ଭାରତୀୟ ଫାଷ୍ଟ ବୋଲରଙ୍କ ଘାତକ ବୋଲିଂ

ବାଂଲାଦେଶ-୧୫୦, ଭାରତ ୮୬/୧

ନାଗପୁର, ଏଜେନ୍ସି: ଭାରତୀୟ ଫାଷ୍ଟ ବୋଲରଙ୍କ ଘାତକ ବୋଲିଂର ମୁକାବିଲା କରି ନପାରି ଏଠାରେ ଗୁରୁବାର ଆରମ୍ଭ ହୋଇଥିବା ପ୍ରଥମ ଟେଷ୍ଟରେ ବାଂଲାଦେଶ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଏହି ମାଚ୍ ଖେଳୁଥିବା ୩ ଭାରତୀୟ ଫାଷ୍ଟ ବୋଲର ମହମ୍ମଦ୍ ସାମି (୩/୨୭), ଈଶାନ୍ତ ଶର୍ମା (୨/୨୦) ଓ ଉମେଶ ଯାଦବ (୨/୪୭)ଙ୍କ ଘାତକ ବୋଲିଂ ଫଳରେ ବାଂଲାଦେଶର ପ୍ରଥମ ଇନିଂସ ୫୮.୩ ଓଭରରେ ମାତ୍ର ୧୫୦ ରନରେ ଶେଷ ହୋଇଯାଇଥିଲା। ଜବାବରେ ପ୍ରଥମ ଦିନ ଖେଳ ଶେଷବେଳକୁ ରୋହିତ ଶର୍ମା (୬)ଙ୍କ ୱିକେଟ ହରାଇ ଭାରତ ୮୬ ରନ୍ ସଂଗ୍ରହ କରିନେଇଛି। ଷ୍ଟମ୍ପ ଅପସାରଣ ବେଳକୁ ମୟଙ୍କ ଅଗ୍ରୱାଲ ୩୭ ଓ ଚେତେଶ୍ୱର ପୂଜାରା ତାଙ୍କଠାରୁ ଅଧିକ ୪୩ ରନ୍ କରି ବ୍ୟାଟିଂ କରୁଛନ୍ତି। ମ୍ୟାଚର ପ୍ରଥମ ଦିନରୁ ହିଁ ଭାରତ ମାଚକୁ ନିୟନ୍ତ୍ରଣରେ ରଖିଥିଲାବେଳେ ଟସ୍ ଜିତି ବ୍ୟାଟିଂ କରିଥିବା ବାଂଲାଦେଶ ଏଥିରୁ ଫାଇଦା ଉଠାଇ ପାରି ନଥିଲା। ଫଳରେ ଭ୍ରମଣକାରୀ ଦଳ ଦୟନୀୟ ସ୍ଥିତିରେ ପ୍ରଥମ ଦିନ ଖେଳ ଶେଷ କରିଥିଲା।

ପୂର୍ବରୁ ବାଂଲାଦେଶ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେବା ପରେ ଭାରତୀୟ ପେସ୍ ବୋଲରମାନେ ପିଚ୍ରୁ ଫାଇଦା ଉଠାଇ ଚମତ୍କାର ବୋଲିଂ କରିଥିଲେ। ଯାହା ଫଳରେ ୧୨ ରନ୍ ମଧ୍ୟରେ ଦଳ ଦୁଇ ଓପନରଙ୍କୁ ହରାଇଥିଲା। ଅଧିନାୟକ ମୋମିନୁଲ ହକ୍ (୮୦ବଲ୍ରେ ୩୭) ଓ ମୁସଫିକର ରହିମ୍ (୧୦୫ ବଲ୍ରେ ୪୩) କିଛିଟା ଲଢୁଆ ବ୍ୟାଟିଂ କରିଥିଲେ ମଧ୍ୟ ଭାରତୀୟ ବୋଲରଙ୍କ ପେସ୍ ଓ ଟର୍ଣ୍ଣ ଆଗରେ ଅଧିକ ସମୟ କ୍ରିଚ୍ରେ ରହିପାରି ନଥିଲେ। ଦଳର ଦୁଇ ଓପନର ଫାଷ୍ଟ ବୋଲିଂକୁ ଖେଳିବାରେ ପୂରା ଅସମର୍ଥ ହୋଇଥିଲେ। ତୃତୀୟ ୱିକେଟରେ ମୋମିନୁଲ ଓ ମହମ୍ମଦ୍ ମିଥୁନ ଇନିଂସ ସଜାଡିବାକୁ ମନୋନିବେଶ କରୁଥିବାବେଳେ ସାମିଙ୍କ ସୁଇଂ ବଲ୍ ଏହି ପାର୍ଟନରଶିପ୍କୁ ଭାଙ୍ଗିଦେଇଥିଲା। ସାମିଙ୍କ ସୁଇଂକୁ ବୁଝି ନପାରି ୧୩ରନ୍ କରିଥିବା ମିଥୁନ ଏଲ୍ବିଡବ୍ଲ୍ୟୁ ଆଉଟ ହୋଇଯାଇଥିଲେ।

