ଚୀନ୍ ସୀମାରେ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ମୁତୟନ କରିବ ଭାରତ

ନୂଆଦିଲ୍ଲୀ, ଏଜେନ୍ସି : ଭାରତ-ଚୀନ ମଧ୍ୟରେ ୩୪୮୮ କିମି ଦୀର୍ଘ ପ୍ରକୃତ ନିୟନ୍ତ୍ରଣରେଖା (ଏଲଏସି) ରହିଛି। ଚୀନ ଅରୁଣାଚଳ ପ୍ରଦେଶକୁ ନିଜର ଅଞ୍ଚଳ ବୋଲି ଦାବି କରୁଛି। ଏହି ପରିପ୍ରେକ୍ଷୀରେ ଭାରତୀୟ ସେନା ଖୁବ ଶୀଘ୍ର ଅରୁଣାଚଳ ପ୍ରଦେଶ ସ୍ଥିତ ଚୀନ ସୀମାରେ ଅତ୍ୟାଧୁନିକ ଆମେରିକୀୟ ଅସ୍ତ୍ର ମୁତୟନ କରିବାକୁ ଯାଉଛି। ଚିନୁକ ହେଲିକପ୍ଟର ସମେତ ଏମ-୭୭୭ ଅଲଟ୍ରା ଲାଇଟ ହୋୱିଟଜର୍ସ ମଧ୍ୟ ମୁତୟନ କରାଯିବ। ଏହି ଯୋଜନା ଅନୁଯାୟୀ ସ୍ଥଳସେନା ଓ ବାୟୁସେନା ମିଳିତ ଭାବେ ସମରାଭ୍ୟାସରେ ସାମିଲ ହେବେ। ଚିନୁକ ହେଲିକପ୍ଟରକୁ ଭାରତୀୟ ବାୟୁସେନାରେ ଗତ ମାର୍ଚ୍ଚ ୨୫ରେ ଚଣ୍ଡିଗଡ ଏୟାରବେସରେ ସାମିଲ କରାଯାଇଥିଲା।
ଭାରତୀୟ ସେନା ଓ ବାୟୁସେନାର ଏହି ମିଳିତ ସମରାଭ୍ୟାସର ସାଙ୍କେତିକ ନାମ (କୋଡ୍ ନେମ) ‘ହିମବିଜୟ’ ରଖାଯାଇଛି। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଉତ୍ତର-ପୂର୍ବାଞ୍ଚଳରେ ଯୁଦ୍ଧ କ୍ଷମତାକୁ ପରୀକ୍ଷା କରିବା। ଯୁଦ୍ଧ ହେଲେ ସ୍ଥଳସେନାର ଆବଶ୍ୟକତାଗୁଡ଼ିକୁ ବାୟୁସେନା କିଭଳି ପୂରଣ କରିବ, ସେଥିନେଇ ଅଭ୍ୟାସ କରାଯିବ। ସେନାର ବରିଷ୍ଠ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ ଯେ, ‘ହିମବିଜୟ’ ସମରାଭ୍ୟାସ ସମୟରେ ୧୭ ମାଉଣ୍ଟ ଷ୍ଟ୍ରାଇକ କୋର ସାମିଲ ହେବ। ସ୍ଥଳସେନା ଓ ବାୟୁସେନା ମିଳିତ ଭାବେ ପରସ୍ପର ମଧ୍ୟରେ କିଭଳି ସମନ୍ୱୟ ରକ୍ଷା କରିବେ, ସମରାଭ୍ୟାସରେ ତା’ ଉପରେ ଗୁରୁତ୍ୱ ଦିଆଯିବ।

ଏହି ସୂତ୍ରରୁ ଆହୁରି ପ୍ରକାଶ ଯେ, ବାୟୁସେନା ଏବେ ଉତ୍ତର-ପୂର୍ବାଞ୍ଚଳରେ ଚିନୁକ ହେଲିକପ୍ଟର ମୁତୟନ କରିନଥିଲେ ମଧ୍ୟ ନିକଟ ଭବିଷ୍ୟତରେ କେତେକ ସ୍ଥାନରେ ମୁତୟନ କରିବ। ଏଥିପାଇଁ ସମରାଭ୍ୟାସ ସମୟରେ ଏହାକୁ ମଧ୍ୟ ଧ୍ୟାନ ଦିଆଯିବ। ସମରାଭ୍ୟାସରେ ତେଜପୁରରେ ଅବସ୍ଥାନ କରୁଥିବା ୪ କୋରକୁ ହାଇ ଅଲ୍ଟିଚ୍ୟୁଡରେ ମୁତୟନ କରାଯିବ। ସେମାନଙ୍କୁ ଏହି କ୍ଷେତ୍ରର ଦାୟିତ୍ୱ ନ୍ୟସ୍ତ କରାଯିବ। ଏହି ପରିପ୍ରେକ୍ଷୀରେ ସେମାନଙ୍କୁ ମୁକାବିଲା କରିବା ପାଇଁ ବାୟୁସେନା ଦ୍ୱାରା

ସେଠାରେ ୧୭ ମାଉଣ୍ଟେନ ଷ୍ଟ୍ରାଇକ କୋରର ଏକ ବ୍ରିଗେଡ ସାଇଜ ଫୋର୍ସ (ଏଥିରେ ୨୫୦୦ରୁ ଅଧିକ ଯବାନ ରହିବେ)ଙ୍କୁ ଏୟାରଲିଫ୍ଟ କରାଯାଇ ସେଠାରେ ପହଞ୍ଚାଯିବ। ଏହି ଯବାନମାନେ ଆକ୍ରମଣ କରିବେ। ଯବାନଙ୍କୁ ଏୟାରଲିଫ୍ଟ କରିବା ପାଇଁ ବାୟୁସେନା ସି-୧୭, ସି-୧୦୩ଜେ ସୁପର ହର୍କୁଲେସ ଏବଂ ଏଏନ-୩୨ ବିମାନ ବ୍ୟବହାର କରିବ। ବାୟୁସେନା ଏହି ଯବାନଙ୍କୁ ପଶ୍ଚିମବଙ୍ଗର ବାଗଡୋଗରା ପୋଷ୍ଟରୁ ଏୟାରଲିଫ୍ଟ କରି ଅରୁଣାଚଳ ପ୍ରଦେଶର ୱାର ଜୋନରେ ପହଞ୍ଚାଇବ।