କୋରାପୁଟରୁ ୯ ସ୍ୱାସ୍ଥ୍ୟକର୍ମୀଙ୍କ ସହ ୬୬ କରୋନା ଆକ୍ରାନ୍ତ ଚିହ୍ନଟ: ସ୍ୱାବ୍ ଟେଷ୍ଟିଂ ରିପୋର୍ଟ ନଆସିବା ଯାଏ ହୋମ୍ କ୍ୱାରେଣ୍ଟାଇନ ବାଧ୍ୟତାମୂଳକ

କୋରାପୁଟ,ଏନ୍ଏନ୍ଏସ୍: କୋରାପୁଟ ଜିଲ୍ଲାରେ ୬୬ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୮୭ରେ ପହଞ୍ଚିଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ କ୍ୱାରେଣ୍ଟାଇନ କେନ୍ଦ୍ରରୁ ଜଣେ, ହୋମ୍ କ୍ୱାରେଣ୍ଟାଇନରୁ ୪୯ଜଣ ଓ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ୧୬ଜଣ ସଂକ୍ରମିତ ହୋଇଥିବା ଜିଲ୍ଲାପାଳ ମଧୁସୂଦନ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୯ଜଣ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ରହିଥିବା ଜଣାପଡ଼ିଛି। ଏଥିସହିତ କୋରାପୁଟ ପୌରାଞ୍ଚଳରୁ ୧୫, ଜୟପୁର ପୌରାଞ୍ଚଳରୁ ୧୩, ସୁନାବେଡ଼ା ପୌରାଞ୍ଚଳରୁ ୬, କୋରାପୁଟ ବ୍ଲକରୁ ୧୨, ଲକ୍ଷ୍ମୀପୁର ବ୍ଲକରୁ ୯, ବୈରାକିଗୁଡ଼ା ବ୍ଲକରୁ ୫, କୁନ୍ଦୁରା ବ୍ଲକରୁ ୪, ସେମିଲିଗୁଡ଼ା ବ୍ଲକରୁ ଜଣେ ଓ କୋରାପୁଟ ମେଡିକାଲ କଲେଜରେ ଚିକିତ୍ସିତ ହେଉଥିବା ନବରଙ୍ଗପୁରର ଜଣେ ରହିଛନ୍ତି।

ଅନ୍ୟପଟେ ସ୍ୱାବ୍ ପରୀକ୍ଷା ପାଇଁ ନମୁନା ଦେଇଥିବା ଲୋକ ରିପୋର୍ଟ ନଆସିବା ଯାଏ ହୋମ୍ କ୍ୱାରେଣ୍ଟାଇନରେ ରହିବାକୁ ବାଧ୍ୟ ବୋଲି ଜିଲ୍ଲାପାଳ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏଥିସହିତ ହୋମ୍ କ୍ୱାରେଣ୍ଟାଇନ୍ ନିୟମ ମାନି ରହିବାକୁ ସେମାନେ ଲିଖିତ ଚୁକ୍ତି କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ହୋମ୍ କ୍ୱାରେଣ୍ଟାଇନରେ ରହୁଥିବା ଲୋକେ କୋଭିଡ ନିୟମ ଠିକ୍ ଭାବେ ପାଳନ କରୁନଥିବାରୁ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ବଢୁଥିବାରୁ ଏଭଳି କଡ଼ା ପଦକ୍ଷେପ ନେଇଥିବା ଜିଲ୍ଲାପାଳ ସୂଚନା ଦେବାସହ ହୋମ କ୍ୱାରେଣ୍ଟାଇନ୍ ନିୟମ ପାଳନ କରୁନଥିବା ଲୋକଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି।