ବାରବାଟୀରେ ଭାରତ-ୱେଷ୍ଟଇଣ୍ଡିଜ ଦିନିକିଆ: ୫ରୁ ଅନଲାଇନ୍ ଟିକେଟ ବିକ୍ରି ଆରମ୍ଭ

କଟକ,ଏନ୍ଏନ୍ଏସ୍: ଡିସେମ୍ବର ୨୨ରେ ବାରବାଟୀ ଷ୍ଟାଡିୟମରେ ଭାରତ ଓ ୱେଷ୍ଟଇଣ୍ଡିଜ ଭିତରେ ଦିନିକିଆ ମ୍ୟାଚ ଅନୁଷ୍ଠିତ ହେବ। ଏ ନେଇ ଅନଲାଇନରେ ଆସନ୍ତା ୫ତାରିଖରୁ ଟିକେଟ ବିକ୍ରି ଆରମ୍ଭ ହେବ। ସେହିପରି ୧୯ରୁ କାଉଣ୍ଟରରେ ଟିକେଟ ବିକ୍ରି ହେବ।

ମ୍ୟାଚର ଦୁଇ ଦିନ ପୂର୍ବରୁ ଉଭୟ ଦଳ ସିଧାସଳଖ ବିଶାଖପାଟଣାମରୁ ଭୁବନେଶ୍ୱର ଆସିବେ । ବାରବାଟୀର ଦିନିକିଆ ସରିବା ପରେ ମୁମ୍ବାଇ ଫେରିବାର କାର୍ଯ୍ୟକ୍ରମ ରହିଛି। ଏ ସମ୍ପର୍କରେ ଶନିବାର ଓଡ଼ିଶା କ୍ରିକେଟ ଆସୋସିଏସନ୍ ଓ କମିସନରେଟ ପୁଲିସ ମଧ୍ୟରେ ଏକ ବୈଠକ ବସି ମ୍ୟାଚ ପ୍ରସ୍ତୁତି ନେଇ ଆଲୋଚନା ହେଉଛି।

ସେହିପରି ସୁରକ୍ଷା ଦୃଷ୍ଟିରୁ ଷ୍ଟାଡିୟମ ଭିରତକୁ ପାଣି ବୋତଲ ନେବା ପାଇଁ ବାରଣ ହୋଇଛି। ହେଲମେଟ, ବୈଦ୍ୟୁତି ଉପକରଣ, କାଚ, ବାଣ, ଦର୍ପଣକୁ ମଧ୍ୟ ବାରଣ କରାଯାଇଛି । ପ୍ରତି ଗ୍ୟାଲେରୀରେ ଫୁଲ୍ ନେଟିଂ କରାଯିବ । ଫଳରେ ଗ୍ୟାଲେରୀରୁ ପଡିଆ ମଧ୍ୟକୁ କିଛି ଫୋପାଡ଼ି ହେବ ନାହିଁ । ସେହିପରି ସୁରକ୍ଷା ଦୃଷ୍ଟିରୁ ପ୍ରତି ଗ୍ୟାଲେରୀରେ ସିସିଟିଭିର ବ୍ୟବସ୍ଥା ମଧ୍ୟ ରହିଛି । ଆମ୍ବୁଲାନ୍ସ ଓ ଡାକ୍ତର ଦଳ ମଧ୍ୟ ନିୟୋଜିତ ହେବେ।

ଏଥିସହିତ କାଉଣ୍ଟରରେ ଟିକେଟ୍ ବିକ୍ରି ବେଳେ ମଧ୍ୟ ସଶସ୍ତ୍ର ପୁଲିସ୍ ମୁତୟନ ହେବେ। କୁଇକରେସପନ୍ସ ଟିମ୍, ଓଡ୍ରାଫ୍, ସଶସ୍ତ୍ର ପୁଲିସ୍, ବୋମା ନିଷ୍କ୍ରିୟକାରୀ ଦଳ ପ୍ରମୁଖ ଖେଳାଳିଙ୍କ ସୁରକ୍ଷାରେ ରହିବେ । ବିମାନବନ୍ଦରରୁ ହୋଟେଲ୍ ଏବଂ ଷ୍ଟାଡିୟମ ପର୍ୟ୍ୟନ୍ତ ସମସ୍ତ ଯାତାୟତ ବେଳେ ଖେଳାଳି ଓ ମ୍ୟାଚ୍ ପରିଚାଳନା ଅଧିକାରୀଙ୍କୁ ପୂର୍ଣ୍ଣ ସୁରକ୍ଷା ପ୍ରଦାନ କରାଯିବ ବୋଲି କମିସନର ସୂଚନା ଦେଇଛନ୍ତି।