ଚୀନକୁ ଚେକ୍ ଦେବା ଲକ୍ଷ୍ୟରେ ଭାରତ, ମିଆଁମାରକୁ ପ୍ରଦାନ କରିବ ବୁଡାଜାହାଜ

ନୂଆଦିଲ୍ଲୀ, ଏଜେନ୍ସି: ଭାରତ ମହାସାଗରରେ ଚୀନର ଗତିବିଧି ବଢୁଥିବାରୁ ଏହାକୁ ପ୍ରତିହତ କରିବା ପାଇଁ ଭାରତ ନିଜର ପଡୋଶୀ ଦେଶ ମିଆଁମାର ନୌସେନାକୁ ଏକ କିଲୋକ୍ଲାସ ବୁଡାଜାହାଜ ଆଇଏନଏସ୍ ସିନ୍ଧୁବୀର ପ୍ରଦାନ କରିବ। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ ଗୁରୁବାର ଏହି ସୂଚନା ଦେଇଛନ୍ତି। ଭାରତ-ମିଆଁମାର ମଧ୍ୟରେ ସାମରିକ ସହଯୋଗ ବୃଦ୍ଧି ଲାଗି ଚଳିତ ମାସ ପ୍ରାରମ୍ଭରେ ସ୍ଥଳ ସେନାଧ୍ୟକ୍ଷ ଜେନେରାଲ ଏମ.ଏମ.ନରବଣେ ଓ ବୈଦେଶିକ ସଚିବ ହର୍ଷବର୍ଦ୍ଧନ ସିଙ୍ଗଲା ମିଆଁମାର ଗସ୍ତରେ ଯାଇଥିଲେ।

ଏହି ଗସ୍ତ ଅବସରରେ ମିଆଁମାର ସେନାକୁ ଆର୍ଟିଲାରି ଗନ, ବୁଲେଟପ୍ରୁଫ୍ ଜାକେଟ୍, ଟ୍ୟାଙ୍କ ଆଦି ପ୍ରଦାନ ପାଇଁ ଭାରତ ରାଜି ହୋଇଥିଲା। ଦକ୍ଷିଣ-ପୂର୍ବ ଏସିଆରେ ଚୀନର କ୍ରମବର୍ଦ୍ଧିଷ୍ଣୁ ପ୍ରଭାବର ମୁକାବିଲା କରିବାକୁ ଭାରତ ଉଦ୍ୟମ ଆରମ୍ଭ କରିଛି। ଚୀନ୍ ସହିତ ସୀମା ବିବାଦ ଥିବା ଦେଶମାନଙ୍କୁ ଭାରତ ସାମରିକ ସହାୟତା ଯୋଗାଉଛି। ଗତ କିଛି ବର୍ଷ ହେଲା ଇଣ୍ଡୋନେସିଆ ଓ ଥାଇଲାଣ୍ଡ ସହ ଭାରତ ନିଜର ସାମରିକ ସମ୍ପର୍କ ସୁଦୃଢ କରିଛି। ଇଣ୍ଡୋନେସିଆକୁ ଭାରତ କେତେକ ଯୁଦ୍ଧ ଜାହାଜ, ବ୍ରହ୍ମୋସ ମିସାଇଲ, ଆକାଶ ମିସାଇଲ ସିଷ୍ଟମ ପ୍ରଦାନ କରିବାକୁ ଯୋଜନା କରୁଛି।