ଆସନ୍ତାକାଲିଠାରୁ ଭାରତ-ଅଷ୍ଟ୍ରେଲିଆ ଅନ୍ତିମ ଟେଷ୍ଟ

ବ୍ରିସବେସ୍,ଏଜେନ୍ସି: ଆସନ୍ତାକାଲିଠାରୁ ବ୍ରିସବେନରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅନ୍ତିମ ଟେଷ୍ଟ ମ୍ୟାଚ୍ ଅନୁଷ୍ଠିତ ହେବ। ସିଡନୀରେ ଏକ ପ୍ରକାର ନିଶ୍ଚିତ ପରାଜୟରୁ ଦଳକୁ ବଞ୍ଚାଇ ଅଷ୍ଟ୍ରେଲିଆର ଗର୍ବ ଭାଙ୍ଗିଥିବା ଭାରତୀୟ ଦଳ ନିକଟରେ ଗାବାର ଜୀବନ୍ତ ପିଚ୍ କଡ଼ା ଆହ୍ୱାନ ସୃଷ୍ଟି କରିବ। କାରଣ ଆହତ କାରଣରୁ ଶୀର୍ଷ ଖେଳାଳି ନିର୍ଣ୍ଣାୟକ ଟେଷ୍ଟ ଖେଳିବାକୁ ଉପଲବ୍ଧ ହେବେ ନାହିଁ। ବର୍ଡର-ଗାଭାସ୍କରୀ ଟ୍ରଫି ଜିତିବା ପାଇଁ ଅଷ୍ଟ୍ରେଲିଆକୁ ନିଶ୍ଚିତ ବିଜୟ ଆବଶ୍ୟକ ହେଉଥିବା ବେଳେ ମ୍ୟାଚ୍ ଡ୍ର’ ହେଲେ ଭାରତ ଟ୍ରଫି ନିଜ ପାଖରେ ରଖିବ।
ଯନ୍ତ୍ରଣା ସତ୍ତେ୍ୱ ସିଡନୀରେ ଅସୀମ ଧୈର୍ଯ୍ୟର ସହ ପ୍ରଦର୍ଶନ କରି ରବିଚନ୍ଦ୍ରନ୍ ଅଶ୍ୱିନ, ହନୁମା ବିହାରୀ ଓ ରିଷଭ ପନ୍ତ୍ କ୍ରିକେଟପ୍ରେମୀଙ୍କ ହୃଦୟ ଜିତି ନେଇଛନ୍ତି। ଦଶକ ପୂର୍ବେ ମାଲକମ୍ ମାର୍ଶ।।ଲ୍ ଯେପରି ପ୍ରଦର୍ଶନ କରିଥିଲେ ଜସପ୍ରୀତ୍ ବୁମରାଙ୍କ ପେଟର ମାଂସପେଶୀ ଯନ୍ତ୍ରଣା ଏବଂ ରବୀନ୍ଦ୍ର ଜାଡ଼େଜା ଆଙ୍ଗୁଳି ଭାଙ୍ଗିବା ସତ୍ତେ୍ୱ ସେପରି ଖେଳ ପ୍ରଦର୍ଶନ କରିଥିଲେ। ଅଷ୍ଟ୍ରେଲିଆର ବୋଲିଂ ଆକ୍ରମଣ ହେଉ ବା ଷ୍ଟାଡିୟମରୁ ଦର୍ଶକଙ୍କ ଜାତିଗତ ଟିପ୍ପଣୀ ହେଉ କିମ୍ବା ଷ୍ଟମ୍ପ୍ସ ପଛରୁ ଅପଶବ୍ଦ ବ୍ୟବହାର ସବୁର ଜୋରଦାର ଜବାବ ଦେଇଥିଲେ। ନୂଆ ଭାରତୀୟ ଦଳ ସବୁ ପ୍ରକାର ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବାକୁ ପ୍ରସ୍ତୁତ ରହିଛି। ଏବେ ଏହି ଦଳକୁ ଏପରି ଏକ ପଡ଼ିଆରେ ଖେଳିବାକୁ ପଡ଼ିବ ଯେଉଁଠି ୧୯୮୮ରୁ ଅଷ୍ଟ୍ରେଲିଆ କେବେ ବି ହାରିନାହିଁ।