ସାମି ଓ ଯାଦବଙ୍କ ଘାତକ ବୋଲିଂ: ବିଜୟର ଦ୍ୱାରଦେଶରେ ଭାରତ

ରାଞ୍ଚି: ଦୁଇ ଫାଷ୍ଟ ବୋଲର ମହମ୍ମଦ୍ ସାମି ଓ ଉମେଶ ଯାଦବଙ୍କ ଘାତକ ବୋଲିଂ ସହାୟତାରେ ଏଠାରେ ଚାଲିଥିବା ସାଉଥ୍ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଭାରତ ବିଜୟର ଦ୍ୱାରଦେଶରେ ପହଞ୍ଚିଛି। ଏହି ମ୍ୟାଚର ତୃତୀୟ ଦିନରେ ୧୫ଟି ୱିକେଟର ପତନ ଘଟିଛି। ଏ ସମସ୍ତ ୱିକେଟ ସାଉଥ ଆଫ୍ରିକାର। ଭାରତ ୯ ୱିକେଟ ହରାଇ ୪୯୭ ରନରେ ପ୍ରଥମ ଇନିଂସ ଘୋଷଣା କରିବା ପରେ ସାଉଥ୍ ଆଫ୍ରିକା ୧୬୨ ରନ୍ରେ ଅଲଆଉଟ ହୋଇଯାଇଥିଲା।

ପ୍ରଥମ ଇନିଂସରେ ୩୩୫ ରନ୍ରେ ଆଗୁଆ ରହିବା ପରେ ଭାରତ ପ୍ରତିପକ୍ଷ ସାଉଥ୍ ଆଫ୍ରିକାକୁ ଫଲୋଅନ୍ ଦେଇଥିଲା। ଫଲୋଅନ୍ ହେବା ପରେ ଦ୍ୱିତୀୟ ଇନିଂସରେ ସାଉଥ୍ ଆଫ୍ରିକା ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ୮ ୱିକେଟରେ ୧୩୨ ରନ୍ କରି ପରାଜୟର ନିକଟରେ ପହଞ୍ଚିଛି। ଏହି ସମୟରେ ଭ୍ରମଣକାରୀ ଦଳକୁ ମ୍ୟାଚ୍ ଜିତିବା ଲାଗି ଆହୁରି ୨୦୪ ଆବଶ୍ୟକ ହେଉଥିଲାବେଳେ ଭାରତକୁ ବାକିଥିବା ୨ଟି ୱିକେଟର ଆବଶ୍ୟକତା ରହିଛି।

ସୋମବାର ଷ୍ଟମ୍ପସ୍ ଅପସାରଣ ବେଳକୁ ସାଉଥ୍ ଆଫ୍ରିକା ଦ୍ୱିତୀୟ ଇନିଂସରେ ଡିନ୍ ଏଲଗାରଙ୍କ କନକସନ ବଦଳ ଖେଳାଳି ଥେଉନିସ୍ ଡି ବ୍ରୁଇନ୍ ୩୦ ଓ ଆନରିଚ୍ ନୋର୍ଜେ ୫ ରନ୍ରେ ବ୍ୟାଟିଂ କରୁଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜର୍ଜ ଲିଣ୍ଡେ ୨୭, ଡେନ୍ ପିଏଡଟ ୨୩ ଓ ରିଟାୟର୍ଡ ହର୍ଟ ହୋଇଥିବା ଏଲଗାର ୧୬ ରନ୍ କରି ଡବଲ ଫିଗର ଛୁଇଁଥିଲେ। ଭାରତ ପକ୍ଷରୁ ସାମି ୩ଟି ଓ ଉମେଶ ୨ଟି ୱିକେଟ ଅକ୍ତିଆର କରିଥିଲେ। ସାଉଥ ଆଫ୍ରିକାର ଉଭୟ ଇନିଂସରେ ଏଯାଏ ପଡ଼ିଥିବା ୧୮ଟି ୱିକେଟ ମଧ୍ୟରୁ ସାମି ଓ ଉମେଶ ମିଳିତ ଭାବେ ୧୦ଟି ୱିକେଟ ଅକ୍ତିଆର କରି ସର୍ବାଧିକ ବିପର୍ଯ୍ୟୟ ଘଟାଇଛନ୍ତି।

ପୂର୍ବରୁ ୨ ୱିକେଟରେ ୯ ରନରୁ ଖେଳ ଆରମ୍ଭ କରି ସାଉଥ୍ ଆଫ୍ରିକା କ୍ରମାଗତ ୱିକେଟ ହରାଇଥିଲା। ନବାଗତ ଜୁବେର୍ ହମଜା ଏକମାତ୍ର ଖେଳାଳିଭାବେ ଭାରତୀୟ ବୋଲରଙ୍କୁ ଉଚିତ ମୁକାବିଲା କରି ଦଳ ପକ୍ଷରୁ ସର୍ବାଧିକ ୬୨ ରନ୍ କରିଥିଲେ। ଟେମ୍ବା ବଭୂମା ୩୨ ଓ ଜର୍ଜ ଲିଣ୍ଡେ ୩୭ ରନ୍ କରି ହମଜାଙ୍କୁ ଉପଯୁକ୍ତ ସହାୟତା ଦେଇଥିଲେ। ଅନ୍ୟ କୌଣସି ଖେଳାଳି ଡବଲ ଫିଗର ଛୁଇଁ ନଥିଲେ। ହମଜା ୪ର୍ଥ ୱିକେଟରେ ବଭୂମା (୩୨)ଙ୍କ ସହ ୯୦ ରନ୍ କରି ଦଳର କିଛିଟା ସମ୍ମାନ ରକ୍ଷା କରିଥିଲେ। ଭାରତ ପକ୍ଷରୁ ସାମି ୨ଟି ଓ ଉମେଶ ୩ଟି ୱିକେଟ ନେଇଥିଲେ। ଦୂର ଦୁଇ ବାମହାତୀ ସ୍ପିନର ଶାହବାଜ ନଦୀମ ଓ ରବୀନ୍ଦ୍ର ଜାଡେଜାଙ୍କୁ ୨ଟି ଲେଖାଏଁ ୱିକେଟ ମିଳିଥିଲା।