୨-୧ରେ ସିରିଜ ଜିତିଲା ଭାରତ

ନାଗପୁର,ଏଜେନ୍ସି: କ୍ରମାଗତ ବାଂଲାଦେଶ ବିପକ୍ଷରେ ଭାରତର ଦ୍ୱିତୀୟ ବିଜୟ। ଏହି ପରିପ୍ରେକ୍ଷୀରେ ଘରୋଇ ଟ୍ବେଣ୍ଟି୨୦ ସିରିଜ୍ ଜିତିନେଇଛି ଭାରତ। ରବିବାର ଏହି ମ୍ୟାଚ୍‌ରେ ଯୁବ ପେସ୍ ବୋଲର ଦୀପକ ଚହର ହାଟ୍ରିକ୍ ସହ ବିଶ୍ବରେକର୍ଡ ୭ ରନ୍‌ଦେଇ ୬ଟି ୱିକେଟ ନେବାରୁ ଭାରତ ୩୦ ରନ୍‌ରେ ବିଜୟୀ ହୋଇଛି। ପ୍ରଥମେ ବ୍ୟାଟିଂକରି ଭାରତ ୫ ୱିକେଟ ହରାଇ ୧୭୪ ରନ୍ କରିଥିଲା। କେ.ଏଲ୍‌. ରାହୁଲ ଓ ଶ୍ରେୟାସ ଆୟରଙ୍କ ଅର୍ଦ୍ଧଶତକ ବଳରେ ଭାରତ ଏହି ସ୍କୋର୍ କରି ପାରିଥିଲା। ପରେ ଓପ୍‌ନର ମହମ୍ମଦ ନଇମ୍‌ଙ୍କ ବିସ୍ଫୋରକ ୮୧ ରନ୍‌ର ଇନିଂସ ସତ୍ତ୍ବେ ବାଂଲାଦେଶ ୪ଟି ବଲ୍‌ ବାକିଥାଇ ୧୪୪ ରନ୍‌ରେ ସମସ୍ତ ୱିକେଟ ହରାଇଥିଲା। ଦୀପକ ଚହର ଓ ଶିବମ୍ ଦୁବେ ଚମତ୍କାର ବୋଲିଂ କରିବାରୁ ଏକଦା ଭଲ ସ୍ଥିତିରେ ଥିବା ବାଂଲାଦେଶ ଦିଗହରା ହୋଇ ଯାଇଥିଲା। ପ୍ରଥମ ମ୍ୟାଚ୍‌ରେ ପରାସ୍ତ ହୋଇଥିବା ଭାରତ କ୍ରମାଗତ ୨ୟ ବିଜୟ ସହ ୩ ମ୍ୟାଚ୍‌ର ସିରିଜ୍‌କୁ ୨-୧ରେ ଜିତିନେଇଛି। ଆସନ୍ତା ୧୪ରୁ ଉଭୟ ଦଳଙ୍କ ମଧ୍ୟରେ ୨ ମ୍ୟାଚ୍‌ର ଟେଷ୍ଟ ସିରିଜ୍ ଖେଳାଯିବ।