୨ କଏଦୀଙ୍କ ସହ ୪୭ କରୋନା ପଜିଟିଭ ଚିହ୍ନଟ

କୋରାପୁଟ,ଏନ୍ଏନ୍ଏସ୍: ଜୟପୁର କାରାଗାରର ୨ଜଣ ବିଚାରଧୀନ କଏଦୀଙ୍କ ସମେତ କୋରାପୁଟ ଜିଲ୍ଲାରେ ୪୭ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ଜିଲ୍ଲାପାଳ ମଧୁସୂଦନ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ କୋରାପୁଟ ପୌରାଞ୍ଚଳରୁ ୩ଜଣ, ଜୟପୁର ପୌରାଞ୍ଚଳରୁ ୨୧, ବନ୍ଧୁଗାଁ ବ୍ଲକରୁ ୧୧, ଲକ୍ଷ୍ମୀପୁର ବ୍ଲକରୁ ୫, ନନ୍ଦପୁର ବ୍ଲକର ପାଢୁଆ ଓ ନନ୍ଦପୁରରୁ ୨ ଲେଖାଏଁ, କୁନ୍ଦୁରା, କୋରାପୁଟ ବ୍ଲକ୍ ନାଲକୋ ଦାମନଯୋଡ଼ି ସେକ୍ଟର-୨ ଓ ଜୟପୁର ବ୍ଲକ୍ ରଣ୍ଡାପାଲିରୁ ଜଣେ ଲେଖାଏଁ ରହିଛନ୍ତି। ସେଥିମଧ୍ୟରୁ ୧୮ଜଣ ମହିଳା ଓ ୨୯ଜଣ ପୁରୁଷ ଥିବା ଜଣାପଡ଼ିଛି। ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ୪ଜଣ ସ୍ୱାସ୍ଥ୍ୟକର୍ମୀ ଥିବା ଜିଲ୍ଲାପାଳ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ, ଲକଡାଉନ୍ ସମୟରେ ଦୋକାନ ବଜାର ଖୋଲାଯିବା ସମୟ ଦିନ ଗୋଟାଏ ରଖାଯାଇଥିବାରୁ ପ୍ରବଳ ଭିଡ଼ ଜମୁଛି। ତେଣୁ ଜନସାଧାରଣଙ୍କ ସୁବିଧା ତଥା ଭିଡ଼ କମାଇବା ଉଦ୍ଦେଶ୍ୟରେ ଶୁକ୍ରବାରରୁ ଆସନ୍ତା ୧୪ତାରିଖ ଯାଏ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଓ ଅନ୍ୟାନ୍ୟ ଦୋକାନ ଅପରାହ୍ନ୍ନ ୩ଟା ଯାଏ ଖୋଲାଯିବାକୁ ଜିଲ୍ଲା ପ୍ରଶାସନ ଅନୁମତି ଦେଇଛି। ଏଥିସହିତ ୩ଟା ପରେ ଜରୁରୀ ସେବା ବ୍ୟତୀତ କୌଣସି ଦୋକାନ ଖୋଲିଲେ ଦୋକାନୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳ ଚେତାବନୀ ଦେଇଛନ୍ତି।