ଚେନ୍ନାଇରେ ଇଂଲଣ୍ଡଠୁ ହାରିଲା ଭାରତ

ଚେନ୍ନାଇ: ଘରୋଇ ପିଚରେ ବିଜୟ ହାସଲ କରିବାରେ ମାହିର ଥିବା ଭାରତୀୟ ଦଳ ଚେନ୍ନାଇରେ ଇଂଲଣ୍ଡ ବିପକ୍ଷରେ ଖେଳିଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ପରାଜୟର ସ୍ୱାଦ ଚାଖିଛି। ଭାରତ-ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ୪ଟି ଟେଷ୍ଟ ମ୍ୟାଚ୍ ମଧ୍ୟରୁ ପ୍ରଥମ ମ୍ୟାଚରେ ଇଂଲଣ୍ଡ ଟିମ୍ ଭାରତକୁ ୨୨୭ ରନରେ ହରାଇ ଦେଇଛି। ମ୍ୟାଚର ଅନ୍ତିମ ଦିନରେ ୪୨୦ ରନର ପିଛା କରି ଭାରତୀୟ ଟିମ୍ ୧୯୨ ରନରେ ଅଲଆଉଟ ହୋଇଯାଇଥିଲା। ଫଳରେ ୪ଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଇଂଲଣ୍ଡ ୧-୦ରେ ଆଗୁଆ ରହିଛି।

ସୂଚନାଯୋଗ୍ୟ, ଚେନ୍ନାଇ ପିଚ୍ ପ୍ରଥମ ୨ଦିନ ବ୍ୟାଟିଂ ଲାଗି ଖୁବ୍ ଭଲ ଥିଲା ଯାହାର ଭରପୂର ଲାଭ ଇଂଲଣ୍ଡ ଟିମ୍ ଉଠାଇ ୫୭୮ ରନର ଲକ୍ଷ୍ୟ ରଖିଥିଲା। ତୃତୀୟ ଦିନରେ ଯେତେବେଳେ ଭାରତୀୟ ଟିମ୍ ବ୍ୟାଟିଂ କଲା ସେତେବେଳେ ପିଚ୍ ସ୍ପିନ ବୋଲରଙ୍କୁ ସୁହାଇଲା। ଆଉ ଇଂଲଣ୍ଡ ଭାରତକୁ ୩୩୭ ରନରେ ଅଲଆଉଟ କରି ୨୪୧ ରନରେ ଆଗୁଆ ରହିଥିଲା। ଆଉ ଦ୍ୱିତୀୟ ପାଳିରେ ଇଂଲଣ୍ଡ ଭାରତ ସମ୍ମୁଖରେ ୪୨୦ ରନର ଲକ୍ଷ୍ୟ ରଖିଥିଲା ଯାହାକୁ ଭାରତୀୟ ଟିମ୍ ହାସିଲ କରି ପାରିନଥିଲା।