ଭାରତ-ସାଉଥ୍ ଆଫ୍ରିକା ସିରିଜ୍ କାର୍ଯ୍ୟସୂଚୀ ଚୂଡ଼ାନ୍ତ; ଜୋହାନ୍ସବର୍ଗରେ ନୂଆବର୍ଷ ଟେଷ୍ଟ୍ ଖେଳ By Nitidin On Dec 6, 2021 Share ଜୋହାନ୍ସବର୍ଗ,ଏଜେନ୍ସି: ସାଉଥ୍ ଆଫ୍ରିକାରେ କରୋନାର ନୂଆ ଭ୍ୟାରିଆଣ୍ଟ୍ “ଓମିକ୍ରନ୍’ ଚିହ୍ନଟ ହେବା ପରେ ଭାରତୀୟ ଟିମ୍ର ଗସ୍ତ ନେଇ ସନ୍ଦେହ ଦେଖାଦେଇଥିଲା। ଏହି ଗସ୍ତକୁ ବିସିସିଆଇ ବାତିଲ୍ କରିଦେଇପାରେ ବୋଲି ମଧ୍ୟ କ୍ରିକେଟ୍ପ୍ରେମୀ ଆଶଙ୍କା କରୁଥିଲେ। କିନ୍ତୁ କରୋନାର ନୂଆ ଭ୍ୟାରିଆଣ୍ଟ୍ ଚିହ୍ନଟ ପରିପ୍ରେକ୍ଷୀରେ ପରିବର୍ତ୍ତିତ କାର୍ଯ୍ୟସୂଚୀ ସହ ସିରିଜ୍ ଚୂଡ଼ାନ୍ତ କରିଛି କ୍ରିକେଟ୍ ସାଉଥ୍ ଆଫ୍ରିକା (ସିଏସ୍ଏ)। ସୋମବାର ସନ୍ଧ୍ୟାରେ ବୋର୍ଡ ପକ୍ଷରୁ ଦିଆଯାଇଥିବା ସୂଚନାନୁସାରେ, ସଂଶୋଧିତ କାର୍ଯ୍ୟସୂଚୀରେ ଭାରତ ଓ ସାଉଥ୍ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଟେଷ୍ଟ୍ ସିରିଜ୍ର ନୂଆବର୍ଷ ଟେଷ୍ଟଟି ପାରମ୍ପରିକ ଭାବେ କେପ୍ ଟାଉନ୍ରେ ଖେଳା ନ ଯାଇ ଜୋହାନ୍ସବର୍ଗର ଦି ୱାଣ୍ଡରର୍ସଠାରେ ଖେଳାଯିବ ବୋଲି ନିଷ୍ପତ୍ତି ହୋଇଛି। ସାଉଥ୍ ଆଫ୍ରିକାରେ ଏହି ନୂଆବର୍ଷ ଟେଷ୍ଟ୍ ସହ ସମର୍ ସିଜନ୍ ଆରମ୍ଭ ହୋଇଥାଏ। ଏହା ନିୟମିତ ଭାବେ କେପ୍ଟାଉନ୍ରେ ଖେଳାଯାଇଆସୁଥିଲା। କିନ୍ତୁ କରୋନା ସଂକ୍ରମଣ କାରଣରୁ ଯାତାୟାତଜନିତ କଟକଣା ପରିପ୍ରେକ୍ଷୀରେ ଆସନ୍ତା ବର୍ଷ ଜାନୁଆରୀ ୩ରୁ ୭ ତାରିଖ ପର୍ଯ୍ୟନ୍ତ ଏହି ମ୍ୟାଚ୍ଟି ଦି ୱାଣ୍ଡରର୍ସରେ ଖେଳାଯିବ। ସେହିପରି ଭାରତର ଏହି ଗସ୍ତ ସେଞ୍ଚୁରିଅନ୍ର ସୁପର୍ସ୍ପୋର୍ଟ୍ସ ପାର୍କଠାରେ ବକ୍ସିଂ ଡେ’ ଟେଷ୍ଟ୍ରୁ ଆରମ୍ଭ ହେବ। ପରେ କେପ୍ଟାଉନ୍ ନୂଆ ବର୍ଷ ଟେଷ୍ଟ୍ ଆୟୋଜନ କରିବ ଏବଂ ଶେଷରେ ଆସନ୍ତା ବର୍ଷ ଜାନୁଆରୀ ୧୧ରୁ ଆରମ୍ଭ ହେଉଥିବା ସିରିଜ୍ର ତୃତୀୟ ତଥା ଚୂଡ଼ାନ୍ତ ଟେଷ୍ଟ୍ କେପ୍ଟାଉନ୍ଠାରେ ଖେଳାଯିବ। ଟେଷ୍ଟ୍ ସିରିଜ୍ଟି ୱାର୍ଲ୍ଡ ଟେଷ୍ଟ୍ ଚାମ୍ପିଅନ୍ଶିପ୍ (ଡବ୍ଲ୍ୟୁଟିସି)ରେ ଅନ୍ତର୍ଭୁକ୍ତ ଥିବା ବେଳେ ଏହି ସିରିଜ୍ ପରେ ଭାରତ ଓ ସାଉଥ୍ ଆଫ୍ରିକା ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ମଧ୍ୟ ଖେଳାଯିବ। ଜାନୁଆରୀ ୧୯ରୁ ୨୧ ତାରିଖ ପର୍ଯ୍ୟନ୍ତ ପାର୍ଲଠାରେ ପ୍ରଥମ ଦୁଇଟି ଦିନିକିଆ ଖେଳାଯିବାକୁ ଥିବା ବେଳେ କେପ୍ଟାଉନ୍ରେ ତୃତୀୟ ଦିନିକିଆ ସହ ଟିମ୍ ଇଣ୍ଡିଆର ଗସ୍ତ ଶେଷ ହେବ। ପୂର୍ବରୁ ଏହି ଗସ୍ତରେ ଭାରତ ୪ଟି ଟି-୨୦ ଖେଳିବାର କାର୍ଯ୍ୟକ୍ରମ ରହିଥିଲେ ମଧ୍ୟ କରୋନାର ନୂଆ ଭ୍ୟାରିଆଣ୍ଟ୍ ଚିହ୍ନଟ ହେବା କାରଣରୁ ସିରିଜ୍ ଆରମ୍ଭରେ ବ୍ୟାପକ ବିଳମ୍ବ ଘଟିଛି। ତେଣୁ ଏହାକୁ ପରବର୍ତ୍ତୀ ସମୟରେ ଆୟୋଜନ ପାଇଁ ଦୁଇ ବୋର୍ଡ ମଧ୍ୟରେ ସହମତି ହୋଇଥିବା କୁହାଯାଇଛି। Share