ଆମେରିକାରେ କରୋନା ସ୍ଥିତି ସଙ୍ଗୀନ, ଗତ ୨୪ ଘଣ୍ଟାରେ ୩୦ ହଜାର ଆକ୍ରାନ୍ତ, ୨୬୦୦ ମୃତ

ୱାସିଂଟନ୍,ଏଜେନ୍ସି: ବିଶ୍ଵରେ କାୟା ବିସ୍ତାର କରୁଥିବା କରୋନା ଯୋଗୁଁ ଆମେରିକାର ସ୍ଥିତି ବିଗିଡ଼ିବାରେ ଲାଗିଛି। ଆମେରିକାରେ ପ୍ରତିଦିନ କରୋନା ମୃତକଙ୍କ ସଂଖ୍ୟା ରେକର୍ଡ ଭାଙ୍ଗୁଛି। ସବୁଠୁ ଭୟାନକ କଥା ହେଉଛି ଯେ, ଆମେରିକାରେ ଗତ ୨୪ ଘଣ୍ଟା ମଧ୍ୟରେ ୨୬୦୦ ଲୋକଙ୍କ ମୃ୍ତ୍ୟୁ ହୋଇଛି। ସେହିପରି ୨୪ ଘଣ୍ଟାରେ ଆମେରିକାରେ ୩୦ ହଜାରରୁ ଅଧିକ ଲୋକ କରୋନା ଆକ୍ରାନ୍ତ ହୋଇଛନ୍ତି। ଏହି କ୍ରମରେ ଏଠାରେ ମୃତକଙ୍କ ସଂଖ୍ୟା ୨୫ ହଜାର ପାର ହୋଇଛି।
କରୋନା ଯୋଗୁଁ ଆମେରିକାର ନ୍ୟୁୱର୍କ ସିଟି ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ସୂଚନା ମିଳିଛି। ଏଠାରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୨,୧୪,୬୪୮ ଛୁଇଁଲାଣି। ଗତ ୨୪ ଘଣ୍ଟା ମଧ୍ୟରେ ଏହି ସହରରେ ୭୮୬ ଜଣ ପ୍ରାଣ ହରାଇଛନ୍ତି। ଫଳରେ ଏହି ସହରରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୧,୫୮୬ରେ ପହଞ୍ଚିଛି।

ଚୀନର ଉହାନ ସହରରୁ ଆସିଥିବା କୋରୋନା ଭୂତାଣୁ ସାରା ବିଶ୍ଵରେ ଆତଙ୍କ ଖେଳାଇବାରେ ଲାଗିଛି। ବିଶ୍ଵରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ ଲକ୍ଷ ଟପିଥିବା ବେଳେ ଏକ ଲକ୍ଷ ୨୭ ହଜାରରୁ ଅଧିକ ଲୋକ ମୃତ୍ୟୁବରଣ କଲେଣି। ସେପଟେ ଏହି ମହାମାରୀରର କବଳରୁ ୪ ଲକ୍ଷ ୮୬ ହଜାରରୁ ଅଧିକ ଲୋକ ସୁସ୍ଥ ହେଲେଣି।