ମେଲବୋର୍ଣ୍ଣରେ ଦ୍ୱିତୀୟ ବକ୍ସିଂ ଡେ ଟେଷ୍ଟ ଜିତିଲା ଭାରତ

ମେଲବୋର୍ଣ୍ଣ,ଏଜେନ୍ସି: ଭାରତୀୟ କ୍ରିକେଟ ଟିମ ମେଲବୋର୍ଣ୍ଣରେ ଐତିହାସିକ ବିଜୟ ହାସଲ କରିଛି। ଅଷ୍ଟ୍ରେଲିଆ ଦଳକୁ ୮ ୱିକେଟରେ ପରାସ୍ତ କରିଛି ଭାରତ। ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ୨ୟ ବକ୍ସିଂ ଡେ ଟେଷ୍ଟ କ୍ରିକେଟ ମ୍ୟାଚରେ ଅଷ୍ଟ୍ରେଲିଆ ଟିମ ପ୍ରଥମ ପାଳିରେ ୧୯୫ ରନ ଓ ୨ୟ ପାଳିରେ ୨୦୦ ରନ କରିଥିଲା। ସେହିପରି ଭାରତ ପ୍ରଥମ ଇନିଂସରେ ୩୨୬ ରନ ଓ ୨ୟ ଇନିଂସରେ ୨ଟି ୱିକେଟ ହରାଇ ୭୦ରନ୍ କରି ମ୍ୟାଚ ହାତେଇଛି। ଏଥି ସହିତ ଚଳିତ ଟେଷ୍ଟ ଶୃଙ୍ଖଳା ୧-୧ରେ ପହଞ୍ଚିଛି। ପୂର୍ବରୁ ଅଷ୍ଟ୍ରେଲିଆ ଆଡିଲେଡରେ ୮ ୱିକେଟରେ ବିଜୟୀ ହୋଇଥିଲା। ପରବର୍ତ୍ତୀ ମ୍ୟାଚ ସିଡନୀରେ ଜାନୁଆରୀ ୬ ତାରିଖ ଓ ୪ର୍ଥ ମ୍ୟାଚ୍ ବ୍ରିସବେନରେ ଜାନୁଆରୀ ୧୫ ତାରିଖରେ ହେବ।

ଏହି ମ୍ୟାଚର ୨ୟ ପାଳିରେ ଭାରତର ଓପନର ମୟଙ୍କ ଅଗ୍ରୱାଲ ୫ ରନ କରିଥିଲେ। ସେହିପରି ଶୁଭମନ ଗିଲ ଅପରାଜିତ ୩୫ ରନ କରିଥିଲେ। ଶୁଭମନ ୩୬ଟି ବଲ ଖେଳି ୭ଟି ଚୌକା ମାରିଥିଲେ। ଚେତେଶ୍ୱର ପୂଜାରାଙ୍କ ବ୍ୟାଟରୁ ୩ ରନ କରି ଆଉଟ ହୋଇଯାଇଥିଲେ। ଅଧିନାୟକ ଆଜିଙ୍କ୍ୟ ରାହାଣେ ୪୦ଟି ବଲ ଖେଳି ଦଳ ପାଇଁ ୨୭ ରନ ଯୋଡ଼ିଥିଲେ।

ଅଷ୍ଟ୍ରେଲିଆ ୨ୟ ପାଳିରେ ସମସ୍ତ ୱିକେଟ ହରାଇ ୨୦୦ ରନ ସଂଗ୍ରହ କରିଥିଲା। ଓପନର ମାଥ୍ୟୁ ୱାଡେ ୪୦ ରନ, ଜୋ ବୁରନ୍ସ ୪ ରନ, ମାର୍ନୁସ ଲବସଚେଞ୍ଜ ୨୮ ରନ, ଷ୍ଟିଭ ସ୍ମିଥ ୮ ରନ, ତ୍ରାଭିସ ହେଲ ୧୭ ରନ, କେମରନ ଗ୍ରୀନ ୪୫ ରନ, ଟିମ ପାଇନ ୧ ରନ, ମିଚେଲ ଷ୍ଟାର୍କ୍ସ ୧୪ ରନ, ନାଥାନ ଲାୟନ ୩ ରନ ଓ ଜୋସ ହେଜେଲବୁଲ ୧୦ ରନ କରିଛନ୍ତି।

ଭାରତୀୟ ବୋଲର ମହମ୍ମଦ ସିରାଜ ଦମଦାର ବୋଲିଂ କରିଛନ୍ତି। ସେ ଅଷ୍ଟ୍ରେଲିଆ ଦଳର ୩ ଜଣ ଖେଳାଳିଙ୍କୁ ପାଭଲିଅନ ପଠାଇଛନ୍ତି। ଯଶପ୍ରୀତ ବୁମରା, ରବିଚନ୍ଦ୍ରନ ଅଶ୍ୱିନ ଓ ରବୀନ୍ଦ୍ର ଜାଡେଜା ୨ଟି ଲେଖାଏଁ ୱିକେଟ ହାତେଇଥିବା ବେଳେ ଉମେଶ ଯାଦବ ଗୋଟିଏ ୱିକେଟ ନେଇଛନ୍ତି।