ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ପାଇଁ ଭାରତ ମାଗିଲା ଜେଡ ପ୍ଲସ୍ ସୁରକ୍ଷା

ନୂଆଦିଲ୍ଲୀ,ଏଜେନ୍ସି: କର୍ତ୍ତାରପୁର କରିଡରର ଉଦଘାଟନ ପାଇଁ ପାକିସ୍ତାନ ପକ୍ଷରୁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଅତିଥି ଭାବେ ଆମନ୍ତ୍ରଣ କରାଯାଇଛି। ତେଣୁ ଭାରତ ପକ୍ଷରୁ ମନମୋହନଙ୍କ ପାଇଁ ଜେଡ୍‌ ପ୍ଲସ୍‌ ସୁରକ୍ଷା ବ୍ୟବସ୍ଥାର ଆୟୋଜନ କରିବାକୁ ପାକିସ୍ତାନକୁ କୁହାଯାଇଥିଲା। କିନ୍ତୁ ପାକିସ୍ତାନ ମନମୋହନଙ୍କ ପାଇଁ ଏକ ବ୍ୟାଟେରି ଚାଳିତ ଖୋଲା ଗାଡ଼ିର ବ୍ୟବସ୍ଥା କରିଛି। ଫଳରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

କର୍ତ୍ତାରପୁରରେ ଆତଙ୍କବାଦୀ ଆକ୍ରମଣ ହେବା ନେଇ ଗୁଇନ୍ଦା ସଂସ୍ଥା ପକ୍ଷରୁ ପୂର୍ବରୁ ସୂଚନା ଦିଆଯାଇଥିବାରୁ ମନମୋହନଙ୍କ ଗସ୍ତକୁ ନେଇ ଏବେ କଳ୍ପନାଜଳ୍ପନା ଲାଗି ରହିଛି। ସୂଚନାଯୋଗ୍ୟ ଯେ ଶିଖ୍‌ ମାନଙ୍କର ପ୍ରଥମ ଗୁରୁ ଗୁରୁନାନକ ଦେବଙ୍କ ୫୫୦ତମ ଜୟନ୍ତୀ ଉପଲକ୍ଷେ ଆସନ୍ତା ୯ ତାରିଖରେ ପାକିସ୍ତାନର କର୍ତ୍ତାରପୁରସ୍ଥିତ ଗୁରୁଦ୍ବାରା ପର୍ୟ୍ୟନ୍ତ ଯିବା ଲାଗି ନିର୍ମିତ ୪ କିଲୋମିଟର ଦୂରର କରିଡରର ଉଦ୍‌ଘାଟନ ହେବ।

ଭାରତରୁ ୫୫୦ ଜଣ ସେଠାକୁ ଯିବା ଲାଗି ସ୍ଥିର ହୋଇଛି। ସେମାନଙ୍କ ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ସାମିଲ ଅଛନ୍ତି।