ସୀମାନ୍ତରେ ପାକିସ୍ତାନର ବାରମ୍ୱାର ଅସ୍ତ୍ରବିରତି ଉଲଂଘନର ଜବାବ ଦେଲା ଭାରତ

ପାକିସ୍ତାନର ୧୦ ବର୍ଡର ପୋଷ୍ଟକୁ ଉଡାଇଲା ଭାରତୀୟ ସେନା

ଶ୍ରୀନଗର,ଏଜେନ୍ସି: ସାରା ବିଶ୍ୱ କରୋନା ଭୂତାଣୁ ପାଇଁ ଚିନ୍ତାରେ ଥିବା ବେଳେ ପାକିସ୍ତାନ ଭାରତ ପାଇଁ ଅଡୁଆ ବଢ଼ାଇବାରେ ଲାଗିଛି। ବାରମ୍ବାର ପାକିସ୍ତାନ ସେନା ଭାରତ ବିରୋଧରେ ଅସ୍ତ୍ରବିରତ ଉଲ୍ଲଂଘନ ଜାରି ରଖିଥିବା ବେଳେ ଏହାର ମୁହଁତୋଡ ଜବାବ ଦେଇଛି ଭାରତୀୟ ସେନା। ଗୁରୁବାର ଏଲଓସି ନିକଟ ପାକିସ୍ତାନର ୧୦ ସେନା ଚେକପୋଷ୍ଟକୁ ଧୂଳିସାତ କରିଦେଇଛନ୍ତି ଭରାତୀୟ ଯବାନ। ଜାମ୍ମୁ କାଶ୍ମୀରର ରଜୌରୀ ଓ ପୁନଛ ସେକ୍ଟରରେ ଗୁଳି ବର୍ଷଣ କରିଥିଲେ ପାକିସ୍ତାନୀ ସେନା। ଏଥିରେ ପୁନଛ ସେକ୍ଟରରେ କାର୍ଯ୍ୟରତ ଯବାନ ହରଚରଣ ସିଂ ସହିଦ ହୋଇଥିଲେ।

ଏହାପରେ ଭାରତୀୟ ଯବାନ ପାଲଟା ଆକ୍ରମଣ କରି ପାକ ରେଞ୍ଜର୍ସଙ୍କ ୧୦ଟି ସେନା ଚୌକିକୁ ମାଟିରେ ମିଶାଇ ଦେଇଛନ୍ତି। ଏଲଓସି ନିକଟ କହବଲିୟନ ନାଲି ସମହାନୀ ସେକ୍ଟରରେ ଥିବା ପାକ ସେନାର ବଙ୍କର ଓ ଚେକ ପୋଷ୍ଟକୁ ଟାର୍ଗେଟ କରିଥିଲେ। ଭାରତୀୟ ଯବାନଙ୍କ ଆକ୍ରମଣରେ ପାକିସ୍ତାନର ୧୦ ସେନା ଚୌକି ଧୂଳିସାତ ହୋଇଥିବା ବେଳେ ପାକ୍ ସେନାର ବହୁତ କ୍ଷତି ହୋଇଥିବା କୁହାଯାଉଛି। ଅସ୍ତ୍ରବିରତି ଉଲ୍ଲଂଘନ କରିବାର ଦୁଃସାହାସର ପରିଣାମ ଭୋଗିଛି ପାକିସ୍ତାନ।