ନୂଆଦିଲ୍ଲୀ,ଏଜେନ୍ସି: ଭାରତୀୟ ବାୟୁ ସେନାର ପ୍ରଥମ ସି-୧୭ ଗ୍ଲୋବମାଷ୍ଟର ବିମାନ ରୋମାନିଆରୁ ଫେରିଆସିଛି। ଏଥିରେ ପାଖାପାଖି ୨୦୦ ଭାରତୀୟ ନାଗରିକ ଯାତ୍ରୀ ଥିଲେ। ବାୟୁସେନାର ସି-୧୭ ଗ୍ଲୋବମାଷ୍ଟର ବିମାନ ନିଜର ହୋମବେସ ହିଣ୍ଡନରେ ଅବତରଣ କରିଛି। ସି-୧୭ ଗ୍ଲୋବମାଷ୍ଟରରେ ଆସିଥିବା ଭାରତୀୟଙ୍କୁ ସ୍ୱାଗତ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଅଜୟ ଭଟ୍ଟ ମଧ୍ୟ ହିଣ୍ଡନ ପହଞ୍ଚିଥିଲେ।
ଜାତୀୟ ଗଣମାଧ୍ୟମ ସଂସ୍ଥାକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଭଟ୍ଟ କହିଛନ୍ତି ଯେ, ୟୁକ୍ରେନ୍ର ପଡୋଶୀ ଦେଶକୁ ୪ଜଣ ମନ୍ତ୍ରୀ ଯାଇଛନ୍ତି। ଯେତେଦିନ ପର୍ଯ୍ୟନ୍ତ ପ୍ରତ୍ୟେକ ନାଗରିକଙ୍କୁ ସେଠାରୁ ଉଦ୍ଧାର କରା ନଯାଇଛି, ସେତେଦିନ ପର୍ଯ୍ୟନ୍ତ ଭାରତୀୟ ବାୟୁସେନାର ବିମାନ ସହିତ ଘରୋଇ ଉଡାଣ ମଧ୍ୟ ପରିଚାଳନା କରାଯିବ। ସେ କହିଛନ୍ତି ଯେ, ଭାରତ ସରକାର ନିଜର ନାଗରିକଙ୍କୁ ଭୋଜନ, ଟେଣ୍ଟ, ଔଷଧ, ବସ୍ତ୍ର ଓ କମ୍ବଲର ବ୍ୟବସ୍ଥା କରିଛନ୍ତି।
ଅନ୍ୟପଟରେ ଭାରତୀୟ ଛାତ୍ରଛାତ୍ରୀଙ୍କୁ ନେଇ ଏୟାର ଇଣ୍ଡିଆର ବିମାନ ମୁମ୍ବାଇ ପହଞ୍ଚିଛି। ଏହି ବିମାନରେ ୧୮୩ ଜଣ ଭାରତୀୟ ବୁଖାରେଷ୍ଟରୁ ଫେରିଛନ୍ତି। ମୁମ୍ବାଇ ପହଞ୍ଚିଥିବା ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ରାଓସାହେବ ଦାନୱେ ପହଞ୍ଚିଥିଲେ। ଏହା ପୂର୍ବରୁ ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ବୁଧବାର ବିଳମ୍ବିତ ସନ୍ଧ୍ୟାରେ ଟୁଇଟ କରି ଏବାବଦରେ ସୂଚନା ଦେଇଥିଲେ ଯେ ବାୟୁସେନା ସମେତ ୯ଟି ବିମାନ ଆଜି ହଙ୍ଗେରି, ରୋମାନିଆ, ସ୍ଲୋଭାକିଆ ଓ ପୋଲାଣ୍ଡରୁ ଦିଲ୍ଲୀ ପହଞ୍ଚିଛି। ଏହା ବ୍ୟତୀତ ଅନ୍ୟ ୬ଟି ବିମାନ ଖୁବ ଶୀଘ୍ର ଆସିବ। ସେ ଟୁଇଟ୍ କରି କହିଥିଲେ ଯେ, ମୋଟ ୩୦୦୦ ଭାରତୀୟଙ୍କୁ ଆଣିବାର ବାକି ଅଛି।