ରୋହିତ ଶର୍ମା ପ୍ଲେୟର ଅଫ୍ ଦି ମ୍ୟାଚ୍ ଓ ସିରିଜ୍ : ଭାରତର ସିରିଜ୍ କ୍ଲିନ୍ ସ୍ୱିପ୍

ରାଂଚି, ଏଜେନ୍ସି: ଏଠାରେ ମଙ୍ଗଳବାର ଶେଷ ହୋଇଥିବା ତୃତୀୟ ତଥା ଶେଷ ଟେଷ୍ଟରେ ଭାରତ ଏକ ଇନିଂସ ଓ ୨୦୨ ରନରେ ସାଉଥ୍ ଆଫ୍ରିକାକୁ ପରାସ୍ତ କରିଛି। ଏହା ଫଳରେ ଦୁଇ ଦେଶ ମଧ୍ୟରେ ଶେଷ ହୋଇଥିବା ୩ ମ୍ୟାଚ୍ ଟେଷ୍ଟ ସିରିଜରେ ଭାରତ କ୍ଲିନ୍ ସ୍ୱିପ୍ କରିଛି। ଏହା ପୂର୍ବରୁ ଘରୋଇ ଦଳ ବିଶାଖାପାଟଣାରେ ଅନୁଷ୍ଠିତ ପ୍ରଥମ ଟେଷ୍ଟକୁ ୨୦୩ ରନ୍ ଏବଂ ପୁଣେରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟକୁ ଏକ ଇନିଂସ ଓ ୧୩୭ ରନ୍ରେ ବିଜୟୀ ହୋଇଥିଲା। ଏଠାରେ ଅନୁଷ୍ଠିତ ତୃତୀୟ ଟେଷ୍ଟରେ ଦ୍ୱିଶତକ ହାସଲ କରିଥିବା ଭାରତୀୟ ଓପନର ରୋହିତ ଶର୍ମା (୨୧୨)ଙ୍କୁ ପ୍ଲେୟର ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଛି। ସେହିପରି ଚଳି ସିରିଜରେ ପ୍ରଥମଥର ଟେଷ୍ଟ ଓପନିଂ କରିଥିବା ରୋହିତ ମଧ୍ୟ ୪ଟି ଇନିଂସରେ ୩ଟି ଶତକ ସହ ୫୨୯ ରନ୍ ସଂଗ୍ରହ କରି ସିରିଜରେ ବେଷ୍ଟ ପ୍ଲେୟର ପୁରସ୍କାର ପାଇଛନ୍ତି। ଏହି ବିଜୟ ଫଳରେ ଭାରତ ୨୪୦ ପଏଣ୍ଟ ପାଇ ଟେଷ୍ଟ ଚାମ୍ପିଅନଶିପରେ ପ୍ରଥମ ସ୍ଥାନରେ ରହିଛି। ଟେଷ୍ଟ ସିରିଜ୍ ପୂର୍ବରୁ ଦୁଇ ଦେଶ ମଧ୍ୟରେ ଖେଳାଯାଇଥିବା ଟି-୨୦ ସିରିଜ୍ରେ ଭାରତ ୨-୦ରେ ବିଜୟୀ ହୋଇଥିଲା।ବର୍ଷା ଯୋଗୁଁ ପ୍ରଥମ ଟି-୨୦କୁ ବାତିଲ କରିବାକୁ ପଡ଼ିଥିଲା। ଏହା ପରେ ଭାରତ ଘରୋଇ ମାଟିରେ ବାଂଲାଦେଶ ସହ ଟି-୨୦ ଏବଂ ଟେଷ୍ଟ ସିରିଜ୍ ଖେଳିବାର କାର୍ଯ୍ୟକ୍ରମ ରହିଛି।

