ଗୌହାଟୀ,୫ା୧/ଏଜେନ୍ସି: କ୍ରମାଗତ ବର୍ଷା ଏବଂ ଓଦା ପଡ଼ିଆ ଯୋଗୁଁ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଏଠାରେ ରବିବାର ଖେଳାଯିବାକୁ ଥିବା ପ୍ରଥମ ଟି-୨୦ ଇଣ୍ଟରନ୍ୟାସନାଲ ମୁକାବିଲାକୁ ବାତିଲ କରିଦିଆଯାଇଛି। ମ୍ୟାଚ୍ ବାତିଲ ହେବା ଫଳରେ ଉଭୟ ଦଳର ଖେଳାଳି, ସମର୍ଥକ, ଆୟୋଜକ ଓ ଦର୍ଶକ ନିରାଶ ହୋଇଛନ୍ତି। ୩ ମ୍ୟାଚ୍ ବିଶିଷ୍ଟ ସିରିଜ୍ର ଦ୍ୱିତୀୟ ମୁକାବିଲା ଇନ୍ଦୋରରେ ଆସନ୍ତା ୭ ଏବଂ ତୃତୀୟ ମ୍ୟାଚ୍ ପୁଣେରେ ଜାନୁଆରୀ ୧୦ରେ ଖେଳାଯିବ। ଚଳିତବର୍ଷ ୱାର୍ଲ୍ଡ ଟି-୨୦ (ଟି-୨୦ ବିଶ୍ୱକପ୍) ଆୟୋଜିତ ହେବାକୁ ଯାଉଥିବାରୁ ଏହି ଫର୍ମାଟର ମୁକାବିଲାକୁ ସମସ୍ତ ଦଳ ବେଶ୍ ଗୁରୁତ୍ୱ ଦେଉଛନ୍ତି।
ଘୂର୍ଣ୍ଣିବଳୟ ଜନିତ ବର୍ଷା ଯୋଗୁଁ ସମଗ୍ର ପୂର୍ବାଞ୍ଚଳ ରାଜ୍ୟଗୁଡିକ ପ୍ରଭାବିତ ହୋଇଥିଲେ। ଏଠାରେ ରବିବାର ଅପରାହ୍ଣରେ ବର୍ଷା ହୋଇଥିଲା। କିନ୍ତୁ ଟସ୍ ପଡ଼ିବା ବେଳକୁ ଷ୍ଟାଡିୟମରେ ଆଦୌ ବର୍ଷ ନଥିଲା। ଭାରତ ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦୁଇ ଅଧିନାୟକ ପାଭିଲିୟନ ଫେରିଯିବା ପରେ ବର୍ଷା ହୋଇଥିଲା। ଏହି ବର୍ଷାର ପରିମାଣ ବଢିବା ଫଳରେ ମ୍ୟାଚ୍ ଖେଳାଯିବାକୁ ଥିବା ବର୍ସାପାରା ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମ୍ର ପଡ଼ିଆରେ ପାଣି ଜମିଯାଇଥିଲାବେଳେ ପିଚ୍ର କିଛି ଭାଗରେ ପାଣି ପଶିଯାଇଥିଲା। ପିଚକୁ ଶୁଖାଇବାକୁ ଗ୍ରାଉଣ୍ଡସମ୍ୟାନଙ୍କ ସମସ୍ତ ପ୍ରକାର ଉଦ୍ୟମ ବିଫଳ ହୋଇଥିଲା।
ଏପରିକି ପଡ଼ିଆର କିଛି ଜାଗାରେ ପାଣି ମଧ୍ୟ ଜମି ରହିଥିବାର ଦେଖାଯାଇଥିଲା। ବର୍ଷା ଛାଡିଯିବା ପରେ ଶେଷଥର ଲାଗି ଦୁଇ ଅମ୍ପାୟାର ନୀତିନ ମେନନ ଓ ଅନୀଲ ଚୌଧୁରୀ ପିଚ୍ ଓ ପଡ଼ିଆର ଅବସ୍ଥା ଚେକ୍ କରିଥିଲେ। ୫ ଓଭର ବିଶିଷ୍ଟ ମ୍ୟାଚ୍ ଆୟୋଜନର କଟ୍ ଅଫ୍ ଟାଇମ୍ ଥିଲା ରାତି ୯ଟା ୪୬ ମିନିଟ୍। ଏହି ସମୟ ମଧ୍ୟରେ ପଡ଼ିଆ ଓ ପିଚ୍କୁ ମ୍ୟାଚ୍ ଉପଯୋଗୀ କରିବା ସମ୍ଭବ ନ ହେବାରୁ ମ୍ୟାଚକୁ ମ୍ୟାଚ୍ ରେଫରି ଡେଭିଡ୍ ବୁନ୍ ଓ ଦୁଇ ଅମ୍ପାୟାର ବାତିଲ ଘୋଷଣା କରିଥିଲେ। ଦର୍ଶକ ବର୍ଷାରେ ଏତେ ସମୟ ଧରି ବସିରହିବା ପରେ ମ୍ୟାଚ୍ ବାତିଲ ନିଷ୍ପତ୍ତିରେ ନିରାଶ ହୋଇଥିଲେ।