ସେପ୍ଟେମ୍ବର ୨୫ରେ ଭାରତ ବନ୍ଦ ଡାକରା ଦେଲା ଏସକେଏମ୍

  • ନୂଆଦିଲ୍ଲୀ଼: କେନ୍ଦ୍ର ସରକାରଙ୍କ ବିବାଦୀୟ ୩ କୃଷି ଆଇନକୁ ନେଇ ଏବେ ବି ଚାଷୀମାନେ ବିଦ୍ରୋହ ଜାରି ରଖିଛନ୍ତି। ସେପ୍ଟେ୍ଟମ୍ବର ୨୫ ତାରିଖରେ କୃଷକ ଆନ୍ଦୋଳନକୁ ୧୦ ମାସ ପୂରୁଥିବାରୁ ଏହି ଦିନ ଭାରତ ବନ୍ଦ ଡାକରା ଦେଇଛି ସମ୍ୟୁକ୍ତ କିଶାନ ମୋର୍ଚ୍ଚା(ଏସକେଏମ୍)। ହରିୟାଣା ନୁହରେ କିଶାନ ମହାସଭାରେ ଯୋଗଦେଇ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଏସକେଏମ ନେତା ଦର୍ଶନ ପାଲ ସିଂହ। ଏଥିସହିତ ଦକ୍ଷିଣ ହରିୟାଣା ମେୱାତର କୃଷକଙ୍କୁ ଦିଲ୍ଲୀ ବନ୍ଦ ପାଇଁ ପ୍ରସ୍ତୁତ ରହିବାକୁ ନିବେଦନ କରିଛନ୍ତି। ଏଥିସହିତ ସେପ୍ଟେମ୍ବର ୫ ତାରିଖରେ ଉତ୍ତର ପ୍ରଦେଶର ମୁଜାଫରନଗର ମହାପଞ୍ଚାୟତରେ ‘ମିଶନ ୟୁପି’ର ଘୋଷଣା କରାଯିବ ଏବଂ ପ୍ରତ୍ୟେକ ତହସିଲରେ ଏସକେଏମର ସଂଗଠନ କରାଯିବ ବୋଲି ଶ୍ରୀ ପାଲ କହିଛନ୍ତି। ସେହିପରି କୃଷକ ନେତା ତଥା ପୂର୍ବତନ ଆପ୍ ନେତା ଯୋଗେନ୍ଦ୍ର ଯାଦବ ମଧ୍ୟ ସେପ୍ଟେର ୫ ତାରିଖକୁ ଦେଶର କୃଷକଙ୍କ ପାଇଁ ଏକ ପରୀକ୍ଷା ହେବ ବୋଲି ସେ କହିଛନ୍ତି। ଏଥିସହିତ ମେୱାତ କୃଷକଙ୍କୁ ଉତ୍ତର ପ୍ରଦେଶରେ ପହଞ୍ଚି ସମସ୍ତ ପ୍ରସ୍ତୁତି କରିବା ପାଇଁ ଅନୁରୋଧ କରିଛନ୍ତି।
    ତେବେ ଗତକାଲି ହରିୟାଣାର କର୍ଣ୍ଣାଲର ଘରୌନ୍ଦା ଟୋଲ୍ ପ୍ଲାଜା ନିକଟରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରୁଥିବା କୃଷକଙ୍କ ଉପରେ ଲାଠି ଚାର୍ଜ କରିଥିଲା ପୁଲିସ। ଏଥିରେ ଲହୁଲୁହାଣ ହୋଇଥିଲେ କୃଷକ। ଆଜି ଏହାକୁ ନିନ୍ଦା କରିଛନ୍ତି ଭାରତୀୟ କିଷାନ ମୋର୍ଚ୍ଚା ନେତା ରାକେଶ ଟିକାୟତ। କୃଷକଙ୍କ ମୁଣ୍ଡ ଫଟାଇବା ପାଇଁ ସରକାରୀ ତାଲିବାନ ଆଦେଶ ଦେଇଥିଲେ ବୋଲି ଶ୍ରୀ ଟିକାୟତ କହିଛନ୍ତି। ତୁମେ ଆମକୁ ଖାଲିସ୍ତାନୀ ଡାକିଲେ ଆମେ ତୁମକୁ ତାଲିବାନି ଡାକିବୁ। ଆମେ ପ୍ରଥମ ଥର ପାଇଁ ଭାରତରେ ତାଲିବାନକୁ ଦେଖିଲୁ ବୋଲି ସେ କହିଛନ୍ତି।