ସ୍ୱଦେଶୀ ଅସ୍ତ୍ରଶସ୍ତ୍ର ରପ୍ତାନୀ କରିବ ଭାରତ

ନୂଆଦିଲ୍ଲୀ: ଭାରତ ସରକାର ସ୍ୱଦେଶୀ ଅସ୍ତ୍ରଶସ୍ତ୍ର ରପ୍ତାନୀ କରିବାକୁ ନେଇ ରଣନୀତି ପ୍ରସ୍ତୁତ କରିଛନ୍ତି। ଏଥିରେ ଭାରତ ତା’ର ରାଜନୈତିକ ସମ୍ପର୍କକୁ ଉପଯୋଗ କରିବ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ସହ ଜଡ଼ିତ ଏକ ସୂତ୍ରରୁ ଜଣାପଡ଼ିଛି।

ପ୍ରତିରକ୍ଷା ଉତ୍ପାଦନ ବିଭାଗର ସଚିବ ରାଜକୁମାର କହିଛନ୍ତି ଯେ, ଆମ ଭିନ୍ନ ଭିନ୍ନ ଦେଶର ଆବଶ୍ୟକତା ଅନୁସାରେ ରକ୍ଷା ସାମଗ୍ରୀର ଏକ ପ୍ରୋଫାଇଲ ପ୍ରସ୍ତୁତ କରୁଛୁ । ଏଥିଲାଗି ଆମେ ଖୁବଶୀଘ୍ର ପ୍ରତିରକ୍ଷା ଇଣ୍ଡଷ୍ଟ୍ରୀ ସହ ଆଲୋଚନା କରିବୁ। ଫଳରେ ଆମକୁ ସେହି ଦେଶର ଆବଶ୍ୟକତା ସମ୍ପର୍କରେ ଜଣାପଡ଼ିବ ଏବଂ ଆମ ଡୀପୀଏସୟୁ ଓ ରକ୍ଷା ସାମଗ୍ରୀ ନିର୍ମାଣ କରୁଥିବା କମ୍ପାନୀକୁ ଉତ୍ପାଦନରେ କୌଣସି ସମସ୍ୟା ଦେଖାଦେବ ନାହିଁ। ଭାରତ ସରକାର ତା’ର ପ୍ରତିରକ୍ଷା ପ୍ରତିନିଧୀ, ଦୂତବାସ ଓ ରାଜନୈତିକ ଚ୍ୟାନେଲକୁ ଉପଯୋଗ କରି ମେକ ଇଣ୍ଡିଆ ଅନ୍ତର୍ଗତ ପ୍ରସ୍ତୁତ କରିବାକୁ ଥିବା ଅସ୍ତ୍ରଶସ୍ତ୍ରର ରପ୍ତାନୀ ବଢ଼ାଇବ ବୋଲି ରାଜକୁମାର କହିଛନ୍ତି।

ସୂଚନାଯୋଗ୍ୟ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଚଳିତ ମାସ ପ୍ରାରମ୍ଭରେ ଏକ ବଡ଼ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇ କହିଥିଲେ କି, ୧୦୧ଟି ସାମଗ୍ରୀର ଏକ ବ୍ଲାକଲିଷ୍ଟ ପ୍ରସ୍ତୁତ କରାଯାଇଛି ଯାହାକୁ ଏବେ ଭାରତ ସରକାର ଆଉ କିଣିବେ ନାହିଁ। ଏହାର ଉତ୍ପାଦନ ଭାରତରେ ହିଁ ହେବ ଯଦ୍ୱାରା ଘରୋଇ ପ୍ରତିରକ୍ଷା ଉତ୍ପାଦନ ବଢ଼ିବା ସହ ଦେଶର ଆବଶ୍ୟକତା ପୂରଣ ହୋଇପାରିବ।