ଅଷ୍ଟ୍ରେଲିଆର ଶିକ୍ଷା ମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ

ଭୁବନେଶ୍ବର,ଏନ୍ଏନ୍ଏସ୍: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅଷ୍ଟ୍ରେଲିଆ ଶିକ୍ଷା ମନ୍ତ୍ରୀ ଜେସନ କ୍ଲେରଙ୍କ ମଧ୍ୟରେ ଶିକ୍ଷା ଓ ଦକ୍ଷତାକୁ ସୁଦୃଢ଼ କରିବା ନେଇ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଦୁଇ ଦେଶ ମଧ୍ୟରେ ଗବେଷଣାକୁ ପ୍ରୋତ୍ସାହନ ଦେବା ଓ ଶିକ୍ଷାନୁଷ୍ଠାନରେ ସହଯୋଗୀ ହେବା ନେଇ ୧୧ଟି ବୁଝାମଣା ପତ୍ର(ଏମଓୟୁ) ସ୍ୱାକ୍ଷରିତ ହୋଇଥିବା କେନ୍ଦ୍ର ଶିକ୍ଷାମନ୍ତ୍ରୀ ସୂଚନା ଦେଇଛନ୍ତି । ଦ୍ୱିପାକ୍ଷିକ ବୈଠକ ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ସୁଯୋଗ ଆଣିବ।

ବୈଠକ ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ”ଭାରତର କୃଷି କ୍ଷେତ୍ରରେ ଲୋକଙ୍କ ଦକ୍ଷତା ବୃଦ୍ଧି କରିବା ପାଇଁ ଆଗାମୀ ଦେଢ ବର୍ଷରେ ଅଷ୍ଟ୍ରେଲିଆ ସରକାର ୧.୮୯ ମିଲିୟନ ଡଲାର ଖର୍ଚ୍ଚ କରିବେ । ଅଷ୍ଟ୍ରେଲିଆ ବିଶ୍ୱବିଦ୍ୟାଳୟ ସହ ଭାରତର ଶିକ୍ଷାନୁଷ୍ଠାନ ମିଳିତ ଭାବେ ନୂଆ ପାଠ୍ୟକ୍ରମ ତିଆରି କରିବ, ପ୍ରଶିକ୍ଷକ ସୃଷ୍ଟି କରିବା ସହ ସେମାନଙ୍କ କ୍ଷମତା ବୃଦ୍ଧି କରିବା ଉପରେ ଯୋଜନା ପ୍ରସ୍ତୁତ କରାଯିବ । ଅଷ୍ଟ୍ରେଲିଆ ଏବଂ ଭାରତରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ଯୋଗ୍ୟତାକୁ ମାନ୍ୟତା ଦେବା ସହ ଆଇଇଆଇଏଫ କ୍ରିଟିକାଲ ସ୍କିଲ ପ୍ରୋଜେକ୍ଟର ଘୋଷଣା କରାଯାଇଛି । ଏହି ଦ୍ୱିପାକ୍ଷିକ ବୈଠକ ଉଭୟ ଦେଶର ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷା କ୍ଷେତ୍ରରେ ନୂଆ ସୁଯୋଗ ଆଣିବ।”