ରୋହିତ ଶର୍ମାଙ୍କ ଶତକରେ ମ୍ୟାଚ୍‌କୁ ଫେରିଲା ଭାରତ, ଇଂଲଣ୍ଡଠୁ ୧୭୧ ରନର ଅଗ୍ରଣୀ ହାସଲ

ଓଭାଲ,ଏଜେନ୍ସି: ହିଟ୍‌ ମ୍ୟାନ୍‌ ରୋହିତ ଶର୍ମାଙ୍କ ବିଦେଶ ମାଟିରେ ପ୍ରଥମ ଟେଷ୍ଟ ଶତକ ବଳରେ ଓଭାଲରେ ଖେଳାଯାଉଥିବା ଚତୁର୍ଥ ଟେଷ୍ଟରେ ଭାରତ ପ୍ରତ୍ୟାବର୍ତ୍ତନ କରିଛି। ଖରାପ ଆଲୋକ ଯୋଗୁଁ ତୃତୀୟ ଦିନର ଶେଷ ସୁଦ୍ଧା ଭାରତ ୩ ଓ୍ଵିକେଟ୍ ହରାଇ ୨୭୦ ରନ କରିଛି। ହାତରେ ଆହୁରି ୭ ଓ୍ଵିକେଟ୍ ବାକି ଥାଇ ଭାରତ ଘରୋଇ ଇଂଲଣ୍ଡଠୁ ୧୭୧ ରନରେ ଅଗ୍ରଣୀ ହାସଲ କରିଛି। ଅଧିନାୟକ ବିରାଟ କୋହଲି(୨୨) ଓ ରବୀନ୍ଦ୍ର ଜାଡେଜା(୯) ଅପରାଜିତ ଅଛନ୍ତି। ଏହା ପୂର୍ବରୁ ରୋହିତ ଶର୍ମା(୧୨୭) ଏବଂ ଚେତେଶ୍ଵର ପୂଜାରା (୬୧) ଦମଦାର ଇନିଂସ ଖେଳିଛନ୍ତି। ଓପନର କେଏଲ ରାହୁଲ ମଧ୍ୟ ୪୬ ରନର ଉପଯୋଗୀ ଇନିଂସ ଖେଳିଛନ୍ତି। ଚତୁର୍ଥ ଦିନର ଖେଳ ବହୁତ ରୋମାଞ୍ଚକର ହେବାକୁ ଯାଉଛି। ଇଂଲଣ୍ଡ ଦ୍ଵିତୀୟ ଇନିଂସରେ ୨୯୦ ରନ କରିବା ସହ ଭାରତଠୁ ୯୯ ରନର ଅଗ୍ରଣୀ ହାସଲ କରିଥିଲା।

ଭାରତ ୪୩/୦ରୁ ତୃତୀୟ ଦିନର ଖେଳ ଆରମ୍ଭ କରିଥିଲା। ଦୁଇ ଅପରାଜିତ ଓପନର ରୋହିତ ଶର୍ମା ଓ ଲୋକେଶ ରାହୁଲ ଭାରତୀୟ ଦଳକୁ ଭଲ ଆରମ୍ଭ ଦେଇଥିଲେ। ଦୁଇ ଖେଳାଳି ପ୍ରଥମ ଓ୍ଵିକେଟ୍ ପାଇଁ ୮୩ ରନ ଯୋଡିଥିଲେ। ହେଲେ ସେଟ୍ ହୋଇଥିବା ଏହି ଯୋଡିକୁ ଭାଙ୍ଗିଥିଲେ ଜେମ୍ସ ଆଣ୍ଡରସନ। ଆଣ୍ଡରସନ ୩୪ତମ ଓଭରରେ କେଏଲ ରାହୁଲ(୪୬)ଙ୍କୁ ଆଉଟ୍ କରିଥିଲେ। ଏହା ପରେ ରୋହିତ ଓ ଚେତେଶ୍ଵର ପୂଜାରା ଦଳର ଇନିଂସକୁ ଆଗକୁ ବଢାଇଥିଲେ। ଉଭୟ ବ୍ୟାଟସମ୍ୟାନ କ୍ରିଜରେ ଜମି ରହି ଇଂଲଣ୍ଡ ବୋଲରଙ୍କୁ ନୟାନ୍ତ କରିଥିଲେ। ଏହି କ୍ରମରେ ରୋହିତ ଶର୍ମା ମୋଇନ ଅଲ୍ଲୀଙ୍କ ବଲ୍‌ରେ ଛକା ମାରି ୨୦୪ ବଲ୍‌ରେ ନିଜର ଅଷ୍ଟମ ଟେଷ୍ଟ ଶତକ ପୂରଣ କରିଥିଲେ। ବିଦେଶ ମାଟିରେ ରୋହିତଙ୍କ ଏହା ପ୍ରଥମ ଟେଷ୍ଟ ଶତକ। ସେପଟେ ଚେତେଶ୍ଵର ପୂଜାରା ମଧ୍ୟ ଆକର୍ଷଣୀୟ ବ୍ୟାଟିଂ କରି ୩୧ତମ ଅର୍ଦ୍ଧଶତକ ପୂରଣ କରିଥିଲେ। ପ୍ରଥମ ସେସନରେ ମାତ୍ର ଗୋଟିଏ ଓ୍ଵିକେଟ୍ ହରାଇଥିବା ଭାରତ ଦ୍ଵିତୀୟ ସେନସରେ କୌଣସି ଓ୍ଵିକେଟ୍ ହରାଇନଥିଲା।