ଏହି ମ୍ୟାଚରେ ଭାରତ ୯ ୱିକେଟ ହରାଇ ୪୯୭ ରନ୍ରେ ପ୍ରଥମ ଇନିଂସ ଘୋଷଣା କରିବା ପରେ ସାଉଥ୍ ଆଫ୍ରିକା ୧୬୨ ରନ୍ରେ ଅଲଆଉଟ ହୋଇଯାଇଥିଲା। ଫଲୋଅନ୍ ହେବାପରେ ସାଉଥ୍ ଆଫ୍ରିକା ଦ୍ୱିତୀୟ ଇନିଂସରେ ୧୩୩ ରନ୍ କରିବାକୁ ସମର୍ଥ ହୋଇଥିଲା। ମଙ୍ଗଳବାର ମ୍ୟାଚର ଚତୁର୍ଥ ଦିନରେ ମାତ୍ର ୧୦ ମିନିଟରେ ଖେଳ ଶେଷ ହୋଇ ଯାଇଥିଲା। ଏଥିରେ ୨ ଓଭର ଖେଳି ସାଉଥ୍ ଆଫ୍ରିକା ତାହାର ଅବଶିଷ୍ଟ ୨ଟି ୱିକେଟ ହରାଇଥିଲା। ଭ୍ରମଣକାରୀ ଦଳ ପୂର୍ବଦିନର ଦ୍ୱିତୀୟ ଇନିଂସ ସ୍କୋର ୪୬ ଓଭରରେ ୮ ୱିକେଟ ହରାଇ ୧୩୨ ରନରୁ ଖେଳ ଆରମ୍ଭ କରିଥିଲା। ମହମ୍ମଦ୍ ସାମି ଚତୁର୍ଥଦିନର ପ୍ରଥମ ତଥା ଇନିଂସର ୪୭ତଭ ଓଭର ବୋଲିଂ କରିଥିଲେ। ଏଥିରେ ଲେଗବାଇରୁ ଗୋଟିଏ ରନ୍ ହୋଇଥିଲା।

ଏହାର ପର ଓଭର ବୋଲିଂ କରିଥିଲେ ବାମହାତୀ ସ୍ପିନର ତଥା ଏଠାରରେ ଡେବ୍ୟୁ କରିଥିବା ସ୍ଥାନୀୟ ଖେଳାଳି ଶାହାବାଜ୍ ନଦୀମ। ସେ ଏହି ଓଭରର ୫ମ ଏବଂ ୬ଷ୍ଠ ବଲରେ ପ୍ରତିପକ୍ଷ ଦଳର ଦୁଇଜଣ ବ୍ୟାଟ୍ସମ୍ୟାନଙ୍କୁ ଆଉଟ କରିବା ସହ ଭାରତକୁ ଇନିଂସ ବିଜୟ ପ୍ରଦାନ କରିଥିଲେ। ପୂର୍ବଦିନ ଅପରାଜିତ ରହିଥିବା ବ୍ୟାଟ୍ସମ୍ୟାନ୍ ଥେଉନିସ୍ ଡି ବ୍ରୁଇନ୍ ତାଙ୍କ ସ୍କୋର ୩୦ରେ ଆଉ କିଛି ଯୋଗ କରିବା ପୂର୍ବରୁ ପାଭିଲିୟନ ଫେରିଯାଇଥିଲେ। ନଂ-୧୧ ବ୍ୟାଟ୍ସମ୍ୟାନ୍ ଲୁଙ୍ଗି ନିଗିଡି ଗୋଟିଏ ବଲରେ ଆଉଟ ହୋଇଥିଲେ। ସାଉଥ୍ ଆଫ୍ରିକା ଦ୍ୱିତୀୟ ଇନିଂସରେ ମହମ୍ମଦ୍ ସାମି ୩ଟି ଓ ଉମେଶ ଯାଦବ ୨ଟି ୱିକେଟ ନେଇଥିଲେ। ସେହିପରି ନଦୀମଙ୍କୁ ୨ଟି, ରବୀନ୍ଦ୍ର ଜାଡେଜା ଓ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଥିଲା। ସାଉଥ୍ ଆଫ୍ରିକାର ଜଣେ ବ୍ୟାଟ୍ସମ୍ୟାନ୍ ଜର୍ଜ ଲିଣ୍ଡେ ରନ୍ ଆଉଟ ହୋଇଥିଲେ। ଓପନର ଡିନ୍ ଏଲଗାର ରିଟାୟର୍ଡ ହର୍ଟ ହୋଇଥିଲାବେଳେ ଆଇସିସିର ନୂଆ କନକସସ ନିୟମ ଅନୁଯାୟୀ ତାଙ୍କ ସ୍ଥାନରେ ଡି ବ୍ରୁଇନ୍ ଖେଳିଥିଲେ।

