ଏଲଏସିରେ ଉତ୍ତେଜନା ଜାରି: ଆଜି ଭାରତ-ଚୀନର ୧୩ ତମ ପର୍ଯ୍ୟାୟରେ ଆଲୋଚନା

ନୂଆଦିଲ୍ଲୀ,ଏଜେନ୍ସି: ଭାରତ ଓ ଚୀନ ମଧ୍ୟରେ ଆଜି କୋର କମାଣ୍ଡର ସ୍ତରରେ ପୁଣି ଥରେ ଆଲୋଚନା ହୋଇପାରେ। ଜାତୀୟ ଗଣମାଧ୍ୟ ଏହି ରିପୋର୍ଟ କରିଛି। ଏହା ପୂର୍ବରୁ ଉଭୟ‌ ଦେଶ ମଧ୍ୟରେ କୋର କମାଣ୍ଡର ସ୍ତରରେ ୧୨ଥର ଆଲୋଚନା ହୋଇଛି, କିନ୍ତୁ କୌଣସି ଲାଭ ହୋଇନାହିଁ। ୧୩ ତମ ପର୍ଯ୍ୟାୟରେ ଆଜି ଚୀନ ସୀମା ମିଟିଙ୍ଗ ପଏଣ୍ଟ ମୋଲ୍ଡୋରେ ପୂର୍ବାହ୍ନ ସାଢ଼େ ୧୦ଟାରୁ ଏହି ଆଲୋଚନା ଆରମ୍ଭ ହୋଇପାରେ।

ଏହା ପୂର୍ବରୁ ଭାରତ ଓ ଚୀନରେ କୋର କମାଣ୍ଡର ସ୍ତରୀୟ ଆଲୋଚନା ଗତ ଜୁଲାଇ ୩୧ ତାରିଖରେ ହୋଇଥିଲା। ଏଥିରେ ଗୋଗରା ଓ ହଟ୍‌ ସ୍ପ୍ରିଙ୍ଗରୁ ସୈନିକ ଫେରାଇ ନେବା ଲାଗି କଥାବାର୍ତ୍ତା ହୋଇଥିଲା। ଏଥର ଚର୍ଚ୍ଚା ପୂର୍ବରୁ ଚୀନ ଅନୁପ୍ରବେଶ ଓ ମନୋ‌ବୈଜ୍ଞାନିକ ଚାପ ପ୍ରୟୋଗ କରିବାକୁ ଉଦ୍ୟମ କରି ପରିସ୍ଥିତିକୁ ଅଧିକ ଗରମ କରିଛି।

ଉଭୟ ଦେଶର କମାଣ୍ଡରଙ୍କ ଆଲୋଚନା ପୂର୍ବରୁ ଚୀନ ସୈନିକ ୨ ଥର ଭାରତୀୟ ସୀମା ଅତିକ୍ରମ କରିଛନ୍ତି। ଗତ ସେପ୍ଟେମ୍ବରରେ ବାରାହାତୀ ଠାରେ ପାଖାପାଖି ୧୦୦ ଚୀନ ସୈନିକ ଭାରତୀୟ ସୀମାରେ ପ୍ରବେଶ ଉଦ୍ୟମ କରିଥିଲେ, ଯାହାକୁ କି ଭାରତୀୟ ଯବାନମାନେ ବିଫଳ କରିଥିଲେ। ଏହା ପରେ ଗତ ସପ୍ତାହରେ ଅରୁଣାଚଳ ପ୍ରଦେଶର ତୱାଙ୍ଗ ସେକ୍ଟରରେ ଚୀନ ସେନା ପୁଣି ଥରେ ପ୍ରବେଶ କରିବା ଦୁଃଖର ବିଷୟ। ପାଖାପାଖି ୨୦୦ ଚୀନ ସେନା ଭାରତୀୟ ସୀମାକୁ ପ୍ରବେଶ କରିଥିଲେ। ସେମାନେ ଭାରତୀୟ ଯବାନଙ୍କୁ ସାମ୍ନା କରିଥିଲେ। ଖବର ଅନୁସାରେ ଭାରତୀୟ ଯବାନମାନେ ଚୀନ ସୈନିକଙ୍କୁ କିଛି ଘଣ୍ଟା ପର୍ୟ୍ୟନ୍ତ ଅଟକ ରଖିଥିଲେ। ପରେ ବରିଷ୍ଠ ଅଧିକାରୀଙ୍କ ସହିତ କଥାବାର୍ତ୍ତା ପରେ ଛାଡ଼ି ଦିଆଯାଇଥିଲା।