ଦେବଗଡରେ କୃଷକ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା

ଦେବଗଡ,ଏନ୍ଏନ୍ଏସ୍: ସର୍ବ ଭାରତୀୟ କୃଷକ ସଂଘ ଓ ପଶ୍ଚିମ ଓଡିଶା କୃଷକ ସମନ୍ୱୟ ସମିତିର ଆହ୍ୱାନ କ୍ରମେ କେନ୍ଦ୍ର ସରକାରଙ୍କ ୩ କଳା କୃଷି ଆଇନ ପ୍ରତ୍ୟାହାର ଦାବି ସହ ଚାଷୀ ଓ ଶ୍ରମିକ ବିରୋଧି ନୀତିକୁ ବିରୋଧ କରି ସଂଯୁକ୍ତ କୃଷକ ସଂଘ ପକ୍ଷରୁ ୭ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଏହି କ୍ରମରେ ଦେବଗଡ଼ ଜିଲ୍ଲା କୃଷକ ସଂଘ ସଭାପତି ପ୍ରମୋଦ କୁମାର ଝାଙ୍କରଙ୍କ ନେତୃତ୍ୱରେ ସ୍ଥାନୀୟ ବାଇପାସ ଛକ ନିକଟରେ ୪୯ନଂ ଜାତୀୟ ରାଜପଥ ଅବରୋଧ କରିବା ସହ କୃଷକ ମାରଣ ୩ଟି କଳା ବିଲ ପ୍ରତ୍ୟାହାର ସହ ଉତ୍ପାଦିତ ଶସ୍ୟର ସର୍ବନିମ୍ନ ମୁଲ୍ୟ ଧାର୍ଯ୍ୟ ଓ ପେଟ୍ରୋଲ ଡିଜେଲ ସହ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ମୂଲ୍ୟ ବୃଦ୍ଧି ପ୍ରତିବାଦରେ କେନ୍ଦ୍ର ସରକାରଙ୍କ ବିରୋଧରେ ବିଭିନ୍ନ ସ୍ଲୋଗାନ ଦେଇଥିଲେ।

ସେହିପରି ରାଜ୍ୟ କଂଗ୍ରେସର କୃଷକ ଆନ୍ଦୋଳନକୁ ସମର୍ଥନ ଘୋଷଣା ପରେ ଦେବଗଡ ଜିଲ୍ଲା କଂଗ୍ରେସ ପକ୍ଷରୁ ମଧ୍ୟ ଏହି କୃଷି ଆଇନକୁ ବିରୋଧ କରୁଥିବା ଦେଖିବାକୁ ମିଳିଛି। ଜିଲ୍ଲା କଂଗ୍ରେସ ସଭାପତି ଉମା ଶଙ୍କର ସାହୁଙ୍କ ନେତୃତ୍ୱରେ ବହୁ ଦଳୀୟ କର୍ମୀ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନବିରୋଧୀ ନୀତି ପ୍ରତିବାଦରେ ମୁଖ୍ୟ ବଜାର ଠାରେ ବିଭିନ୍ନ ସ୍ଲୋଗାନ ଦେବା ସହ ଦୋକାନ ବଜାର ଆଦିକୁ ବନ୍ଦ କରାଇଥିଲେ। ଏହି ବନ୍ଦ ପ୍ରଭାବରେ ଜାତୀୟ ରାଜପଥର ଉଭୟ କଡରେ ଶହ ଶହ ଯାନବାହାନ ଅଟକି ରହିଥିବା ଦେଖିବାକୁ ମିଳିଛି।

ଏହି ଆନ୍ଦୋଳନରେ କୃଷକ ସଂଗଠନ ପକ୍ଷରୁ ପ୍ରମୋଦ କୁମାର ସାହୁ, ଭୂପେନ୍ଦ୍ର ପ୍ରସାଦ ନାୟକ, ବିକାଶ କୁମାର ମିଶ୍ର, ବିନୋଦ କୁମାର ସାହୁ, ଅଚ୍ୟୁତ କୁମାର ନାୟକ, ହୀରାଧର ସାହୁ, ସ୍ୱାଧୀନ ପାତ୍ର ଓ ରଞ୍ଜନ ଓଦାବରଙ୍କ ସମେତ ବହୁ ଚାଷୀ ସାମିଲ ଥିବା ବେଳେ ଜିଲ୍ଲା କଂଗ୍ରେସ ପକ୍ଷରୁ ମହିଳା ସଭାନେତ୍ରୀ ମଞ୍ଜୁ ଲତା ନାଏକ, ନଗର ସଭାପତି ପ୍ରକାଶ ଚନ୍ଦ୍ର ଦେବତା, ଏସଟି ସେଲ ସଭାପତି କ୍ଷେତ୍ର କୁମାର ପାତ୍ର, କଳ୍ପନା ପ୍ରଧାନ, ସବିତା ନାୟକ, ବରିଷ୍ଠ କଂଗ୍ରେସ ନେତା ପ୍ରମୋଦ କୁମାର ମିଶ୍ର, ସୁଶୀଲ କୁମାର ନାୟକ ଓ ଜୟ ନାରାୟଣ ସାହୁଙ୍କ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ। କୃଷକ ସଂଗଠନର ଏହି ବନ୍ଦର ପ୍ରଭାବ ବାରକୋଟ ଓ ରିଆମାଳ ବ୍ଲକରେ ମଧ୍ୟ ଦେଖିବାକୁ ମିଳିଛି।