ଭାରତ ବନ୍ଦ କୋରାପୁଟରେ ସଫଳ

କୋରାପୁଟ,ଏନ୍ଏନ୍ଏସ୍: ପେଟ୍ରୋଲ୍, ଡିଜେଲ୍, ଗ୍ୟାସ ଦର ବୃଦ୍ଧି ଏବଂ ଜିଏସଟି ସରଳୀକରଣ ଦାବିରେ ଭାରତୀୟ ବ୍ୟବସାୟୀ ସଂଘ ଡାକରା ଦେଇଥିବା ୧୨ ଘଣ୍ଟିଆ ଭାରତ ବନ୍ଦ କୋରାପୁଟ ଜିଲ୍ଲାରେ ସମ୍ପୂର୍ଣ ସଫଳ ହୋଇଛି। ବନ୍ଦ ପ୍ରଭାବରେ ସମଗ୍ର ଜିଲ୍ଲାରେ ଦୋକାନ ବଜାର, ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଥିବାବେଳେ ଘରୋଇ ବସ୍ ଚଳାଚଳ ମଧ୍ୟ ବନ୍ଦ ରହିଛି। ତେବେ ସରକାରୀ ଅଫିସ୍ ଓ ବ୍ୟାଙ୍କଗୁଡ଼ିକ ସ୍ୱାଭାବିକ ଭାବେ ଖୋଲା ରହିଥିବା ଦେଖିବାକୁ ମିଳିଥିଲା। ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରର ଭୁଲ ନୀତି ଯୋଗୁ ଦରଦାମ ନିୟନ୍ତ୍ରଣ ହୋଇ ପାରୁନଥିବାବେଳେ ଜିଏସଟି ନୀତିରେ ବାରମ୍ବାର ପରିବର୍ତ୍ତନ ହେତୁ ବ୍ୟବସାୟୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବ୍ୟବସାୟୀ ସଂଘ ଅଭିଯୋଗ କରିଛି।

ଜିଲ୍ଲାରେ କୋରାପୁଟ ସମେତ ଜୟପୁର, ସେମିଲିଗୁଡ଼ା, କୋଟପାଡ଼, ବୋରିଗୁମ୍ମା, ଦାମନଯୋଡ଼ିରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ଏହି ଅବସରରେ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ ଲିଖିତ ଏକ ସ୍ମାରକପତ୍ର କୋରାପୁଟ ବ୍ୟବସାୟିକ ସଂଘ ଅତିରିକ୍ତ ଜିଲ୍ଲାପାଳ ଦେବେନ୍ କୁମାର ପ୍ରଧାନଙ୍କୁ ପ୍ରଦାନ କରିଛି। ଏହି ସମୟରେ କୋରାପୁଟ ବ୍ୟବସାୟୀ ସଂଘ ସଭାପତି ଅକ୍ଷୟ କୁମାର ପାତ୍ର ଓ ଅନ୍ୟମାନେ ଉପସ୍ଥିତ ଥିଲେ।