ନଭେମ୍ବର ୩ରୁ ବାଂଲା ବିପକ୍ଷ ସିରିଜ୍
ସାଉଥ୍ ଆଫ୍ରିକା ସିରିଜ୍ ଶେଷ ପରେ ଭାରତୀୟ କ୍ରିକେଟ ଦଳ ବାଂଲାଦେଶ ସହ ୩ଟି ଟି-୨୦ ଓ ୨ଟି ଟେଷ୍ଟ ଖେଳିବ। ଦିଲ୍ଲୀରେ ନଭେମ୍ବର ୩, ରାଜକୋଟରେ ୭ ଓ ନାଗପୁରରେ ୧୦ ତାରିଖରେ ଟି-୨୦ ସିରିଜ୍ର ମୁକାବିଲା ହେବ। ଟେଷ୍ଟ ମ୍ୟାଚ୍ ଦୁଇଟି ଇନ୍ଦୋର ଓ କୋଲକାତାରେ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ଇନ୍ଦୋରରେ ପ୍ରଥମ ଟେଷ୍ଟ ନଭେମ୍ବର ୧୪ରୁ ୧୮ ଓ କୋଲକାତାରେ ଦ୍ୱିତୀୟ ଟେଷ୍ଟ ନଭେମ୍ବର ୨୨ରୁ ୨୬ ଯାଏ ଖେଳାଯିବ। ଏହି ସମୟରେ ବାଂଲାଦେଶ ଖେଳାଳିମାନେ ୧୧ ଦଫା ଦାବି ନେଇ ଧର୍ମଘଟ କରିଥିବାରୁ ସିରିଜ୍ ଆୟୋଜନ ନେଇ ଆଶଙ୍କା ଉପୁଜିଛି। କିନ୍ତୁ ଉଭୟ ବିସିସିଆଇ ଓ ବିସିବି ସିରିଜ୍ ଆରମ୍ଭ ପୂର୍ବରୁ ଏହି ସମସ୍ୟାର ସମାଧାନ ହୋଇଯିବ ଏବଂ ଠିକଣା ସମୟରେ ମ୍ୟାଚ୍ ଆୟୋଜିତ ହେବ ବୋଲି ଆଶା ପ୍ରକାଶ କରାଯାଇଛି।
ସଂକ୍ଷିପ୍ତ ସ୍କୋର
ଭାରତ ପ୍ରଥମ ଇନିଂସ: ୪୯୭/୯, ଘୋଷିତ (ରୋହିତ ଶର୍ମା-୨୧୨, ଆଜିଙ୍କ୍ୟ ରାହାଣେ-୧୧୫, ଜର୍ଜ ଲିଣ୍ଡେ-୪/୧୩୩, କାଗିସୋ ରବାଡା-୩/୮୫)।
ସାଉଥ୍ ଆଫ୍ରିକା ପ୍ରଥମ ଇନିଂସ: ୧୬୨
(ଜୁବେର୍ ହମ୍ଜା-୬୨, ଜର୍ଜ ଲିଣ୍ଡେ-୩୭, ଉମେଶ ଯାଦବ-୩/୪୦, ରବୀନ୍ଦ୍ର ଜାଡେଜା-୨/୧୯, ମହମ୍ମଦ୍ ସାମି-୨/୨୨, ଶାହାବାଜ୍ ନଦୀମ-୨/୨୨)।
ସାଉଥ୍ ଆଫ୍ରିକା ଦ୍ୱିତୀୟ ଇନିଂସ: ୧୩୩ (ଥେଉନିସ୍ ଡି ବ୍ରୁଇନ୍-୩୦, ସାମି-୩/୧୦, ନଦୀମ-୨/୧୮, ଉମେଶ-୨/୩୫)।