ପ୍ରୋ-ଲିଗ୍ ହକି: ପେନାଲ୍ଟି ଶୁଟ୍ ଆଉଟରେ ଜିତିଲା ଭାରତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ନେଦରଲାଣ୍ଡକୁ ୩- ୧ ପେନାଲ୍ଟିଶୁଟ୍ ଆଉଟରେ ହରାଇ ଭାରତ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ରେ ରବିବାର ଅନୁଷ୍ଠିତ ଦ୍ୱିତୀୟ ପ୍ରୋ– ଲିଗ୍‌ ହକି ମୁକାବିଲାରେ ବିଜୟୀ  ହୋଇଛି। ଏଠାରେ ଅନୁଷ୍ଠିତ ଦୁଇଟି ମୁକାବିଲା ମଧ୍ୟରୁ ଶନିବାର ଖେଳାଯାଇଥିବା ଉଦ୍‌ଘାଟନୀ ମ୍ୟାଚ୍‌ରେ ଭାରତ ୫- ୨ ଗୋଲରେ ନେଦରଲାଣ୍ଡକୁ ହରାଇଥିଲା। କ୍ରମାଗତ ବିଜୟ ସତ୍ତ୍ୱେ ଭାରତକୁ ୫ ଏବଂ ପେନାଲ୍ଟି ଶୁଟ୍ ଆଉଟରେ ଗୋଟିଏ ମ୍ୟାଚ୍‌ହାରିଥିବାରୁ ନେଦରଲାଣ୍ଡକୁ ଗୋଟିଏ ପଏଣ୍ଟ ମିଳିଛି।

ଏହି ମ୍ୟାଚ୍‌ରେ ଭାରତର ରୂପିନ୍ଦର ପାଲ ସିଂଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ବିବେଚିତ କରାଯାଇଛି। ଏହା ପରେ ଭାରତ ଏହିଠାରେ ବେଲ୍‌ଜିୟମ ସହ ଫେବୃଆରୀ ୮ ଓ ୯ରେ ମୁକାବିଲା କରିବ। ରବିବାର  ଖେଳାଯାଇଥିବା ଏହି ମ୍ୟାଚ୍‌ର ନିର୍ଦ୍ଧାରିତ ସମୟ ଖେଳ ୩- ୩ ଗୋଲରେ ସମାନ ସ୍ତରରେ ରହିଥିଲା। ଭାରତ ପକ୍ଷରୁ ଖେଳର ୨୫ତମ ମିନିଟରେ ଲଲିତ ଉପାଧ୍ୟାୟ, ୫୧ତମ ମିନିଟରେ ମନଦୀପ ସିଂ ଓ ୫୫ତମ ମିନିଟରେ ରୂପିନ୍ଦର ପାଲ ସିଂ ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ। ନେଦରଲାଣ୍ଡ ପକ୍ଷରୁ ମିଙ୍କ ଭାନ ଡର ୱିର୍ଡେନ ୨୩ତମଜେରୋଏନ୍ ହର୍ଜବର୍ଜର ୨୬ ଓ ଜନକେଲରମ୍ୟାନ୍ ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ।

