ଆଜି ମୁମ୍ୱାଇରେ ଖେଳାଯିବ ଭାରତ ଅଷ୍ଟ୍ରେଲିଆ ଦିନିକିଆ ସିରିଜର ପ୍ରଥମ ମୁକାବିଲା

ମୁମ୍ୱାଇ : ଆଜି ଭାରତ-ଅଷ୍ଟ୍ରେଲିଆ ହାଇଭୋଲଟେଜ ଏକଦିବସୀୟ ଶୃଙ୍ଖଳାର ପ୍ରଥମ ମୁକାବିଲା ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡିୟମ୍‌ରେ ଦିନ ୧ଟା୩୦ରେ ଖେଳାଯିବ । ଏହି ମ୍ୟାଚ୍‌ ଖେଳି ଚଳିତ ବର୍ଷର ଦିନିକିଆ ଅଭିଯାନ ଆରମ୍ଭ କରିବ ଭାରତ । ୨୦୨୦ର ପ୍ରଥମ ଟି୨୦ ଶୃଙ୍ଖଳାରେ ଭାରତ ପଡୋଶୀ ଶ୍ରୀଲଙ୍କାକୁ ୨-୦ରେ ପରାଜୟ କରି ସିରିଜ ବିଜୟ ହାସଲ କରିଛି । ବର୍ଷର ପ୍ରଥମ ସିରିଜରେ ବିଜୟ ଲାଭ କରି ଟିମ ଇଣ୍ଡିଆ ଖେଳିଳିଙ୍କ ମନୋବଳ ଉଚ୍ଚ ରହିଥିଲେ ମଧ୍ୟ ପ୍ରକୃତ ପରୀକ୍ଷା ଏହି ସିରିଜରେ ହେବ ବୋଲି ମତ ଦେଇଛନ୍ତି କ୍ରିକେଟ ପଣ୍ଡିତ ମାନେ ।

ସେଥିପାଇଁ ଅଷ୍ଟ୍ରେଲିଆ ବିପକ୍ଷ ଶୃଙ୍ଖଳାରେ କୋହଲି ବାହିନୀର ଅସଲ ପରୀକ୍ଷା ହେବାକୁ ଯାଉଛି । ଗତବର୍ଷ ପ୍ରାରମ୍ଭରେ ଭାରତ ଆସିଥିବା ଅଷ୍ଟ୍ରେଲିଆ ପାଞ୍ଚଟିକିଆ ଶୃଙ୍ଖଳାରେ ୩-୨ରେ ବିଜୟୀ ହୋଇଥିଲା। ଭାରତ ପ୍ରଥମ ଦୁଇ ମ୍ୟାଚ୍ ଜିତିବା ପରେ ଶେଷ ତିନିଟି ମୁକାବିଲାରେ ଲଗାତାର ବିଜୟ ହାସଲ କରି କଙ୍ଗାରୁ ଦଳ ଶୃଙ୍ଖଳା ବିଜୟର ସ୍ବାଦ ଚାଖିଥିଲା । ଗତବର୍ଷ ପରାଜୟର ମଧୁର ପ୍ରତିଶୋଧ ନେବା ପାଇଁ ଭାରତ ପାଖରେ ଏବେ ଭଲ ମୌକା ରହିଛି ।