ଭାରତ-ଇଣ୍ଡିଜ୍ ପ୍ରଥମ ଦିନିକିଆ, ଭ୍ରମଣକାରୀ ଦଳର ଏକତରଫା ବିଜୟ

ଚେନ୍ନାଇ: ଟି-୨୦ ସିରିଜରେ ୧-୨ରେ ପରାସ୍ତ ହୋଇଥିବା ୱେଷ୍ଟ୍ଇଣ୍ଡିଜ୍ ଚଳିତ ଭାରତ ବିପକ୍ଷ ଦିନିକିଆ ସିରିଜରେ ଅଗ୍ରଣୀ ହାସଲ କରିଛି। ରବିବାର ଏଠାରେ ଖେଳାଯାଇଥିବା ତିନି ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ମୁକାବିଲାରେ ଓପନର ଶାଇ ହୋପ୍ ଓ ମଧ୍ୟମକ୍ରମ ବ୍ୟାଟ୍ସମ୍ୟାନ୍ ଶିମରୋନ୍ ହେଟମେୟର୍ଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଭାରତକୁ ୮ ୱିକେଟ୍ରେ ହରାଇଛି। ଉଭୟ ବ୍ୟାଟ୍ସମ୍ୟାନଙ୍କ ଚମକପ୍ରଦ ବ୍ୟାଟିଂ କାରଣରୁ ଇଣ୍ଡିଜ୍ ହାତରେ ୧୩ଟି ବଲ୍ ବାକି ଥିବା ବେଳେ ବିଜୟୀ ହୋଇଛି। ୧୦୬ ବଲରେ ୧୩୯ ରନର କ୍ୟାରିଅର୍ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ହେଟମେୟର୍ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। ସିରିଜର ଦ୍ୱିତୀୟ ମ୍ୟାଚଟି ଆସନ୍ତା ୧୮ ତାରିଖରେ ବିଶାଖାପାଟଣାଠାରେ ଖେଳାଯିବ।

ପ୍ରଥମେ ବ୍ୟାଟିଂ ସୁଯୋଗ ପାଇଥିବା ଭାରତ ସପ୍ତମ ଓଭରରେ ଓପନର ଲୋକେଶ ରାହୁଲଙ୍କ ୱିକେଟ୍ ହରାଇଥିଲା। ରାହୁଲ୍ ମାତ୍ର ୬ ରନ୍ କରି ବିଦାୟ ନେଇଥିଲେ। ପରେ ଅଧିନାୟକ ବିରାଟ କୋହଲି ଗୋଟିଏ ଚୌକା ମାରି ଶେଲଡନ୍ କୋଟ୍ରେଲଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ଅନ୍ୟତମ ଓପନର ରୋହିତ ଶର୍ମା ଧୈର୍ଯ୍ୟ ସହକାରେ ଖେଳିଥିଲେ ମଧ୍ୟ ୫୬ ବଲ୍ରେ ୩୬ ରନ୍ କରିଥିବା ବେଳେ ଆଲ୍ଜାରି ଜୋଶେଫଙ୍କ ଶିକାର ହୋଇଥିଲେ।

ରୋହିତଙ୍କ ଇନିଂସରେ ୬ଟି ଚୌକା ରହିଥିଲା। ତେବେ ଚତୁର୍ଥ ୱିକେଟ୍ ପାଇଁ ଦୁଇ ଯୁବ ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ୍ ଓ ଶ୍ରେୟସ୍ ଆୟର୍ଙ୍କ ମଧ୍ୟରେ ୧୧୪ ରନର ଭାଗୀଦାରୀ ହେବା ଫଳରେ ଭାରତ ଏକ ଚାଲେଞ୍ଜିଂ ଟାର୍ଗେଟ୍ ଦେବା ସ୍ଥିତିରେ ପହଞ୍ଚିଥିଲା। ଆୟର୍ ୫ ଚୌକା ଓ ଗୋଟିଏ ଛକା ସହ ୭୦ ଓ ପନ୍ତ୍ ୭ ଚୌକା ଓ ଗୋଟିଏ ଛକା ୭୧ ରନ୍ କରି ଆଉଟ୍ ହୋଇଥିଲେ। କିନ୍ତୁ ଏହା ପୂର୍ବରୁ ଆୟର୍ ତାଙ୍କର ପଞ୍ଚମ ଓ ପନ୍ତ୍ ତାଙ୍କର ପ୍ରଥମ ଦିନିକିଆ ଅର୍ଦ୍ଧଶତକ ପୂରଣ କରିଥିଲେ।

ପରେ କେଦାର ଯାଦବ ଓ ରବୀନ୍ଦ୍ର ଜାଡେଜା ଯଥାକ୍ରମେ ୪୦ ଓ ୨୧ ରନ୍ କରିଥିଲେ। କେଦାର ୩୫ ବଲ୍ ଖେଳି ୩ଟି ଚୌକା ଓ ଗୋଟିଏ ଛକା ମାରିଥିବା ବେଳେ ଜାଡେଜା ବଲ୍ ପିଛା ରନ୍ ସଂଗ୍ରହ କରିଥିଲେ। ଭାରତ ନିର୍ଦ୍ଧାରିତ ୫୦ ଓଭର୍ରେ ୮ ୱିକେଟ୍ ହରାଇ ୨୮୭ ରନ୍ କରିଥିଲା। ୱେଷ୍ଟ୍ଇଣ୍ଡିଜ୍ ପକ୍ଷରୁ କୋଟ୍ରେଲ୍, କୀମୋ ପଲ୍ ଓ ଜୋଶେଫ୍ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ।