ଭାରତର କ୍ଲିନ୍ ସ୍ପିପ୍, ରାହୁଲ ପ୍ଲେୟର ଅଫ୍ ଦି ସିରିଜ୍

ମାଉଣ୍ଟ ମାଉଙ୍ଗାନୁଇ: ନ୍ୟୁଜିଲାଣ୍ଡକୁ ମାତ୍ର ୭ ରନରେ ହରାଇ ଭାରତ ଏଠାରେ ରବିବାର ଅନୁଷ୍ଠିତ ୫ମ ତଥା ଶେଷ ଟି-୨୦ ଇଣ୍ଟରନ୍ୟାସନାଲ ମୁକାବିଲାରେ ଆଉ ଏକ ଚମତ୍କାର ବିଜୟ ହାସଲ କରିଛି। ଏହି ବିଜୟ ଫଳରେ ଭାରତ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜକୁ ୫-୦ରେ କ୍ଲିନ୍ ସୁଇପ୍ କରିବାରେ ସମର୍ଥ ହୋଇଛି। ଉଭୟ ଦଳର ନିୟମିତ ଅଧିନାୟକ ବିରାଟ କୋହଲି ଓ କେନ୍ ୱିଲିୟମସନ ଶେଷ ମ୍ୟାଚ ଖେଳୁ ନଥିଲେ। କୋହଲିଙ୍କ ସ୍ଥାନରେ ରୋହିତ ଶର୍ମା ଦଳର ନେତୃତ୍ୱ ନେଇଥିଲେ। କିନ୍ତୁ ସେ ବ୍ୟାଟିଂ କଲା ବେଳେ ଆହତ ହୋଇଥିବାରୁ ନ୍ୟୁଜିଲାଣ୍ଡ ଇନିଂସରେ ପଡ଼ିଆ ଭିତରକୁ ଆସି ନଥିଲେ।

ଫଳରେ ଲୋକେଶ ରାହୁଲଙ୍କୁ ଦଳର ନେତୃତ୍ୱ ଭାର ସମ୍ଭାଳିବାକୁ ପଡ଼ିଥିଲା। ଏଠାରେ ଭାରତର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଯଶ୍ପ୍ରୀତ ବୁମରା (୪ ଓଭରରେ ୧୨ ରନ୍ ଦେଇ ୩ ୱିକେଟ)ଙ୍କୁ ପ୍ଲେୟର ଅଫ୍ ଦି ମ୍ୟାଚ୍ ଓ ଲୋକେଶ ରାହୁଲ (୨୨୪ ରନ୍, ୩ କ୍ୟାଚ୍, ୧ ଷ୍ଟମ୍ପିଂ)ଙ୍କୁ ପ୍ଲେୟର ଅଫ୍ ଦି ସିରିଜ୍ ବିବେଚିତ କରାଯାଇଛି। ଏହା ପରେ ଆସନ୍ତା ୫ରୁ ଦୁଇ ଦେଶ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ହାମିଲଟନ୍ର ସେଡ୍ଡନପାର୍କରୁ ଆରମ୍ଭ ହେବ। ଦିନିକିଆ ସିରିଜ୍ର ଅନ୍ୟ ୨ଟି ମୁକାବିଲା ଅକଲାଣ୍ଡ ଓ ମାଉଣ୍ଟ ମାଉଙ୍ଗାନୁଇରେ ଯଥାକ୍ରମେ ଆସନ୍ତା ୮ ଓ ୧୧ରେ ଖେଳାଯିବ।