ନୂଆଦିଲ୍ଲୀ: ବୁଦ୍ଧ ପୂର୍ଣ୍ଣିମା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେପାଳ ଗସ୍ତ କରିଛନ୍ତି । ଏହି ସମୟରେ ମୋଦୀ ବୌଦ୍ଧ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି । ଭଗବାନ ବୁଦ୍ଧଙ୍କ ଜରିଆରେ ଭାରତ ଓ ନେପାଳ ମଧ୍ୟରେ ଥିବା ସମ୍ବନ୍ଧ ଐତିହାସିକ ବୋଲି ମୋଦୀ କହିଛନ୍ତି ।
ମୋଦୀ ଆହୁରି କହିଛନ୍ତି ଯେ, ଭାରତ ଓ ନେପାଳ ମଧ୍ୟରେ ଥିବା ସମ୍ବନ୍ଧ ହିମାଳୟ ପରି ପୁରୁଣା । ଉଭୟ ଦେଶ ମଧ୍ୟରେ ବଢ଼ୁଥିବା ଘନିଷ୍ଠତା ସମଗ୍ର ମାନବ ଜାତିର କଲ୍ୟାଣ କରିବ । ନେପାଳର ଲୁମ୍ବିନୀ ମ୍ୟୁଜିୟମର ନିର୍ମାଣ ମଧ୍ୟ ଉଭୟ ଦେଶ ମଧ୍ୟରେ ଥିବା ସହଯୋଗକୁ ଦର୍ଶାଉଛି । ଲୁମ୍ବିନୀ ବୌଦ୍ଧ ବିଶ୍ୱବିଦ୍ୟାଳୟରେ ଆଜି ଡା.ଆମ୍ବେଦକର ଚେୟାର ଅଫ୍ ବୁଦ୍ଧିଷ୍ଟ ଷ୍ଟଡୀଜ ସ୍ଥାପିତ କରିବାକୁ ମଧ୍ୟ ନିର୍ଣ୍ଣୟ ନିଆଯାଇଛି । ନେପାଳ ପବିତ୍ର ତୀର୍ଥ, ମନ୍ଦିର ଓ ମଠର ଦେଶ । ନେପାଳ ପ୍ରାଚୀନ ସଭ୍ୟତା ଓ ସଂସ୍କୃତିକୁ ସାଇତି ରଖିଥିବା ଦେଶ । ନେପାଳ ବିନା ଆମ ରାମ ମଧ୍ୟ ଅଧା । ସେଥିପାଇଁ ଅଯୋଧ୍ୟା ରାମ ମନ୍ଦିର ଯୋଗୁ ନେପାଳ ଲୋକେ ବି ଖୁସି ଅଛନ୍ତି ।