ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ, ୨୪୨ରେ ଭାରତ ଅଲ୍‌ ଆଉଟ୍‌

କ୍ରିଷ୍ଟଚର୍ଚ୍ଚ,ଏଜେନ୍ସି: ନ୍ୟୁଜିଲାଣ୍ଡ ବିପକ୍ଷ ୨ୟ ଟେଷ୍ଟରେ ଭାରତର ବ୍ୟାଟିଂ ବିଫଳତା ପୁଣି ଥରେ ପଦାରେ ପଡ଼ିଛି। ଆରମ୍ଭରୁ ବ୍ୟାଟିଂ ବିପର୍ୟ୍ୟୟର ସମ୍ମୁଖୀନ ହୋଇଥିବା ଟିମ୍‌ ଇଣ୍ଡିଆ ମାତ୍ର ୬୩ ଓଭର ଖେଳିପାରି ୨୪୨ ରନରେ ଅଲଆଉଟ୍‌ ହୋଇଯାଇଛି। ଓପନିଂ ଏବଂ ମିଡିଲ ଅର୍ଡର ଭୁଶୁଡ଼ି ପଡ଼ିବା କାରଣରୁ ଦଳ ନ୍ୟୁଜିଲାଣ୍ଡ ସମ୍ମୁଖରେ ବଡ଼ ସ୍କୋର ଛିଡ଼ା କରିବାରେ ବିଫଳ ହୋଇଛି। ପୃଥ୍ବୀ ଶ, ହୁନମା ବିହାରୀ ଏବଂ ଚେତେଶ୍ଵର ପୂଜାରାଙ୍କ ଅର୍ଦ୍ଧଶତକ ଭାରତକୁ ସମ୍ମାନଜନକ ସ୍କୋର କରିବାରେ ସହାୟକ ହୋଇପାରି ନାହିଁ।

ପୃଥ୍ୱୀ ଶ ଓ ଚେତେଶ୍ୱର ପୂଜାରା ୫୪ ରନ୍‌ ଲେଖାଏଁ କରିଥିବା ବେଳେ ହନୁମାନ ବିହାରୀ ସର୍ବାଧିକ ୫୫ ରନ୍‌ କରିଛନ୍ତି । ସେହିଭଳି ମହମ୍ମଦ ସାମୀ ୧୬, ଜସ୍‌ପ୍ରିତ୍‌ ବୁମ୍‌ରା ୧୦, ରିଷଭ ପନ୍ତ ୧୨ ରନ୍‌ କରି ଦୁଇ ଅଙ୍କ ଛୁଇଁବାରେ ସକ୍ଷମ ହୋଇ ପାରିଛନ୍ତି। ତେବେ ଅନ୍ୟ ବ୍ୟାଟ୍ସ ମ୍ୟାନ୍‌ ଦୁଇ ଅଙ୍କ ଛୁଇଁପାରି ନାହାନ୍ତି।

ନ୍ୟୁଜିଲାଣ୍ଡ ପକ୍ଷରୁ କେଲ୍‌ ଜାମ୍‌ସନ୍‌ ୧୪ ଓଭର ବୋଲିଂ କରି ମୋଟ୍‌ ୪୫ ରନ୍‌ ଦେଇ ୩ଟି ଓଭର ମେଡେନ୍‌ ନେଇଥିବା ବେଳେ ୫ଟି ମୂଲ୍ୟବାନ୍‌ ଓ୍ୱିକେଟ୍‌ ହାସଲ କରିଛନ୍ତ। ସେହିଭଳି ଟିମ୍‌ ସାଉଦି ଓ ଟ୍ରେଣ୍ଟ ବୋଲ୍ଟ ଦୁଇଟି ଲେଖାଏଁ ଓ୍ୱିକେଟ୍‌ ନେଇଥିବା ବେଳେ ନେଲ ଓ୍ୱାଗ୍‌ନର ଗୋଟିଏ ଓ୍ୱିକେଟ୍‌ ନେଇଛନ୍ତି। ନ୍ୟୁଜିଲ୍ୟାଣ୍ଡ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା।

ପ୍ରଥମେ ଦିନରେ ଭାରତକୁ ୨୪୨ ରନ୍‌ରେ ଅଲ୍‌ଆଉଟ କରି ବ୍ୟାଟିଂ କରିବାକୁ ମଇଦାନକୁ ଓହ୍ଲାଇଥିବା ନ୍ୟୁଜିଲ୍ୟାଣ୍ଡ ଦଳ ୧୭ ଓଭର ସୁଦ୍ଧା କୌଣସି ଓ୍ୱିକେଟ୍‌ ନହରାଇ ୪୨ ରନ୍‌ କରିସାରିଛି। ଟମ୍‌ ଲଥମ ୧୬ ରନ୍‌ କରିଥିବା ବେଳେ ଟମ୍‌ ବ୍ଲଣ୍ଡେଲ୍‌ ୧୯ ରନ୍‌ କରିଛନ୍ତି।

ତେବେ ଏହି ଟେଷ୍ଟ୍‌ ମ୍ୟାଚ୍‌ ଭାରତ ପାଇଁ କର ବା ମର ପରିସ୍ଥିତି। କାରଣ ପ୍ରଥମେ ଟି-ଟ୍ୱେଣ୍ଟି ସିରିଜ୍‌ରେ ଭାରତ କ୍ଲିନ୍‌ ସ୍ୱିପ୍‌ କରିଥିବା ବେଳେ ଦିନିକିଆ ସିରିଜ୍‌ରେ ଗୋଟିଏ ବି ମ୍ୟାଚ୍‌ ଜିତିପାରି ନଥିଲା। ସେହିଭଳି ପ୍ରଥମ ଟେଷ୍ଟରେ ମଧ୍ୟ ଭାରତ ନ୍ୟୁଜିଲ୍ୟାଣ୍ଡଠାରୁ ପରାସ୍ତ ହୋଇଛି। ଆଜି ଦ୍ୱିତୀୟ ଟେଷ୍ଟମ୍ୟାଚ୍‌ ଖେଳାଯାଉଛି। ଆଜି ଯଦି ମ୍ୟାଚ୍‌ ଜିତିବାରେ ଭାରତ ଅସଫଳ ହୁଏ ତେବେ ସିରିଜ୍‌ ପରାୟଜ ବରଣ କରିବ।