ବ୍ୟାଙ୍କ୍ ଦେଖି ନଥିବା ଚାଷୀଙ୍କ ମୁଣ୍ଡରେ ଅଢ଼େଇ ଲକ୍ଷର ଆୟକର ବୋଝ

ଉମରକୋଟ,ଏନ୍ଏନ୍ଏସ୍: ଗୋଟିଏ ପଟେ ଜଣେ ଚାଷୀଙ୍କୁ ନିଜ ପରିବାର ପାଇଁ ୨ ଓଳି ଦୁଇମୁଠା ଖାଇବା ଯୋଗାଡ଼ କରିବା କାଠିକର ପାଠ ହୋଇପଡ଼ିଥିବା ବେଳେ ତାଙ୍କ ପାଖକୁ ଆସିଛି ୨ ଲକ୍ଷ ୫୯ ହଜାର ୫୪୦ ଟଙ୍କାର ଆୟକର ନୋଟିସ୍। ଏ କଥା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କୋରାପୁଟ ଜିଲ୍ଲା ଉମରକୋଟସ୍ଥିତ ପୂଜାରୀଭରଣ୍ଡି ଗାଁରେ ଏପରି ଏକ ଘଟଣା ସାମନାକୁ ଆସିଛି। ଏହି ଗାଁର ସନଥର ଗଣ୍ଡଙ୍କ ନିକଟକୁ ଆସିଛି ୨ ଲକ୍ଷ ୫୯ ହଜାର ୫୪୦ ଟଙ୍କାର ନୋଟିସ୍।

ସନରଥ କୁହନ୍ତି, ସେ ଲେଖାପଢ଼ା ଜାଣି ନାହାନ୍ତି। ଜୀବନରେ କେବେ ବ୍ୟାଙ୍କକୁ ବି ଯାଇନାହାନ୍ତି। କିନ୍ତୁ ୭ ବର୍ଷ ହେବ ଉମରକୋଟର ଜଣେ ବ୍ୟବସାୟୀଙ୍କ ନିକଟରେ ସେ ଦିନମଜୁରିଆ ଭାବେ କାମ କରୁଥିଲେ। ସେଠାରେ ଉକ୍ତ ବ୍ୟବସାୟୀଜଣକ ତାଙ୍କ ଆଧାର କାର୍ଡ ଓ ବିଭିନ୍ନ ଡକ୍ୟୁମେଣ୍ଟ ହାତେଇ ନେଇଥିଲେ। ଏହାପରେ ସେ ତାକୁ କ’ଣ କଲେ ସେ ସମ୍ପର୍କରେ ସନଥରଙ୍କ ନିକଟରେ କିଛି ବି ସୂଚନା ନ ଥିଲା।

ଅପରପକ୍ଷେ କିଛିଦିନ ହେବ ସନରଥଙ୍କ ଘରକୁ ଆୟକର ବିଭାଗ ପକ୍ଷରୁ ୬ଟି ନୋଟିସ୍ ଆସିଥିଲା। ସେ ଲେଖି ପଢ଼ି ଯାଣି ନଥିବାରୁ ଉକ୍ତ ନୋଟିସ୍କୁ ନେଇ ସେ ନିକଟସ୍ଥ ସ୍କୁଲ ଶିକ୍ଷକଙ୍କ ନିକଟକୁ ଯାଇଥିଲେ। ସେଠାରେ ଯାହା ଶୁଣିଲେ ତାଙ୍କ ପାଦ ତଳୁ ମାଟି ଖସିଗଲା। ସେ କେବେ ବ୍ୟାଙ୍କ ଦୁଆରମୁହଁରେ ପାଦ ଦେଇ ନ ଥିବା ପାସ୍ବୁକ୍ କ’ଣ ଜାଣି ନଥିବାବେଳେ ତାଙ୍କ ନାଁରେ ୨ ଲକ୍ଷ ୫୯ ହଜାର ୫୪୦ ଟଙ୍କାର ଟିକସ ଆସିଥିବା ଘଟଣାକୁ ସେ ବିଶ୍ୱାସ କରିପାରୁ ନାହାନ୍ତି।

ଆୟକର ନୋଟିସ୍ ସୂଚନା ଅନୁସାରେ, ସନଧରଙ୍କ ନାଁରେ ଆଇସିଆଇସିଆଇ ବ୍ୟାଙ୍କରେ ଆକାଉଣ୍ଟ ଥିବାବେଳେ ସେଥିରେ ୧ କୋଟି ୪୭ ଲକ୍ଷରୁ ଅଧିକ ଟଙ୍କା ରଖାଯାଇଥିଲା। ଏହାକୁ ପରେ ଉଠାଣ ବି ହୋଇଛି। ତେବେ ଆୟକର ନୋଟିସ୍କୁ ନେଇ ସନଧରଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି। ନିଜେ ଅପାଠୁଆ ହୋଇଥିବା ବେଳେ ଏପରି ସମସ୍ୟାରୁ କିପରି ମୁକୁଳିବେ, ତାଙ୍କୁ ବୁଦ୍ଧିବାଟ ଦିଶୁ ନଥିବା କହିଛନ୍ତି। ସନଥର କେବେ ବ୍ୟାଙ୍କ ଯାଇନଥିବା ବେଳେ ତାଙ୍କ ନାଁରେ କିପରି ଆକାଉଣ୍ଟ ଖୋଲିଲା, ତାଙ୍କ ଦସ୍ତଖତ କିଏ କଲା, ଏଥିରେ ବ୍ୟାଙ୍କ ଅଧିକାରୀଙ୍କ ସମ୍ପୃକ୍ତିକୁ ନେଇ ପୁଲିସ୍ର ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି।