ଭୁବନେଶ୍ବର,ଏନ୍ଏନ୍ଏସ୍: ଆଜି କନିଷ୍ଠ ହକି ବିଶ୍ବକପରେ ଗୋଲ ବର୍ଷା ଦେଖିବାକୁ ମିଳିଛି। ପ୍ରତିଟି ମ୍ୟାଚରେ ହାଇ ଗୋଲସ୍କୋର ହୋଇଛି। କିଛି ସମୟ ପୂର୍ବରୁ ସମାପ୍ତ ଏକ ଲିଗ ମ୍ୟାଚରେ ଭାରତୀୟ ଦଳ କାନାଡାକୁ ୧୩-୧ରେ ପରାସ୍ତ କରି ବିପୁଳ ବିଜୟ ହାସଲ କରିଛି। ଭାରତୀୟ ଦଳ ପକ୍ଷରୁ ସଂଜୟ ଓ ଅରିଜିତ ସିଂ ହ୍ୟାଟ୍ରିକ ଗୋଲ ସ୍କୋର କରିଛନ୍ତି। ସେହିପରି ଓଡ଼ିଆ ପୁଅ ଅଭିଷେକ ଲାକ୍ରା ୫୫ ମିନିଟରେ ଗୋଟିଏ ଗୋଲ କରିଥିଲେ। ପ୍ରଥମ ମ୍ୟାଚରେ ପରାଜିତ ହୋଇଥିବା ଭାରତୀୟ ଦଳ ଏହି ବିଜୟ ସହ ଟୁର୍ଣ୍ଣାମେଣ୍ଟକୁ ଜୋରଦାର ପ୍ରତ୍ୟାବର୍ତ୍ତନ କରିଛି। ଅରିଜିତଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ଦିଆଯାଇଥିଲା।
ଆର୍ଜେଣ୍ଟିନା କୋରିଆ ବିପକ୍ଷରେ ୧୪ଟି ଗୋଲ ଦେଇ ବିଶ୍ବ ରେକର୍ଡ କରିଥିଲା। କିନ୍ତୁ ଆର୍ଜେଣ୍ଟିନାର ଏହି ବିଶ୍ବ ରେକର୍ଡ ଗୋଟିଏ ଦିନ ବି ତିଷ୍ଠି ପାରିନଥିଲା। ଅପରାହ୍ଣରେ ହିଁ ସ୍ପେନ ଏହି ରେକର୍ଡକୁ ଭାଙ୍ଗି ଏକ ନୂଆ ରେକର୍ଡ ସ୍ଥାପନ କରିଥିଲା। ସ୍ପେନ ଆମେରିକାକୁ ୧୭-୦ରେ ପରାସ୍ତ କରି ଏକ ନୂଆ ରେକର୍ଡ ସ୍ଥାପନ କରିଛି।