ଦ୍ୱିତୀୟ ଟେଷ୍ଟରେ ଭାରତର ସ୍ଥିତି ମଜଭୁତ

ବିରାଟ କୋହଲି-୨୫୪³, ରବୀନ୍ଦ୍ର ଜାଡେଜା-୯୧

ପୁନେ: ଅଧିନାୟକ ବିରାଟ କୋହଲିଙ୍କ ଅପରାଜିତ ଦ୍ୱିଶତକ (୨୫୪) ଏବଂ ରବୀନ୍ଦ୍ର ଜାଡେଜାଙ୍କ ଦ୍ରୁତ ୯୧ ରନ୍ ସହାୟତାରେ ଏଠାରେ ଚାଲିଥିବା ସାଉଥ୍ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଭାରତ ୫ ୱିକେଟ୍ ରେ ୬୦୧ ରନର ବିଶାଳ ସ୍କୋର କରି ପ୍ରଥମ ଇନିଂସ ଘୋଷଣା କରିଛି। ଜବାବରେ ସାଉଥ୍ ଆଫ୍ରିକା ୩୬ରନ୍ରେ ଆଗଧାଡିର ତିନି ବ୍ୟାଟ୍ସମ୍ୟାନ୍ ଙ୍କୁ ହରାଇ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି।

ଶୁକ୍ରବାର ଦ୍ୱିତୀୟ ଦିନ ଷ୍ଟମ୍ପସ ଅପସାରଣ ବେଳକୁ ଥେଉନିସ୍ ଡି ବ୍ରୁଏନ୍ ୨୦ ଓ ନାଇଟ୍ ୱାଚମ୍ୟାନ୍ ଆନ୍ରିଚ୍ ନୋର୍ଜେ ୨ ରନ୍ ସଂଗ୍ରହ କରି ଅପରାଜିତ ରହିଛନ୍ତି। ଆଉଟ ହୋଇଥିବା ଖେଳାଳିଙ୍କ ମଧ୍ୟରେ ଡିନ୍ ଏଲଗାର ୬, ଆଇଡେନ ମାର୍କରାମ ୦ ଏବଂ ଟେମ୍ବା ବଭୂମା ୮ ରନ୍ କରିଛନ୍ତି। ଭାରତ ପକ୍ଷରୁ ଦୁଇ ଫାଷ୍ଟ ବୋଲର ଉମେଶ ଯାଦବ ୨ଟି ଓ ମହମ୍ମଦ୍ ସାମି ଗୋଟିଏ ୱିକେଟ ଅକ୍ତିଆର କରିଛନ୍ତି। ଖେଳ ଆଉ ୩ ଦିନ ବାକିଥିଲାବେଳେ ଭାରତ ୫୬୫ ରନ୍ରେ ଆଗୁଆ ରହି ଡ୍ରାଇଭର ସିଟ୍ରେ ରହିଛି।

ଦ୍ୱିତୀୟ ଦିନର ଅସମାପ୍ତ ସ୍କୋର ୩/୨୭୩ ରନରୁ ଭାରତ ଖେଳ ଆରମ୍ଭ କରିଥିଲା। ପୂର୍ବଦିନର ଦୁଇ ଅପରାଜିତ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଓ ଆଜିଙ୍କ୍ୟ ରାହାଣେ ଲଢ଼ୁଆ ବ୍ୟାଟିଂ କରି ସାଉଥ୍ ଆଫ୍ରିକା ବୋଲରଙ୍କୁ କୌଣସି ସୁଯୋଗ ଦେଇନଥିଲେ। କୋହଲି ଚଳିତ ବର୍ଷର ପ୍ରଥମ ଟେଷ୍ଟ ଶତକ ହାସଲ କରିଥିଲେ।

ମୁଥୁସାମୀଙ୍କ ବଲ୍ରେ କୋହଲି ବିଟ୍ ହୋଇଥିଲାବେଳେ ପ୍ରଥମ ସ୍ଲିପ୍ରେ ଥିବା ଫିଲ୍ଡର ଫାଫ୍ ଡୁ ପ୍ଲେସିସ କ୍ୟାଚ୍ ଧରିଥିଲେ। ଦଳ କୋହଲିଙ୍କ ଆଉଟକୁ ନେଇ ଖୁସୀ ଥିଲାବେଳେ ଟିଭି ରିପ୍ଲେରୁ ଏହା ନୋ ବଲ ଥିବାର ସ୍ପଷ୍ଟ ହୋଇଥିଲା। ଏହି ଜୀବନଦାନ ପାଇବା ପରେ ସେ ପୁଣି ବ୍ୟାଟିଂ କରି ଅଢେଇଶ ରନ୍ ପୂରଣ କରିବା ସହ କ୍ୟାରିୟରର ସର୍ବାଧିକ ଟେଷ୍ଟ ସ୍କୋର ୨୫୪ ରନ୍ ସଂଗ୍ରହ କରିଥିଲେ। ଜାଡେଜା ଶତକ ଆଡକୁ ଅଗ୍ରସର ହେଉଥିବା ବେଳେ ୯୧ ରନ୍ରେ ସେନୁରାମ ମୁଥୁସାମୀଙ୍କ ଓଭରରେ ଆଉଟ୍ ହୋଇଥିଲେ। ଏହି ସମୟରେ ଦଳୀୟ ସ୍କୋର ୫ ୱିକେଟରେ ୬୦୧ ରନ୍ ହୋଇଥିଲା।

କୋହଲି ୨୫୪ ରନ୍ କରି ଅପରାଜିତ ରହିଥିବା ବେଳେ ପାଳି ଘୋଷଣା କରିଥିଲେ। ଏଥିଲାଗି ସେ ୩୩୬ଟି ବଲ୍ର ସମ୍ମୁଖୀନ ହୋଇ ୩୩ଟି ଚୌକା ଏବଂ ୨ଟି ଛକା ମାରିଥିଲେ। ଏହି ସ୍କୋର ସହ କୋହଲି ତାଙ୍କ ଟେଷ୍ଟ କ୍ୟାରିୟରରେ ଏକାଧିକ ରେକର୍ଡ କରିବାରେ ସମର୍ଥ ହୋଇଛନ୍ତି। ପୂର୍ବରୁ ଓପନର ମୟଙ୍କ ଅଗ୍ରୱାଲ ୧୦୮ ଓ ଚେତେଶ୍ୱର ପୂଜାରା ୫୮ ରନ୍ କରି ଭାରତୀୟ ଇନିଂସରେ ମୂଳଦୁଆ ପକାଇଥିଲେ।

ଭାରତ ଇନିଂସରେ ସାଉଥ୍ ଆଫ୍ରିକା ବୋଲରମାନେ ପ୍ରଭାବହୀନ ସାବ୍ୟସ୍ତ ହୋଇଥିଲେ। ଦଳ ପକ୍ଷରୁ ଯୁବ ଫାଷ୍ଟ ବୋଲର କାଗିସୋ ରବାଡା ପ୍ରଥମ ତଥା ସର୍ବାଧିକ ୩ଟି ୱିକେଟ ଅକ୍ତିଆର କରିଥିଲେ। ଦ୍ୱିତୀୟ ଦିନରେ ଦୁଇ ଭାରତୀୟ ବଂଶୋଦ୍ଭବ ସ୍ପିନର କେଶବ ମହାରାଜ ଓ ସେନୁରନ୍ ମୁଥୁସାମୀ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ।