୨ୟ ଦିନିକିଆ: ଶ୍ରୀଲଙ୍କାକୁ ୩ ୱିକେଟରେ ହରାଇଲା ଭାରତ

କଲମ୍ବୋ,ଏଜେନ୍ସି: ପ୍ରଥମ ମୁକାବିଲାରେ ବିଜୟୀ ହୋଇଥିବା ଭାରତୀୟ ଟିମ୍ ଶ୍ରୀଲଙ୍କାକୁ ଦ୍ୱିତୀୟ ଦିନିକିଆରେ ମଧ୍ୟ ପରାସ୍ତ କରିଛି। କଲମ୍ବୋସ୍ଥିତ ଆର୍ ପ୍ରେମଦାସା ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ଭାରତକୁ ୨୭୬ ରନ୍ ଟାର୍ଗେଟ ଦେଇଥିଲା ।

ଜବାବରେ ଭାରତ ୪୯.୧ ଓଭରରେ ୭ଟି ୱିକେଟ ହରାଇ ୨୭୭ ରନ୍ ସଂଗ୍ରହ କରିପାରିଥିଲା। ଦ୍ୱିତୀୟ ଦିନିକିଆକୁ ୩ଟି ୱିକେଟରେ ବିଜୟୀ ହେବା ସହିତ ଭାରତ ୩ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାକୁ ଜିତିଛି। ଶେଷ ଦିନିକିଆ ଜୁଲାଇ ୨୩ରେ ଖେଳାଯିବ।

ଭାରତ ୧୯୩ ରନ୍‌ରେ ୭ଟି ମୂଲ୍ୟବାନ ୱିକେଟ ହରାଇବା ପରେ ଏକଦା ସଂଘର୍ଷପୂର୍ଣ୍ଣ ସମୟ ଦେଇ ଗତି କରୁଥିଲା। କିନ୍ତୁ ଦୀପକ ଚହର ଏବଂ ଭୁବନେଶ୍ୱର କୁମାର ଅଷ୍ଟମ ୱିକେଟ ପାଇଁ ୮୪ ରନ୍ ଯୋଡ଼ି ଶ୍ରୀଲଙ୍କାର ବିଜୟ ଆଶାକୁ ଧୂଳିସାତ୍ କରିଦେଇଥିଲେ । ଶିଖର ଧାୱନଙ୍କ ଅଧିନାୟକତ୍ୱରେ ଖେଳୁଥିବା ଭାରତ ପାଇଁ ଦୀପକ ଚାହାର ବିଜୟର ଚୌକା ମାରିଥିଲେ।

ଦ୍ରୁତ ବୋଲର ଦୀପକ ଚାହର ୮୨ଟି ବଲ ଖେଳି ୭ଟି ଚୌକା ଓ ଗୋଟଏ ଛକା ବଳରେ ବ୍ୟକ୍ତିଗତ ଭାବେ ଅପରାଜିତ ୬୯ ରନ୍ ସଂଗ୍ରହ କରି ବିଜୟର ଇତିହାସ ଲେଖଛନ୍ତି। ଏହି ଇନିଂସରେ ଭୁବନେଶ୍ୱର କୁମାରଙ୍କ ବଡ଼ ଯୋଗଦାନ ରହିଛି। ସେ ୨୮ଟି ବଲ ଖେଳି ୨ଟି ଚୌକା ବଳରେ ଅପରାଜିତ ୧୯ ରନ୍ ସଂଗ୍ରହ କରିଥିଲେ। ଶ୍ରୀଲଙ୍କା ପୂର୍ବରୁ ନିର୍ଦ୍ଧାରିତ ୫୦ ଓଭରରେ ୯ଟି ୱିକେଟ ହରାଇ ୨୭୫ ରନ୍ କରିଥିଲା।