ଭାରତର ବାରବାଟୀ ଦଖଲ, ୨-୧ରେ ସିରିଜ ବିଜୟୀ ଖେଳ By Nitidin Last updated Dec 22, 2019 Share ଅଧନାୟକ ବିରାଟ କୋହଲି, ରବୀନ୍ଦ୍ର ଜାଡେଜା ଓ ଶାର୍ଦ୍ଦୁଲ ଠାକୁରଙ୍କ ଦାୟିତ୍ୱପୂର୍ଣ୍ଣ ଓ ସାହସିକ ବ୍ୟାଟିଂ ସହାୟତାରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ତଥା ଶେଷ ଦିନିକିଆ ମ୍ୟାଚରେ ଭାରତ ୪ ୱିକେଟରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଛି। ଏହା ଫଳରେ ଦଳ ୩ ମ୍ୟାଚ୍ ବିଶିଷ୍ଟ ସିରିଜ୍ ଭାରତ ୨-୧ ବ୍ୟବଧାନରେ ଜିତିନେଇଛି। ଇଣ୍ଡିଜ୍ ବିପକ୍ଷରେ ଏହା ଭାରତର ଲଗାତାର ଦଶମ ସିରିଜ୍ ବିଜୟ। ସେହିପରି ଏଠାରେ ପ୍ରଥମଥର ପାଇଁ କୌଣସି ଦଳ ୩୦୦ରୁ ଅଧିକ ରନ୍ ଚେଜ୍ କରି ବିଜୟୀ ହୋଇଛି। ଏହି ମ୍ୟାଚ୍ରେ ଭଲ ଖେଳ ପ୍ରଦର୍ଶନ କରିଥିବା କୋହଲିଙ୍କୁ ପ୍ଲେୟର ଅଫ୍ ଦି ମ୍ୟାଚ୍ ଓ ରୋହିତ ଶର୍ମାଙ୍କୁ ପ୍ଲେୟର ଅଫ୍ ଦି ସିରିଜ୍ ବିବେଚିତ କରାଯାଇଛି। ଏହା ପରେ ଭାରତ ଘରୋଇ ମାଟିରେ ଶ୍ରୀଲଙ୍କା ସହ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ଜାନୁଆରୀ ୫ରୁ ଏବଂ ଅଷ୍ଟ୍ରେଲିଆ ସହ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଜାନୁଆରୀ ୧୪ରୁ ଖେଳିବ। ରବିବାର ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇ ୱେଷ୍ଟଇଣ୍ଡିଜ୍ ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ ହରାଇ ୩୧୫ ରନ୍ କରିଥିଲା। ଜବାବରେ ଭାରତ ୪୮.୪ ଓଭରରେ ବିଜୟ ଲକ୍ଷ୍ୟରେ ପହଞ୍ଚିଥିଲା। ଦଳ ପକ୍ଷରୁ କୋହଲି ସର୍ବାଧିକ ୮୫, ରାହୁଲ ୭୭ ଓ ରୋହିତ ଶର୍ମା ୬୩ ରନ୍ କରିଥିଲେ। କିନ୍ତୁ ପ୍ରଥମ ୱିକେଟରେ ରୋହିତ ଏବଂ ରାହୁଲ ପୁଣିଥରେ ଦମ୍ଦାର ବ୍ୟାଟିଂ ପ୍ରଦର୍ଶନ କରି ୨୧.୨ ଓଭରରେ ୧୨୨ ରନ୍ ଉଠାଇଥିଲେ। ରୋହିତ ଶର୍ମା ୬୩ ବଲରୁ ୮ଚୌକା ଓ ୧ ଛକା ସହ ୬୩ ଓ ଲୋକେଶ ରାହୁଲ ୮୯ ବଲ୍ ୮ ଚୌକା ଓ ୧ ଛକା ସହ ୭୭ ରନ୍ ଆଉଟ ହୋଇଥିଲେ। କିନ୍ତୁ ଉଭୟ ଖେଳାଳିଙ୍କ ସମେତ ଶ୍ରେୟସ ଆୟର ୭, ଋଷଭ ପନ୍ତ୍ ୭ ଓ କେଦାର ଯାଦବ ୯ ରନ୍ କରି ଆଉଟ ହେବା ପରେ ଭାରତ ବିପଦରେ ପଡିଥିଲା। ଗୋଟିଏ ପଟେ ଦଳର ସମସ୍ତ ଭାର ବହନ କରି ଅଧିନାୟକ କୋହଲି ଆଗକୁ ବଢ଼ିଥିଲେ। ୨୨୮ ରନ୍ ସୁଦ୍ଧା କୋହଲିଙ୍କ ବ୍ୟତୀତ ଅନ୍ୟ ସମସ୍ତ ସ୍ପେଶାଲିଷ୍ଟ ବ୍ୟାଟ୍ସମ୍ୟାନ୍ ପ୍ୟାଭିଲିୟନ ଫେରିସାରିଥିଲେ। ଏହି ସମୟରେ କୋହଲିଙ୍କ ସହ ଯୋଗ ଦେଇ ଜାଡେଜା ୪୪ ବଲ୍ ୫୮ ରନ୍ କରି ଭାରତକୁ ବିଜୟର ଦ୍ୱାରଦେଶରେ ପହଞ୍ଚାଇଥିଲେ। କିନ୍ତୁ ମ୍ୟାଚ୍ ଜିତିବାକୁ ୨୩ ବଲ୍ରେ ଆଉ ୩୦ ରନ୍ ଆବଶ୍ୟକ ହେଉଥିଲା ବେଳେ କୋହଲି ବୋଲ୍ଡ (ପ୍ଲେଡ୍ଅନ୍)ହୋଇଯାଇଥିଲେ। କୋହଲି ୮୧ ବଲ୍ ଖେଳି ୯ ଚୌକା ସହ ୮୫ ରନ୍ କରିଥିଲେ। ଫଳରେ ଭାରତର ବିଜୟ ସମ୍ଭାବନା ଆଶଙ୍କା ମଧ୍ୟକୁ ଚାଲିଯାଇଥିଲା। କିନ୍ତୁ ଜାଡେଜାଙ୍କ ସହ ଠାକୁର ଯୋଗଦେବା ପରେ ଏହି ଆଶଙ୍କା ଶୀଘ୍ର ଦୂରୀଭୂତ ହୋଇଥିଲା ଓ ଆଉ ୮ଟି ବଲ ବାକି ଥାଇ ଭାରତ ଉତ୍କଣ୍ଠାପୂର୍ଣ୍ଣ ବିଜୟ ହାସଲ କରିନେଇଥିଲା। ଅବିଭକ୍ତ ସପ୍ତମ ୱିକେଟ ପାର୍ଟନରଶିପ୍ରେ ଜାଡେଜା ଓ ଠାକୁର ୧୬ ବଲ୍ରେ ୩୦ ରନ୍ ଉଠାଇ ଦଳକ୍ୁ ସିରିଜ୍ ଜିତାଇଥିଲେ। ଜାଡେଜା ୩୧ ବଲ୍ ଖେଳି ୪ ଚୌକା ସହ ୩୯ ଏବଂ ଠାକୁର ୬ ବଲ୍ରେ ୨ ଚୌକା ଓ ୧ ଛକା ସହ ୧୭ ରନ୍ରେ ଅପରାଜିତ ରହିଥିଲେ। ୱେଷ୍ଟଇଣ୍ଡିଜ୍ ପକ୍ଷରୁ କୀମୋ ପଲ ୩ଟି, ଶେଲଡନ କୋଟରେଲ, ଜେସନ ହୋଲ୍ଡର, ଆଲଜରି ଯୋଶେଫ ଗୋଟିଏ ଲେଖାଏଁ ୱିକେଟ ଅକ୍ତଆର କରିଥିଲେ। ପୂର୍ବରୁ ଭାରତୀୟ ଅଧିନାୟକ ବିରାଟ କୋହଲି ଟସ୍ ଜିତିବା ପରେ ନିଦ୍ୱର୍ନ୍ଦ୍ୱରେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ। ୱେଷ୍ଟଇଣ୍ଡିଜ୍ ଇନିଂସରେ ୩୨ ଓଭର ଖେଳ ବେଳକୁ ୧୪୪ ରନ୍ରେ ୪ଟି ୱିକେଟ ହରାଇ ବିପଦରେ ପଡ଼ିଥିଲା। କିନ୍ତୁ ୫ମ ୱିକେଟ ଯୋଡ଼ିରେ ଭାରତୀୟ ବଂଶୋଦ୍ଭବ ଖେଳାଳି ପୂରନ ଓ ଅଧିନାୟକ ପୋଲାର୍ଡ ୯୮ ବଲରୁ ୧୩୫ ରନ୍ ଉଠାଇ ଖେଳର ଗତିପଥ ବଦଳାଇ ଦେଇଥିଲେ। ଏମାନଙ୍କ ଆକ୍ରମଣାତ୍ମକ ଖେଳ ଫଳରେ ୱେଷ୍ଟଇଣ୍ଡିଜ୍ ଶେଷ ୧୦ ଓଭରରେ ୧୧୮ ରନ୍ ସଂଗ୍ରହ କରିଥିଲା। ୪୪ ବଲରେ ଅର୍ଦ୍ଧଶତକ ହାସଲ କରିଥିବା ପୂରଣ ୬୪ ବଲ୍ ଖେଳି ୧୦ ଚୌକା ଓ ୩ ଛକା ସହ ସର୍ବାଧିକ ୮୯ ରନ୍ କରିଥିଲେ। ପୋଲାର୍ଡ ୫୧ ବଲ୍ ଖେଳି ୩ ଚୌକା ଓ ୭ ଛକା ସହ ୭୪ ରନ୍ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶାଇ ହୋପ୍ ୪୨, ରୋଷ୍ଟୋନ ଚେଜ୍ ୩୮, ଶିମରନ ହେଟ୍ମାୟର ୩୩ ବଲରେ ୩୭ ଓ ଏଭିନ୍ ଲୁଇସ୍ ୨୧ ରନ୍ କରିଥିଲେ। ଭାରତ ପକ୍ଷରୁ ସମସ୍ତ ବୋଲର ବ୍ୟୟବହୁଳ ସାବ୍ୟସ୍ତ ହୋଇଥିଲେ। ଆହତ ଦୀପକ ଚହରଙ୍କ ସ୍ଥାନରେ ଏଠାରେ ଡେବ୍ୟୁ କରିଥିବା ନଭଦୀପ ସୈନୀ ଦଳ ପକ୍ଷରୁ ସର୍ବାଧିକ ୨ଟି ୱିକେଟ ପାଇଥିଲେ। ଏହାଛଡ଼ା ଠାକୁର, ମହମ୍ମଦ୍ ସାମି ଓ ରବୀନ୍ଦ୍ର ଜାଡେଜାଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଥିଲା। Share