଲ୍ସର ବିକ୍ଟର ଫୋର୍ସ କମାଣ୍ଡର ମେଜର ଜେନେରାଲ ବଲବୀର ସିଂହ ଘଟଣାସ୍ଥଳ ଗସ୍ତ କରିଥିଲେ ।
ସେନା ପକ୍ଷରୁ କୁହାଯାଇଛି ଯେ, ଏହି ଅଭିଯାନରେ ସୁରକ୍ଷାକର୍ମୀ ଅତ୍ୟଧିକ ସକ୍ଷମ ନୀରିକ୍ଷଣ ପୋଡଯୁକ୍ତ ଡ୍ରୋନ ଲଗାତାର ଜଙ୍ଗଲ ଅଞ୍ଚଳରେ ଉଡ଼ାଣ ଭରିଛି । ଏହାସହ ଆବଶ୍ୟକ ପଡ଼ିଲେ ସୁରକ୍ଷାକର୍ମୀ ଅନ୍ଧାରରେ ବିନା କୌଣସି ବାଧାରେ କାମ କରିବା ଲାଗି ରାତିରେ ଦିଶିବା ଭଳି ଉପକରଣ ଉପଯୋଗ କରୁଛନ୍ତି । ଚିନାର କୋର ଲଗାତାର ସ୍ଥିତି ଉପରେ ନଜର ରଖୁଛି।