ଖେଳ ସମାନସ୍ତରରେ ରହିବାକୁ ପେନାଲ୍ଟି ଶୁଟ୍ ଆଉଟର ସହାୟତା  ନିଆଯାଇଥିଲା। ଏଥିରେ ଭାରତ ପକ୍ଷରୁ ବିବେକ ସାଗର ପ୍ରସାଦ, ଗୁରଜାନ୍ତ ସିଂ ଓ ଆକାଶଦୀପ ସିଂ ଗୋଲ ଦେଇଥିଲେ। ହରମନ୍‌ପ୍ରୀତ ସିଂ ଓ ରୂପୀନ୍ଦର ପାଲ ସିଂ ଗୋଲ ଦେବାରେ ବିଫଳ ହୋଇଥିଲେ। ଅନ୍ୟପକ୍ଷରେ ନେଦରଲାଣ୍ଡ୍ସ ପ୍ରଥମ ୪ଟି ଶଟ୍ରୁକେବଳ ମିର୍କୋ ପ୍ରୁଇଜର ଗୋଲ ଦେବାରେ ସଫଳ ହୋଇଥିଲେ। ଏହି ମ୍ୟାଚ୍‌ରେ ପୂର୍ବାନୁମାନଯାୟୀ ଉଭୟ ଦଳ ଆରମ୍ଭରୁ ସତର୍କ ହୋଇ ଖେଳିଥିଲେ। ଫଳରେ ପ୍ରଥମ ୧୫ ମିନିଟରେ କେହି କାହାରିକୁ ଗୋଲ ଦେଇ ପାରି ନଥିଲେ। କିମ୍ବା କେହି କାହାରି ଗୋଲ ପୋଷ୍ଟ ଉପରେ ଆକ୍ରମଣ କରିପାରି ନଥିଲେ। ଦ୍ୱିତୀୟାର୍ଦ୍ଧ ଖେଳ ସମ୍ପୂର୍ଣ୍ଣ ବଦଳିଯାଇଥିଲା। ଉଭୟ କଡା ମୁକାବିଲା କରିବା  ମଧ୍ୟରେ ଖେଳର ୨୪ତମ ମିନିଟରେ ନେଦରଲାଣ୍ଡକୁ ମ୍ୟାଚ୍‌ର ପ୍ରଥମ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏହାକୁ ମିଙ୍କ୍ ଭାନ ଡରୱିର୍ଡେନ ଗୋଲରେ ପରିଣତ କରି ଭ୍ରମଣକାରୀ ଦଳକୁ ୧- ୦ ଗୋଲରେ ଅଗ୍ରଣୀ କରାଇଥିଲେ। ଏହାର ପରମୁହୂର୍ତ୍ତରେ ଲଳିତ ଉପାଧ୍ୟାୟ ଚତୁରତାର ସହ ଫିଲ୍ଡ ଗୋଲ ଦେଇ ଖେଳକୁ ସମାନ ସ୍ତରକୁ ନେଇଆସିଥିଲେ। କିନ୍ତୁ ଖେଳର ୨୬ତମ ଓ ୨୭ତମ ମିନିଟରେ ନେଦରଲାଣ୍ଡସ ପକ୍ଷରୁ ଜୋଏରନ ହର୍ଜବର୍ଗର ଓ ଜନ୍ କେଲରମ୍ୟାନ୍ ଲାଗ୍ ଲାଗ୍ ୨ଟି ଗୋଲ ଦେବା ଫଳରେ ଖେଳର ସ୍ଥିତି ବଦଳି ଯାଇଥିଲା।

ପ୍ରଥମାର୍ଦ୍ଧ ସୁଦ୍ଧା ଏହି ଭ୍ରମଣକାରୀ ଦଳ ୩- ୧ରେ ଆଗୁଆ ରହିଥିଲା। ପ୍ରତମାର୍ଦ୍ଧ ପରେ ମନ୍‌ପ୍ରୀତ ସିଂଙ୍କ ଫାଉଲ ଦଳକୁ ମହଙ୍ଗା ପଡ଼ିଥିଲା। ଯାହା ଫଳରେ ରେଫରି ତାଙ୍କୁ ୟେଲୋ କାର୍ଡ ଦେଇଥିଲେ। ଏଥିଲାଗି ତାଙ୍କ ପଡ଼ିଆ ବାହାରେ ବସିବାକୁ ପଡ଼ିଥିଲା। ଏହି ସମୟରେ ଭାରତର ଖେଳ ରକ୍ଷଣାତ୍ମକ ହୋଇଯାଇଥିଲା। ଚତୁର୍ଥ ତଥା ଶେଷ କ୍ୱାର୍ଟରରେ ଭାରତ ଅଧିକ ଆକ୍ରମଣାତ୍ମକ ଖେଳିଥିଲା। ଯାହା ଫଳରେ ଦଳକୁ ବାରମ୍ବାର ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏଥିରୁ ଖେଳର ୫୧ତମ ମିନିଟ୍ରେ ରିଭର୍ସ ଶଟ୍ରୁ ମନଦୀପ ସିଂ ଏବଂ ୫୫ତମ ମିନିଟରେ ରୂପୀନ୍ଦର ପାଲ ସିଂ ଗୋଲ କରି ଖେଳକୁ ୩- ୩ ଗୋଲରେ ସମାନ ସ୍ତରକୁ ନେଇ ଆସିଥିଲେ। ଯାହା ଫଳରେ ଟୁର୍ଣ୍ଣାମେଣ୍ଟ ନିୟମ ଅନୁଯାୟୀ ଖେଳର ମୀମାଂସା ଲାଗି ପେନାଲ୍ଟି ଶୁଟ୍ ଆଉଟରେ ନିଆଯାଇଥିଲା। ଏଥିରେ ଭାରତ ୩- ୧ରେ ଜିତି ପ୍ରୋ– ଲିଗ୍‌ ପଦାର୍ପଣକୁ ସ୍ମରଣୀୟ କରିବାରେ ସମର୍ଥ  ହୋଇଛି।