କାନାଡାର ହାଇ କମିଶନକୁ ସମନ ଜାରି କଲା ଭାରତ

ନୂଆଦିଲ୍ଲୀ: ଭାରତରେ ଜାରି ରହିଥିବା କୃଷକଙ୍କ ପ୍ରଦର୍ଶନ ଉପରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଓ ଅନ୍ୟ ନେତା ଟିପ୍ପଣୀ ଦେବାକୁ ନେଇ କାନାଡା ହାଇ କମିଶନକୁ ଆଜି ଭାରତ ସମନ ଜାରି କରିଛି। କୌଣସି ଲୋକତାନ୍ତ୍ରିକ ଦେଶର ଆଭ୍ୟନ୍ତରୀଣ ମାମଲାରେ ଏଭଳି ଟିପ୍ପଣୀ ଦେବା ଉଚିତ ନୁହେଁ ବୋଲି ପୂର୍ବରୁ ଭାରତର ବିଦେଶ ମନ୍ତ୍ରଣାଳୟ କହିଥିଲା।

ମନ୍ତ୍ରଣାଳୟର କହିବାନୁସାରେ, ଯଦି ଏଭଳି ଜାରି ରୁହେ ତେବେ ଦ୍ୱିପାକ୍ଷିକ ସମ୍ବନ୍ଧ ଗମ୍ଭୀର ରୂପେ କ୍ଷତିଗ୍ରସ୍ତ ହେବ। କୃଷକଙ୍କ ପ୍ରସଙ୍ଗରେ କାନାଡା ନେତା ଟିପ୍ପଣୀ ଦେବା ଯୋଗୁ କାନାଡାରେ ଆମ ମିଶନ ସାମ୍ନାରେ ଭିଡ଼ ଜମା ହେଲା। ଏହାଦ୍ୱାରା ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଲା।

ସୂଚନାଯୋଗ୍ୟ, କାନାଡା ପ୍ରଧାନମନ୍ତ୍ରୀ ଟ୍ରୁଡୋ ବିରୋଧ ପ୍ରଦର୍ଶନ କରୁଥିବା କୃଷକଙ୍କୁ ସମର୍ଥନ କରିବାକୁ ଯାଇ କାନାଡା ଶାନ୍ତିପୂର୍ଣ୍ଣ ପ୍ରଦର୍ଶନର ଅଧିକାରକୁ ସର୍ବଦା ବଞ୍ଚାଇବ ବୋଲି କହିଥିଲେ।