ନାକୁ ଲା’ ସୀମାରେ ଭାରତୀୟ ଓ ଚୀନ ସୈନ୍ୟ ହାତାହାତି

ନୂଆଦିଲ୍ଲୀ,ଏଜେନ୍ସି: ଭାରତ ସଂଲଗ୍ନ ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି)ରେ ଚୀନ ସୈନ୍ୟଙ୍କ ଦାଦାଗିରି ପୁଣି ଥରେ ଦେଖିବାକୁ ମିଳିଛି। ଭାରତର ପଶ୍ଚିମାଞ୍ଚଳ ଲଦାଖରେ ଚୀନ୍ ଏବେମଧ୍ୟ ଉତ୍ତେଜନା ଜାରି ରଖିଥିବାବେଳେ ଗତ ସପ୍ତାହରେ ପୂର୍ବ ସୀମାରେ ଅର୍ଥାତ ସିକିମସ୍ଥିତ ନାକୁ ଲା’ ପାସ୍ ନିକଟରେ ଚୀନ୍ ଓ ଭାରତୀୟ ସୈନ୍ୟଙ୍କ ମଧ୍ୟରେ ମାରପିଟ୍ ଘଟଣା ଘଟିଛି। ଏଥିରେ ଉଭୟପକ୍ଷର କେତେକ ଯବାନ ଆହତ ହୋଇଥିବା ଜଣାପଡିଛି। ଏଠାରେ କେତେକ ଚୀନ୍ ସୈନ୍ୟ ଏଲଏସି ଅତିକ୍ରମ କରି ଭାରତୀୟ ଅଞ୍ଚଳକୁ ଅନୁପ୍ରବେଶ ଉଦ୍ୟମ କରିଥିବାବେଳେ ଭାରତୀୟ ଯବାନ ସେମାନଙ୍କୁ ବାଧା ଦେଇଥିଲେ। ଫଳରେ ଉଭୟପକ୍ଷ ମଧ୍ୟରେ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା। ବିଗତ ଏକ ବର୍ଷ ମଧ୍ୟରେ ସିକିମ ସୀମାରେ ଚୀନ ସୈନ୍ୟ ଦ୍ୱିତୀୟ ଥର ପାଇଁ ଏଭଳି ଦୁଃସାହସ କରିଛନ୍ତି। ୨୦୨୦ ମେ’ରେ ନାକୁ ଲା’ ପାସରେ ଚୀନ୍ ସୈନ୍ୟଙ୍କ ଅନୁପ୍ରବେଶ ରୋକିବାକୁ ଯାଇ ଭାରତୀୟ ଯବାନଙ୍କ ସହ ସେମାନଙ୍କର ମାରପିଟ୍ ହୋଇଥିଲା। ଏଥିରେ ଭାରତର ୪ ଓ ଚୀନର ୭ ଜଣ ସୈନ୍ୟ ଆହତ ହୋଇଥିଲେ।

ଏହି ଘଟଣାରେ ଉଭୟପକ୍ଷର ପ୍ରାୟ ୧୫୦ ସୈନ୍ୟ ସଂପୃକ୍ତ ଥିଲେ ବୋଲି ସ୍ଥଳସେନା ପକ୍ଷରୁ ସେତେବେଳେ ଜାରି କରାଯାଇଥିବା ବିବୃତିରେ କୁହାଯାଇଥିଲା। ସାଧାରଣତଃ ନାକୁ ଲା’ ସୀମାରେ ଭାରତ-ଚୀନ ସୈନ୍ୟଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିନଥାଏ। ତେବେ ଲଦାଖ୍ ସ୍ଥିତି ଉପୁଜିବା ପରଠାରୁ ଚୀନ୍ ପୂର୍ବ ସୀମାରେ ମଧ୍ୟ ଭାରତୀୟ ସେନାର ଶକ୍ତିକୁ ପରୀକ୍ଷା କରିବା ଆରମ୍ଭ କରିଛି। ସମୁଦ୍ର ପତନଠାରୁ ୫୦୦୦ ମିଟର ଉଚ୍ଚରେ ଅବସ୍ଥିତ ନାକୁ ଲା’ରେ ବିଗତ ଏକବର୍ଷ ମଧ୍ୟରେ ଚାରିଥର ଏଭଳି ମୁହାଁମୁହିଁ ଅବସ୍ଥା ଦେଖିବାକୁ ମିଳିଛି।