ମାଲକାନଗିରି,ଏନ୍ଏନ୍ଏସ୍:ମାଲକାନଗିରି ଜିଲ୍ଲାରେ ଆଉ ୧୪ଜଣ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ୪ଜଣ କରୋନା ଯୋଦ୍ଧା ରହିଥିବା ଜଣାପଡ଼ିଛି। ଫଳରେ ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୪୪କୁ ବୃଦ୍ଧି ପାଇଛି।
ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ମାଲକାନଗିରି ପୌର ପରିଷଦ ଅଞ୍ଚଳର ୭ ଜଣ, ବାଲିମେଳା ଏନଏସିର ୪ଜଣ, ମାଲକାନଗିରି ବ୍ଲକ, କାଲିମେଳା ବ୍ଲକ ଓ ଖଇରପୁଟ ବ୍ଲକର ଜଣେ ଲେଖାଏଁ ରହିଥିବା ନେଇ ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଟ୍ୱିଟ କରି ସୂଚନା ଦେଇଛନ୍ତି। ମାଲକାନଗିରି ପୌର ପରିଷଦର ସମସ୍ତ ଆକ୍ରାନ୍ତ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିିଥିବା ବେଳେ ସେଥିମଧ୍ୟରୁ ୩ଜଣ କରୋନା ଯୋଦ୍ଧା ରହିଛନ୍ତି। ବାଲିମେଳା ଏନଏସିର ସମସ୍ତ ଆକ୍ରାନ୍ତ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି। ମାଲକାନଗିରି ବ୍ଲକର ଗଙ୍ଗଲା ପଞ୍ଚାୟତର ଆକ୍ରାନ୍ତ ଜଣକ କରୋନା ଯୋଦ୍ଧା ଓ ସେ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବାବେଳେ କାଲିମେଳା ବ୍ଲକର ଆକ୍ରାନ୍ତ ଜଣକ ଦିଲ୍ଲୀ ଫେରନ୍ତା। ଖଇରପୁଟ ବ୍ଲକର ଆକ୍ରାନ୍ତ ଜଣକ କ୍ଲିନିକକୁ ଯାଇଥିବାବେଳେ ଲକ୍ଷଣ ଦେଖାଦେବାରୁ ନମୁନା ସଂଗ୍ରହ କରାଯାଇଥିଲା। ପରେ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
ସୂଚନାଯୋଗ୍ୟ, ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୪୪ ହୋଇଥିବାବେଳେ ଜଣଙ୍କର ମୃତ୍ୟୁ ଘଟଛି। ସେହିପରି ୨୮୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ୧୬୦ ଜଣ ଚିକିତ୍ସିତ ହେଉଛନ୍ତି।