ଚତୁର୍ଥ ୱିକେଟ ପାର୍ଟନରଶିପ୍ ଦଳ ଲାଗି ଶ୍ରେଷ୍ଠ ଥିଲା। ମୋମିନୁଲ ଓ ମୁସ୍ଫିକର ରହିମ ଉନ୍ନତ ବୁଝାମଣା ରଖି ଖେଳିଥିଲେ। କିନ୍ତୁ ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ୍ଙ୍କୁ ଉପଅଧିନାୟକ ଆଜିଙ୍କ୍ୟ ରାହାଣେ ସହାୟତା ଦେଇଥିଲେ ଏହି ପାର୍ଟନରଶିପ୍ ଏତେ ବାଟ ଯାଇ ନଥାନ୍ତା। ଅଶ୍ୱିନଙ୍କ ବୋଲିଂରେ ରାହାଣେ ପ୍ରତିପକ୍ଷ ଦଳର ସବୁଠାରୁ ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ମୁସଫିକର ରହିମଙ୍କର ଦୁଇଟି କ୍ୟାଚ୍ ହାତଛଡା କରି ଦେଇଥିଲେ। ଏହି କ୍ୟାଚ୍ ହାତଛଡ଼ା ହୋଇଥିଲେ ମଧ୍ୟ ବାଂଲା ଅଧିନାୟକ ମୋମିନୁଲ (୩୭)ଙ୍କୁ କ୍ଲିନ୍ ବୋଲ୍ଡ କରି ଅଶ୍ୱିନ ଏହି ପାର୍ଟନରଶିପକୁ ଭାଙ୍ଗିଦେଇଥିଲେ। ଏହି ପାର୍ଟନରଶିପରେ ଦଳ ପକ୍ଷରୁ ସର୍ବାଧିକ ୬୮ ରନ୍ ମିଳିଥିଲା।

ଗୋଟିଏ ପଟେ ମୁସଫିକର ଥିଲାବେଳେ ବାଂଲା ଏକ ସମ୍ମାନଜନକ ସ୍କୋର କରିବ ବୋଲି ଆଶା ରହିଥିଲା। କିନ୍ତୁ ବର୍ତ୍ତମାନ ଭାରତୀୟ ବୋଲରଙ୍କ ମଧ୍ୟରେ ସବୁଠାରୁ ପ୍ରଭାବଶାଳୀ ରିଭର୍ସ ସୁଇଂ ବୋଲିଂ କରୁଥିବା ମହମ୍ମଦ୍ ସାମି ବୋଲିଂ କରିବାକୁ ଆସିବା ପରେ ସବୁକିଛି ବଦଳିଯାଇଥିଲା। ସେ ଟି ପୂର୍ବରୁ କ୍ରମାଗତ ଦୁଇଟି ବଲରେ ମୁସଫିକର (୪୩)ଙ୍କୁ କ୍ଲିନ୍ ବୋଲ୍ଡ ଓ ମେହଦୀ ହସନ (୦)ଙ୍କୁ ଏଲବିଡବ୍ଲ୍ୟୁ କରି ବାଂଲାର ସଂଘର୍ଷ ଶେଷ କରିଦେଇଥିଲେ। ଅନ୍ୟ ଟେଲ୍ ଏଣ୍ଡ ବ୍ୟାଟ୍ସମ୍ୟାନ୍ ଭାରତୀୟ ଫାଷ୍ଟ ବୋଲରଙ୍କୁ ମୁକାବିଲା କରିବାକୁ ଭୟ କରୁଥିବା ଦେଖାଯାଇଥିଲା। ୩ଜଣ ଯାକ ଫାଷ୍ଟ ବୋଲି ଘଣ୍ଟା ପ୍ରତି ୧୪୦ କିମି ବେଗରେ ବଲ୍ ପକାଇଥିଲାବେଳେ ସ୍ପିଡ୍, ସୁଇଂ ଓ ବାଉନ୍ସ କରି ବାଂଲାଦେଶ ବ୍ୟାଟ୍ସମ୍ୟାନଙ୍କ ପ୍ରଦର୍ଶନକୁ ଦୟନୀୟ କରିଥିଲେ।

ସାମି ସର୍ବାଧିକ ୩ଟି ୱିକେଟ ପାଇଥିଲାବେଳେ ଈଶାନ୍ତ, ଉମେଶ ଓ ଅଶ୍ୱିନ ୨ଜଣ ଲେଖାଏଁ ଖେଳାଳିଙ୍କୁ ଆଉଟ କରିଥିଲେ। ରବୀନ୍ଦ୍ର ଜାଡେଜାଙ୍କୁ କୌଣସି ୱିକେଟ ମିଳି ନଥିଲେ ମଧ୍ୟ ସେ ଜଣେ ଖେଳାଳିଙ୍କୁ ରନ୍ଆଉଟ କରିଥିଲେ। ଏହି ମ୍ୟାଚରେ ଆଇସିସି ଟେଷ୍ଟ ର୍ୟାଙ୍କିଙ୍ଗରେ ନଂ-୧ ଏବଂ ନଂ-୯ ଦଳ ମଧ୍ୟରେ କି ପ୍ରକାର ପାର୍ଥକ୍ୟ ରହିଥାଏ ତାହା ସ୍ପଷ୍ଟ ପ୍ରତୀୟମାନ ହୋଇଥିଲା।