ହେଲେ ଶେଷ ସେସନରେ ବଲ୍‌ ପରିବର୍ତ୍ତନ ହେବା ମାତ୍ରେ ଏହାର ପ୍ରଥମ ଓଭରରେ ଭାରତକୁ ଡବଲ ଝଟକା ଦେଇଥିଲେ ଓଲି ରବିନସନ। ସେ ରୋହିତ ଓ ପୂଜାରାଙ୍କୁ ପାଭିଲିୟନ ପଠାଇଥିଲେ। ରବିନସନଙ୍କ ବଲ୍‌ରେ ପୁଟ୍ ସଟ୍ ଖେଳିବାକୁ ଯାଇ ରୋହିତ ଶର୍ମା କ୍ୟାଚ୍ ଆଉଟ୍ ହୋଇଥିଲେ। ଏଥିସହ ରୋହିତଙ୍କ ୧୨୭ ରନର ମାରାଥନ ଇନିଂସର ଅନ୍ତ ଘଟିଥିଲା। ଏହି ସମୟରେ ରୋହିତ ୧୪ ଚୌକା ଓ ୧ ଛକା ଲଗାଇଥିଲେ। ଏହା ବାଦ୍ ଚେତେଶ୍ଵର ପୂଜାରାଙ୍କ ସହ ଦ୍ଵିତୀୟ ଓ୍ଵିକେଟ୍‌ରେ ୧୫୩ ରନ ଯୋଡି ଭାରତର ସ୍ଥିତି ମଜବୁତ କରିଥିଲେ। ରୋହିତଙ୍କ ପରେ ପରେ ପୂଜାରା ମଧ୍ୟ ଆଉଟ୍ ହୋଇଥିଲେ। ସେ ୬୧ ରନ କରି ପାଭିଲିୟନ ଫେରିଥିଲେ। ଏହା ପରେ ଅଧିନାୟକ ବିରାଟ କୋହଲି ଓ ରବୀନ୍ଦ୍ର ଜାଡେଜା ଦିନର ଖେଳ ଶେଷ ପର୍ଯ୍ୟନ୍ତ ଭାରତକୁ ଆଉ କୌଣସି କ୍ଷତି ହେବାକୁ ଦେଇ ନାହାନ୍ତି। ଦୁଇ ବ୍ୟାଟସମ୍ୟାନ ଚତୁର୍ଥ ଓ୍ଵିକେଟ୍‌ରେ ଏ ପର୍ଯ୍ୟନ୍ତ ୩୩ ରନ ଯୋଡି ସାରିଛନ୍ତି। ବିରାଟ ୨୨ ଏବଂ ଜାଡେଜା ୯ ରନ କରି ଅପରାଜିତ ଅଛନ୍ତି।

ଇଂଲଣ୍ଡ ପକ୍ଷରୁ ଓଲି ରବିନସନ ୨ ଏବଂ ଜେମ୍ସ ଆଣ୍ଡରସନ ଗୋଟିଏ ସଫଳତା ହାସଲ କରିଛନ୍ତି। ଏହା ପୂର୍ବରୁ ଭାରତ ପ୍ରଥମ ଇନିଂସରେ ୧୯୧ ରନର ଜବାବରେ ଇଂଲଣ୍ଡ ୨୯୦ ରନ କରିଥିଲା।