ଭାରତ-ନେପାଳ ସୀମାରେ ନେପାଳୀ ପୁଲିସ ଦ୍ୱାରା ଗୁଳିଚାଳନା: ଜଣେ ମୃତ, ୨ ଗୁରୁତର

ନୂଆଦିଲ୍ଲୀ: ଭାରତ-ନେପାଳ ସୀମାସ୍ଥିତ ବିହାରର ସୀତାମାଢ଼ୀ ଜିଲ୍ଲାରେ ନେପାଳୀ ପୁଲିସ ଦ୍ୱାରା ଗୁଳି ଚାଳନା କରାଯାଇଛି। ଏଥିରେ କ୍ଷେତରେ କାମ କରୁଥିବା ଜଣେ ଭାରତୀୟ ଲୋକର ମୃତ୍ୟୁ ହୋଇଥିବା ୨ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତ ହୋଇଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଓ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି।
ସୂତ୍ରରୁ ଜଣାପଡ଼ିଛି ଯେ, ସୋନବରସା ଥାନା ଅନ୍ତର୍ଗତ ଜାନକୀନଗର ସୀମାନ୍ତରେ ନେପାଳ ପୁଲିସ ସୀମାରେ ଭାରତୀୟ ପୁଲିସ ଉପରେ ଆଖିବୁଜା ଗୁଳିଚାଳନା କରିଥିଲା। ଏହି ଘଟଣା ସମ୍ପର୍କରେ ସଶସ୍ତ୍ର ସୀମା ବଳର ବିହାର ସେକ୍ଟରର ଆଇଜି ସୂଚନା ଦେଇଛନ୍ତି। ଏଥିସହିତ ବୋର୍ଡର ସୁରକ୍ଷାରେ ରହିଥିବା ଏଏସବୀ ଏହି ଘଟଣାର ଯାଂଚ ଜାରି ରଖିଛନ୍ତି। ଏଥିରେ ନେପାଳ ପୁଲିସ ତରଫରୁ ଗୁଳି ଚାଳନା ଆରମ୍ଭ ହୋଇଥିବା ସ୍ଥାନୀୟ ଲୋକ କହିଛନ୍ତି।

ସୂଚନାଯୋଗ୍ୟ, ଘଟଣା ପରେ ସୀମାରେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ଘଟଣା ସେହି ସମୟରେ ହୋଇଛି ଯେତେବେଳେ ଭାରତ-ନେପାଳ ମଧ୍ୟରେ ନକ୍ସା ବିବାଦ ଲାଗି ରହିଛି। ଆଉ ନେପାଳ ସଂସଦରେ ନୂଆ ନକ୍ସା ପାଇଁ ସମ୍ବିଧାନରେ ସଂଶୋଧନ କରାଯାଇଥିବା ବିଲକୁ ମଧ୍ୟ ମଞ୍ଜୁରୀ ଦିଆଯାଇ ସାରିଛି।