ଅସୁରକ୍ଷିତ ମହିଳା: ୧୦ ବର୍ଷରେ ବଢିଛି ଅଢ଼େଇଗୁଣ ଦୁଷ୍କର୍ମ

ରାଜ୍ୟ ସରକାର ମହିଳାଙ୍କୁ ସର୍ବଦା ପ୍ରାଧାନ୍ୟ ଦେଉଥିବାବେଳେ ରାଜ୍ୟ ପୁଲିସ ବିଭାଗ ମଧ୍ୟ ନାରୀ ସୁରକ୍ଷା ପାଇଁ ଅନେକ ପଦକ୍ଷେପମାନ ନେଉଛି। ଲୋକଙ୍କୁ ସଚେତନ କରିବା ସହ ଆଇନକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରାଯାଉଛି। ଏସବୁ ପରେ ମହିଳାଙ୍କୁ ସୁରକ୍ଷା ଦେବାରେ ପୁଲିସ ସଫଳତା ହାସଲ କରିପାରୁନି। ଫଳରେ ରାଜ୍ୟରେ ନାରୀ ନିର୍ଯାତନା ଓ ଦୁଷ୍କର୍ମ ଭଳି ମାମଲା ବଢ଼ିବାରେ ଲାଗିଛି। ଗତ ୧୦ବର୍ଷରେ ରାଜ୍ୟରେ ଦେଢ଼ଗୁଣା ଦୁଷ୍କର୍ମ ବଢିଛି। ୨୦୧୦ରେ ମାତ୍ର ୧୦୨୫ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଥିବାବେଳେ ୨୦୧୮ରେ ଏହା ବଢ଼ି ୨୫୦୫ରେ ପହଞ୍ଚିଛି। ସେହିପରି ୨୦୧୯ (ମେ’ ପର୍ଯ୍ୟନ୍ତ) ୯୩୭ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଛି।
ଦିନକୁ ଦିନ ନାରୀ ନିର୍ଯାତନା ଓ ଦୁର୍ଷ୍କମ ମାମଲା ବଢ଼ିବାରେ ଲାଗିଛି। କେତେକ କ୍ଷେତ୍ରରେ ମହିଳାମାନେ ଥାନାରେ ଅଭିଯୋଗ କରୁଛନ୍ତି, ତ ଆଉ କେତେକ ସ୍ଥଳେ ଭୟରେ ଏତଲା ଦାୟର ହେଉନି। ଅଭିଯୁକ୍ତର ଧମକ ଓ ସମ୍ମାନହାନି ଭୟରେ ଅନେକ ମହିଳା ଥାନାକୁ ଯିବାକୁ ଉଚିତ୍ ମନେ କରୁନାହାନ୍ତି। ତଥ୍ୟ ଅନୁସାରେ ୨୦୧୦ରେ ମାତ୍ର ୧୦୨୫ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଥିବା ବେଳେ ୨୦୧୧ରେ ୧୧୧୨ଟି, ୨୦୧୨ରେ ୧୪୫୮ଟି, ୨୦୧୩ରେ ୧୯୩୭, ୨୦୧୪ରେ ୨୦୧୧, ୨୦୧୫ରେ ୨୨୮୬, ୨୦୧୬ରେ ୨୧୪୪, ୨୦୧୭ରେ ୨୨୨୧ ଓ ୨୦୧୮ରେ ଏହା ୨୫୦୫କୁ ବୃଦ୍ଧି ପାଇଛି।
ତେବେ ଏହାକୁ ରୋକିବା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ଅନେକ ଜନହିତକାରୀ ଯୋଜନା କରାଯାଉଛି। ଲୋକଙ୍କୁ ସଚେତନ କରିବା ସହ ନାରୀ ନିର୍ଯାତନା ସମ୍ପର୍କରେ ମୁହଁ ଖୋଲିବାକୁ କୁହାଯାଉଛି। ସେହିପରି ମହିଳାଙ୍କ ସୁରକ୍ଷା ଲାଗି ଏକ ଟୋଲ୍ ଫ୍ରି ନମ୍ବର-୧୮୧ର ବ୍ୟବସ୍ଥା କରାଯାଇଛି। ମହିଳାମାନଙ୍କ ସହ ଘଟୁଥିବା ଦୁଷ୍କର୍ମ ତଥା ଚାଞ୍ଚଲ୍ୟକର ଅପରାଧଗୁଡ଼ିକୁ ସଫଳତାର ସହ ପରିଚାଳନା କରିବା ପାଇଁ ମାମଲାଗୁଡ଼ିକୁ ‘ରେଡ୍ଫ୍ଲାଗ୍’ ମାମଲାର ପର୍ଯ୍ୟାୟଭୁକ୍ତ କରାଯାଉଛି।
ଏହା ସହିତ ଅପରାଧଗୁଡ଼ିକର ସଫଳ ତଦନ୍ତ ନିମନ୍ତେ ୨୯ଟି ଇନ୍ଭେଷ୍ଟିଗେଟିଂ ୟୁନିଟ୍ସ ଫର୍ କ୍ରାଇମ୍ ଏଗେନ୍ଷ୍ଟ ଓମ୍ୟାନ୍ (ଆଇୟୁସିଏଡବ୍ଲୁ) ଅନୁମୋଦିତ କରାଯାଇଛି। ଏଥିସହିତ ରାଜ୍ୟରେ ୧୯ଟି ‘ଓମ୍ୟାନ୍ ସପୋର୍ଟ ସେଣ୍ଟର’ ଖୋଲାଯାଇ ପୀଡ଼ିତାଙ୍କୁ ସମସ୍ତ ସାହାଯ୍ୟ ସହଯୋଗ ଯୋଗାଇ ଦିଆଯାଉଛି। ଏସବୁ ସତ୍ତେ୍ୱ ମଧ୍ୟ ନାରୀ ନିର୍ଯାତନା କମିବାର ନାଁ ନେଉନି। ତେବେ ରାଜ୍ୟରେ ଘଟୁଥିବା ଦୁଷ୍କର୍ମ ଘଟଣାରେ ପ୍ରାୟ ୯୦ପ୍ରତିଶତ ସମ୍ପର୍କୀୟ ଓ ପ୍ରେମଜନିତ ଘଟଣା ଯୋଗୁଁ ଘଟୁଛି। ତେଣୁ ଲୋକଙ୍କୁ ଏ ନେଇ ସଚେତନ ହେବାକୁ ପଡ଼ିବ।