ଭାରତ-ପାକ୍ ପରମାଣୁ ଯୁଦ୍ଧ ହେଲେ ୧୨୫ ନିୟୁତ ମରିବେ

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ପରମାଣୁ ଯୁଦ୍ଧରେ ମାତିଲେ, ପ୍ରାୟ ୧୨୫ ନିୟୁତ ଲୋକ ପ୍ରାଣ ହରାଇବାର ସମ୍ଭାବନା ଅଛି। ଏଭଳି ହେଲେ, ବିଶ୍ୱ ଜଳବାୟୁ ଉପରେ ଗଭୀର ପ୍ରଭାବ ପଡ଼ିବାର ସମ୍ଭାବନା ଅଛି ବୋଲି ଯୁକ୍ତରାଷ୍ଟ୍ର ଆମେରିକାରୁ ପ୍ରକାଶିତ ଏକ ରିପୋର୍ଟ ଉଲ୍ଲେଖ କରିଛି।

ଭାରତ-ପାକ୍ ଯୁଦ୍ଧରେ ପରମାଣୁ ବୋମା ବ୍ୟବହାର କରାଗଲେ, ତା’ର ପ୍ରଭାବ କେବଳ ସ୍ଥାନୀୟ ଅଞ୍ଚଳ ଉପରେ ପଡ଼ିବନି ବରଂ ସାରା ପୃଥିବୀ ଉପରେ ପଡ଼ିବ। ଜର୍ଣ୍ଣାଲ ସାଇନ୍ସ ଆଡଭାନ୍ସେସରେ ପ୍ରକାଶିତ ରିପୋର୍ଟ ଅନୁସାରେ ୨୦୨୫ ଭିତରେ ଭାରତ-ପାକ୍ ଯୁଦ୍ଧ ଘଟିବାର ସମ୍ଭାବନା ଅଛି। କଶ୍ମୀର ମାମଲାକୁ ନେଇ ଉଭୟ ଦେଶ ମଧ୍ୟରେ ଏକାଧିକବାର ଯୁଦ୍ଧ ହୋଇସାରିଛି।

୨୦୨୫ ସୁଦ୍ଧା ଉଭୟଙ୍କ ନିକଟରେ ପ୍ରାୟ ୪୦୦-୫୦୦ ପରମାଣୁ ଅସ୍ତ୍ରଶସ୍ତ୍ର ମହଜୁଦ ହୋଇସାରିଥିବ। ବିଶ୍ୱରେ ପ୍ରାୟ ୯ଟି ଦେଶ ପାଖରେ ପରମାଣୁ ବୋମା ଅଛି। ସେମାନଙ୍କ ମଧ୍ୟରୁ ଭାରତ ଓ ପାକିସ୍ତାନ ବିବାଦ କ୍ରମେ ତୀବ୍ରତର ହେବାକୁ ଲାଗିଛି ବୋଲି ଯୁକ୍ତରାଷ୍ଟ୍ର ଆମେରିକା ପ୍ରଫେସର ରୋବୋକ୍ କହିଛନ୍ତି। ବିଶେଷଜ୍ଞଙ୍କ ମତରେ ୨୦୨୫ ସୁଦ୍ଧା ବିଶ୍ୱରେ ମହଜୁଦ ପରମାଣୁ ବୋମାଗୁଡ଼ିକର ଓଜନ ପ୍ରାୟ ୧୫ କିଲୋଟନରେ ପହଞ୍ଚିବ ଯାହା ୧୯୪୫ରେ ଜାପାନର ହିରୋସୀମା ଉପରେ ଯୁକ୍ତରାଷ୍ଟ୍ର ଆମେରିକା ପକାଇଥିବା ପରମାଣୁ ବୋମା ଓଜନ ତୁଳନାରେ ବହୁଗୁଣ ଅଧିକ।