ବେସରକାରୀ ହାତକୁ ଯିବ ଦେଶର ପ୍ରଥମ ପଞ୍ଚତାରକା ହୋଟେଲ୍

ନୂଆଦିଲ୍ଲୀ: ଦେଶର ପ୍ରଥମ ପଞ୍ଚତାରକା ହୋଟେଲ୍ ‘ଅଶୋକ’କୁ ବିକ୍ରି କରିବା ଲାଗି ସରକାର ପ୍ରସ୍ତୁତି ଚଳାଇଛନ୍ତି। ବର୍ତ୍ତମାନ ସମୟରେ ଭାରତୀୟ ପର୍ଯ୍ୟଟନ ବିକାଶ ନିଗମ (ଆଇଟିଡିସି) ଅନ୍ତର୍ଗତ ହୋଟେଲଟିର ପରିଚାଳନା କରାଯାଉଛି। ନିଗମ ହୋଟେଲଗୁଡ଼ିକୁ ଲିଜରେ ଦେବାର କାର୍ଯ୍ୟ ମଧ୍ୟ କରୁଛି। ତେବେ ଆଇଟିଡିସି ଚଳିତ ଆର୍ଥିକବର୍ଷରେ ଏହି ହୋଟେଲ୍ର ମାଲିକାନା କୌଣସି ଏକ ବେସରକାରୀ ସଂସ୍ଥାକୁ ହସ୍ତାନ୍ତର କରିପାରେ ବୋଲି ସୂଚିତ କରାଯାଇଛି।

୧୯୫୬ ମସିହାରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହରୁ ଏହି ହୋଟେଲ୍କୁ ନିର୍ମାଣ କରିଥିଲେ। ଏହି ହୋଟେଲ୍ ସଂସଦ ଓ ରାଷ୍ଟ୍ରପତି ଭବନ ନିକଟରେ ରହିଛି। ଏଥିରେ ୫୫୦ଟି ରୁମ୍ ଏବଂ ୧୬୧ଟି ସୁଟ୍ସ ରହିଛି। ହୋଟେଲ୍ରେ ପ୍ରାୟ ୧୦୦୦ ଜଣ କର୍ମଚାରୀ କାର୍ଯ୍ୟରତ ଅଛନ୍ତି, ଯେଉଁମାନଙ୍କର ନିତିଦିନିଆ ସଞ୍ଚାଳନରେ ପ୍ରାୟ ୫୫ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି। ମାତ୍ର ଏଠାରେ ସାଧାରଣତଃ ୫୦% ରୁମ୍ ବୁକ୍ ହୋଇଥାଏ। ମାତ୍ର ଶୀତଦିନରେ ପ୍ରାୟ ୮୦% ପର୍ଯ୍ୟନ୍ତ ରୁମ୍ ବୁକ୍ ହୋଇଥାଏ। ନିକଟରେ ନୀତି ଆୟୋଗ ଏକ ପ୍ରସ୍ତାବ ଜାରି କରି ହୋଟେଲ୍କୁ ୬୦ ବର୍ଷ ପାଇଁ କୌଣସି ଏକ ବେସରକାରୀ କମ୍ପାନୀକୁ ହସ୍ତାନ୍ତର କରିବା ଲାଗି ପରାମର୍ଶ ଦେଇଥିଲେ, ଯାହା ଏହି ହୋଟେଲ୍କୁ ପୁନଶ୍ଚ ଡିଜାଇନ୍ କରି ଏହାର ପରିଚାଳନା କରିବ।