ଭାରତ-ସାଉଥ୍ ଆଫ୍ରିକା ଦ୍ୱିତୀୟ ଟି-୨୦: ୭ ୱିକେଟରେ ଜିତିଲା ଭାରତ

ମୋହାଲି: ଚଳିତ ସାଉଥ୍ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍ରେ ଭାରତ ୧-୦ରେ ଅଗ୍ରଣୀ ଲାଭ କରିଛି। ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍ର ପ୍ରଥମ ମ୍ୟାଚ୍ଟି ଧର୍ମଶାଳାଠାରେ ଗତ ରବିବାର ବର୍ଷା କାରଣରୁ ବାତିଲ୍ ହେବା ପରେ ବୁଧବାର ଦ୍ୱିତୀୟ ଟି-୨୦ଟି ଏଠାକାର ପିସିଏ ଷ୍ଟାଡିୟମରେ ଖେଳାଯାଇଛି। ଏଥିରେ ପ୍ରଥମେ ବ୍ୟାଟିଂ ସୁଯୋଗ ପାଇ ସାଉଥ୍ ଆଫ୍ରିକା ୫ ୱିକେଟ୍ ବିନିମୟରେ ୧୪୯ ରନ୍ କରିଥିଲା। ଜବାବରେ ଭାରତ ଅଧିନାୟକ ବିରାଟ କୋହଲିଙ୍କ ଅପରାଜିତ ଅର୍ଦ୍ଧଶତକ ସହାୟତାରେ ମାତ୍ର ୩ଟି ୱିକେଟ୍ ହରାଇ ୧୫୧ ରନ୍ କରି ୭ ୱିକେଟ୍ରେ ବିଜୟୀ ହୋଇଛି।

ଚେଜ୍ ମାଷ୍ଟର୍ ଭାବେ ଜଣାଶୁଣା କୋହଲି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। ପ୍ରଥମେ ବ୍ୟାଟିଂ ସୁଯୋଗ ପାଇ ସାଉଥ୍ ଆଫ୍ରିକା ପକ୍ଷରୁ ଦୁଇ ଓପନର ରିଜା ହେଣ୍ଡ୍ରିକ୍ସ ଓ ଅଧିନାୟକ କ୍ୱିଣ୍ଟନ୍ ଡି’କକ୍ ୩୩ ରନ୍ ଯୋଡ଼ିଥିଲେ। ଏଥିରେ ସିଂହଭାଗ ରନ୍ ପ୍ରଥମ ଥର ଅନ୍ତର୍ଜାତୀୟ ମ୍ୟାଚ୍ରେ ନେତୃତ୍ୱ ନେଉଥିବା ଡି’କକ୍ ସଂଗ୍ରହ କରିଥିଲେ। ଅନ୍ୟପକ୍ଷରେ ହେଣ୍ଡ୍ରିକ୍ସ ୧୧ ବଲ୍ ଖେଳି ଗୋଟିଏ ଚୌକା ଜରିଆରେ ୬ ରନ୍ କରି ଆଉଟ୍ ହୋଇଥିଲେ।

ଭାରତକୁ ଏହି ପ୍ରଥମ ସଫଳତା ଦେଇଥିଲେ ଦୀପକ ଚହର୍। ହେଣ୍ଡ୍ରିକ୍ସଙ୍କ ସ୍ଥାନ ପୂରଣ କରିବା ସକାଶେ ଆସିଥିବା ଟେମ୍ବା ବାଭୁମା ଓ ଅଧିନାୟକ ଡି’କକ୍ଙ୍କ ମଧ୍ୟରେ ୫୭ ରନ୍ର ଭାଗୀଦାରୀ ହୋଇଥିଲା। ଇତିମଧ୍ୟରେ ଡି’କକ୍ ତାଙ୍କର ଅର୍ଦ୍ଧଶତକ ପୂରଣ କରିଥିଲେ। କିନ୍ତୁ ଏହା ପରେ ପରେ ସେ କୋହଲିଙ୍କ ଏକ ଚିତ୍ତାକର୍ଷକ କ୍ୟାଚ୍ରେ ପ୍ୟାଭିଲିଅନ୍ ଫେରିଥିଲେ। ଭାରତ ପକ୍ଷରୁ ଦୀପକ ସର୍ବାଧିକ ୨ଟି ୱିକେଟ୍ ନେଇଥିଲେ।

ଜବାବରେ ଭାରତୀୟ ଦଳର ଉପଅଧିନାୟକ ତଥା ଓପନର ରୋହିତ ଶର୍ମା ମାତ୍ର ୧୨ ରନ୍ କରି ପ୍ୟାଭିଲିଅନ୍ ଫେରିଥିଲେ। କିନ୍ତୁ ଅଧିନାୟକ କୋହଲି ଓ ଅନ୍ୟତମ ଓପନର ଶିଖର ଧୱନ୍ଙ୍କ ମଧ୍ୟରେ ୬୧ ରନ୍ର ବଳିଷ୍ଠ ଭାଗୀଦାରୀ ହେବା ଫଳରେ ଭାରତର ବିଜୟ ସହଜ ହୋଇଥିଲା। ଧୱନ୍ ବ୍ୟକ୍ତିଗତ ଭାବେ ୩୧ ବଲ୍ରେ ୪୦ ରନ୍ କରିଥିଲେ। ଅଧିନାୟକ କୋହଲି ତାଙ୍କର ୨୨ତମ ଅର୍ଦ୍ଧଶତକ ହାସଲ କରିବା ସହ ଶ୍ରେୟସ୍ ଆୟର୍ଙ୍କ ସହ ମିଶି ଦଳକୁ ବିଜୟୀ କରାଇଥିଲେ। ସେ ୫୨ ବଲ୍ ଖେଳି ୭୨ ରନ୍ କରିଥିଲେ। ସିରିଜ୍ର ତୃତୀୟ ତଥା ଚୂଡ଼ାନ୍ତ ଟି-୨୦ ଆସନ୍ତା ୨୨ ତାରିଖରେ ବେଙ୍ଗାଲୁରୁଠାରେ ଖେଳାଯିବ।