ଅଲମ୍ପିକ୍‌ ମହିଳା ହକି ସେମିଫାଇନାଲରେ ଭାରତ

ଟୋକିଓ,ଏଜେନ୍ସି: ଭାରତୀୟ ମହିଳା ହକି ଟିମର ବାଜିମାତି। ଭାରତୀୟ ପୁରୁଷ ହକି ଟିମ ପରେ ଚଳିତ ଅଲମ୍ପିକରେ ହକି ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିଛି ମହିଳା ଟିମ। କ୍ୱର୍ଟର-ଫାଇନାଲ ମୁକାବିଲାରେ ଅଷ୍ଟ୍ରେଲିଆକୁ ୧-୦ରେ ହରାଇଛି ରାନୀ ରାମପାଲଙ୍କ ଟିମ। ମ୍ୟାଚର ଦ୍ୱିତୀୟ ୧୫ ମିନିଟରେ ପେନାଲିଟ କର୍ଣ୍ଣର ସୁଯୋଗକୁ ଗୁରଜିତ କୌର ଦମଦାର ଗୋଲ୍‌ରେ ପରିଣତ କରିବା ପରେ ଭାରତ ଆଗୁଆ ରହିଥିଲା। ଭାରତୀୟ ଟିମ ପ୍ରତିପକ୍ଷ କଙ୍ଗାରୁ ଖେଳାଳିଙ୍କୁ ପରବର୍ତ୍ତୀ ଦୁଇଟି କ୍ୱାର୍ଟରରେ ଗୋଲ୍‌ କରିବାକୁ କୌଣସି ସୁଯୋଗ ଦେଇନଥିଲେ।

ସବିତା ପୁନିଆଙ୍କ ନେତୃତ୍ୱରେ ଟିମର ଡିଫେନ୍ସ ଦମଦାର ରହିଥିଲା ଫଳରେ ତୃତୀୟ ଓ ଚତୁର୍ଥ କ୍ୱାର୍ଟର ଗୋଲ୍‌ ଶୂନ୍ୟ ରହିଥିଲା। ଫଳରେ ଭାରତ ସେମିଫାଇନାଲରେ ସ୍ଥାନ ପକ୍କା କରିଛି।

ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।